ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧିକ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ ଅଭିଯୋଗରେ ବାରିପଦା ଟାଉନ ଥାନାରେ ସ୍ୱାମୀ , ଶ୍ୱଶୁର ଓ ଶାଶୁଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୯୮(ଏ), ୩୨୩, ୩୪୨, ୨୯୪, ୫୦୬, ୩୫୪, ୩୦୭, ୩୧୩, ୩୪ ଓ ୪ ଡିପି ଆକ୍ଟ ଅନୁସାରେ କେଶ ନମ୍ବର ୬୯୮/୨୦୨୦ରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ପୋଲିସ ଅଭିଯୁକ୍ତ ତିନିଜଣଙ୍କୁ ଗିରଫ କରିଛି |
ପ୍ରାପ୍ତ ସୂଚନାରୁ ଜଣାପଡିଛି, ବାରିପଦା ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଇ-୫୮ ସିପି କଲୋନୀ ଅଂଚଳର ଗୌରାଙ୍ଗ ଚରଣ ସାହୁଙ୍କ ପୁଅ ଦେବାଶିଷ ସାହୁ ବାଲେଶ୍ୱର ଜିଲା କରଞ୍ଜିଆ ସତ୍ୟନଗର ଅଂଚଳରୁ ସୁଚରିତା ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ୨୦୧୭ ଡିସେମ୍ବର ୩ରେ ବିବାହ କରିଥିଲେ । ବରପକ୍ଷରୁ ଯୌତୁକ ବାବଦରେ କୌଣସି ଦାବି କରାଯାଇ ନ ଥିବାରୁ କନ୍ୟା ପକ୍ଷରୁ ବେଦୀ ଉପରେ ନଗଦ ୭୦ ହଜାର ଟଙ୍କା ସହ ଅନ୍ୟାନ୍ୟ ଆସବାବପତ୍ର ପ୍ରଦାନ କରାଯାଇଥିଲା । ମାତ୍ର ବାହାଘରର ପରବର୍ତୀ ସମୟଠାରୁ ଅଧିକ ଯୌତୁକ ଦାବିରେ ସୁଚରିତାଙ୍କୁ ସ୍ୱାମୀ ଦେବାଶିଷ, ଶ୍ୱଶୁର ଗୌରାଙ୍ଗ ଓ ଶାଶୁ ମମତା ସାହୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ, ଚାରିତ୍ରିକ ଆକ୍ଷେପ କରି ଗାଳିଗୁଲଜ କରି ଆସୁଥିଲେ । କେବଳ ଏତିକି ନୁହେଁ, ଦେଢ଼ ମାସର ଗର୍ଭବତୀ ରହିଥିବା ସମୟରେ ସ୍ୱାମୀ ପେଟରେ ଗୋଇଁଠା ମାରି ଗର୍ଭ ନଷ୍ଟ କରାଇ ଦେଇଥିଲେ । ଏହି ସମସ୍ତ ଘଟଣାକୁ ନେଇ ଏସପି ଙ୍କ ଦୃଷ୍ଟି ଆକର୍ଷଣ କରାଇବା ପରେ ପ୍ରାୟ ୪ ଥର ଉଭୟ ପକ୍ଷଙ୍କୁ ବସାଇ ଆପୋଷ ବୁଝାମଣା କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଲା । ସହିବାର ସମସ୍ତ ସୀମା ଅତିକ୍ରମ କରିବା ପରେ ସୁଚରିତା ବାଧ୍ୟ ହୋଇ ନ୍ୟାୟ ପାଇବା ନିମନ୍ତେ ଥାନାରେ ଆଶ୍ରୟ ନେଇଥିଲେ ।