ଝାରସୁଗୁଡ଼ା :(ସୁଭାଷ ସହାରେ)- ଗତ ୬ /୭ ତାରିଖ ମଧ୍ୟ ରାତ୍ରରେ ଅପହୃତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଅପହରଣରେ ସାମିଲ ଥିବା ସମସ୍ତ ୭ ଜଣ ଅଭିଯୁକ୍ତଙ୍କ ସହ ସେମାନଙ୍କଠାରୁ ସୁନା ଚେନ କିଣିଥିବା ବ୍ୟକ୍ତିଙ୍କୁ ଝାରସୁଗୁଡ଼ା ପୋଲିସ ଗିରଫ କରିଛି। ଏହା ବ୍ୟତୀତ ଏମାନଙ୍କ ପାଖରୁ ପୋଲିସ୍ ଅପହରଣରେ ବ୍ୟବହୃତ ବୋଲେରୋ ଗାଡ଼ି, ମାରଣାସ୍ତ୍ର ଓ ସୁନା ଚେନ୍ ମଧ୍ୟ ଜବତ କରିଛି।
ପୋଲିସ ଦେଇଥିବା ସୂଚନା ଅନୁସାରେ ଗତ ୬/୭ ତାରିଖ ୧୨.୩୦ ମିନିଟରେ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକ ନିଜ ସରକାରୀ ବାସଭବନରେ ଶୋଇଥିବା ବେଳେ ଆଗ୍ନେୟାସ୍ତ୍ର, ଭୁଜାଲି, ଛୁରୀ ଓ ଖଣ୍ଡା ଧରି ତାଙ୍କ ଘରକୁ ଜବରଦସ୍ତି ପଶିଥିଲେ ଏବଂ ମାରଣାସ୍ତ୍ର ଦେଖାଇ ତାଙ୍କୁ ଟଙ୍କା ଦାବି କରିଥିଲେ। ଶ୍ରୀ ପଟ୍ଟନାୟକ ଭୟରେ ତାଙ୍କ ପାଖରେ ଥିବା ୪୦୦୦ ଟଙ୍କା ଦେଇଥିଲେ। ଏହାପରେ ସେମାନେ ତାଙ୍କର ସୁନାଚେନ ଛଡ଼ାଇ ନେଇଥିଲେ ଏବଂ ଏଟିଏମ କାର୍ଡ ଓ ଚେକବୁକ ମଧ୍ୟ ଧମକ ଦେଇ ନେଇ ଚେକରେ ତିନି ଲକ୍ଷ ଟଙ୍କାର ଦସ୍ତଖତ କରାଇ ନେଇଥିଲେ। ଏହାପରେ ତାଙ୍କୁ ମୁଣ୍ଡଜାମିନ ଆକାରରେ ନେଇ ପ୍ରଥମେ ସମ୍ବଲପୁର ଓ ପରେ କେସିଙ୍ଗାକୁ ନେଇ ଯାଇଥିଲେ। ସେଠାରେ ସେମାନେ ତାଙ୍କୁ ତାଙ୍କର କୌଣସି ଅଧିକାରୀ ବା କଣ୍ଟ୍ରାକ୍ଟର ସହ ଫୋନରେ କଥା ହୋଇ ତିନି ଲକ୍ଷ ଟଙ୍କା ଆଣିଦେବା ପାଇଁ କହିଥିଲେ। ଶ୍ରୀ ପଟ୍ଟନାୟକଙ୍କ କହିବା ଅନୁସାରେ ସେ ବାଧ୍ୟ ହୋଇ ଜନୈକ କଣ୍ଟ୍ରାକ୍ଟର ଶ୍ରୀନିବାସ ପ୍ରଧାନଙ୍କୁ ଟଙ୍କା ଆଣିଦେବା ପାଇଁ କହିଥିଲେ। ମାତ୍ର ଟଙ୍କା ଯୋଗାଡ଼ କରିବାରେ ବିଳମ୍ବ ହେବାରୁ ଅପହରଣକାରୀମାନେ ପୋଲିସ୍ ହାତରେ ଧରା ପଡ଼ିଯିବା ଭୟରେ ପଟ୍ଟନାୟକଙ୍କୁ କେସିଙ୍ଗା ଥାନାରୁ ୬ ରୁ ୭ କିମି ଦୂରରେ ଏକ ନିଛାଟିଆ ସ୍ଥାନରେ ଛାଡ଼ି ଦେଇ ଚାଲି ଯାଇଥିଲେ। ସେଠାରୁ କୌଣସି ଅଜଣା ଲୋକଙ୍କ ପାଖରୁ ସେ ଲିଫ୍ଟ ପାଇ କେସିଙ୍ଗା ଥାନାରେ ଏକ ଏତଲା ଦେଇଥିଲେ। ଝାରସୁଗୁଡ଼ା ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ଏହି ଦଳ ପରେ ଅଭିଯୁକ୍ତମାନଙ୍କୁ ଭବାନୀପାଟଣା, ଟିଟିଲାଗଡ଼ ଓ ମୁରିବାହାଲ ଅଞ୍ଚଳରୁ ଗିରଫ କରିଥିଲା।
ତଦନ୍ତକାରୀ ଦଳରେ ଝାରସୁଗୁଡ଼ା ଏସଡିପିଓ ଶ୍ରୀ କୈଳାସ ଆଚାର୍ଯ୍ୟ, ଆଇଆଇସି ଶ୍ରୀମତୀ ସାବିତ୍ରୀ ବଳ, ବ୍ରଜରାଜନଗର ଏସ ଆଇ ଶ୍ରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁ, ଝାରସୁଗୁଡ଼ା ଥାନାର ଶ୍ରୀକାନ୍ତ ନାୟକ, ଲୋଚନ ସା, ରିଙ୍କୁ ରୋହିଦାସ, ରଞ୍ଜନ ଶତପଥୀ, ସାଇବର ସେଲର ନରେଶ ଚୌଧୁରୀ ଓ ହୋମଗାର୍ଡ ପୂର୍ଣ୍ଣ ମହାପାତ୍ର ସାମିଲ ଥିଲେ।
ଗିରଫ ଅଭିଯୁକ୍ତମାନେ ଆର ଏଣ୍ଡ ଡବ୍ଲ୍ୟୁ ଝାରସୁଗୁଡ଼ାରେ ରହୁଥିବା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ ସତୀଘାଟ ଅଞ୍ଚଳର ଶିବ ତାଣ୍ଡି (୨୬) ଓ ତୋଫାନ ତାଣ୍ଡି (୨୦) ପି: ରବି ତାଣ୍ଡି, ବିଟାବନ୍ଧର ପଙ୍କଜ ବାଗ( ୨୨)ପି:ଶୁବୁ ବାଗ,ଘଣ୍ଟବାହାଲିର ଲଲିତ ତାଣ୍ଡି (୨୫) ପି:ବାବାଜାନ ତାଣ୍ଡି, ପ୍ରକାଶ ମହାକୁଡ଼ ଓରଫ ଦାଦାଗିରି (୨୩) ପି:ରଘୁ ମହାକୁଡ଼, ଟିଟିଲାଗଡ଼ର ହାଟପଦାରେ ରହୁଥିବା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବୁର୍ଦିପଡା଼ର ବୁଲୁ ମନହିରା (୨୬) ପି:ମାଲିଆ ମନହୀରା, ମୁରିବାହାଲ ଥାନା ଅନ୍ତର୍ଗତ ମୁରିବାହାଲ ବଜାରପଡ଼ାର ନିରଞ୍ଜନ ଆଚାରୀ (୨୨) ପି: ବାବୁ ଆଚାରୀ, ଚେନ କିଣିଥିବା ଟିଟିଲାଗଡ଼ର ରଘୁନାଥପଡ଼ାର ସଂଜୟ ସୋନୀ, ପି:ସୁରଜମଲ ସୋନୀ।
ଅଭିଯୁକ୍ତମାନଙ୍କ ପାଖରୁ ଓଡି-୦୮-କେ-୨୬୨୩ ନମ୍ବର ଥିବା ଏକ ବୋଲେରୋ, ଅଭିଯୋଗକାରୀ ପଟ୍ଟନାୟକଙ୍କ ପ୍ରାୟ ୧୫.୭୦୦ ଗ୍ରାମର ଏକ ସୁନାଚେନ, ଗୋଟିଏ ଏୟାରଗନ୍, ଗୋଟିଏ ଭୁଜାଲି ଓ ଦୁଇଟି ଖଣ୍ଡା ସମସ୍ତ ଅଭିଯୁକ୍ତଙ୍କ ପାଖରେ ଥିବା ୯ଟି ମୋବାଇଲ ଫୋନ ଜବତ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛନ୍ତି।