ଅଭିଯୋଗର ତିନିମାସ ପରେ ବି ହେଲାନି ମାମଲା ରୁଜୁ
ସୁନ୍ଦରଗଡ଼ - ଜଣେ ବୃଦ୍ଧ ଆଦିବାସୀ ବ୍ୟକ୍ତି ନିଜ ଆକାଉଣ୍ଟରୁ ୬୩,୪୬୨ ଟଙ୍କା ଚୋରି ହୋଇଥିବା ନେଇ ଜୁନ ୧୨ ତାରିଖରେ କିଂଜିରକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ହେଲେ ଆଜିକୁ ତିନିମାସ ଅତିକ୍ରମ କରିଥିଲେ ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇନାହିଁ କି ଅଭିଯୋଗକାରୀଙ୍କୁ ଏତେଲା କପି ପ୍ରଦାନ କରାଯାଇନାହିଁ | ଓଲଟା ଥାନାଧିକାରୀ ମାମଲାର କେମିତି ବୁଝାମଣା ହୋଇପାରିବ ସେଥିପାଇଁ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି | ତେଣୁ ପୋଲିସ ବ୍ୟବସ୍ଥା ଠାରୁ ଆସ୍ଥା ହରାଇ ଏକପ୍ରକାର ନିରାଶ ହୋଇ ପଡିଛନ୍ତି ଅଭିଯୋଗକାରୀ | ଏଠାରେ ସୂଚନାଯୋଗ୍ୟ ଯେ କିଂଜିରକେଲା ଥାନା ଅନ୍ତର୍ଗତ ରଷ୍ଟୀ ଗ୍ରାମର ନିବାସୀ ମାନେସ୍ୱର ଖଡ଼ିଆ (୬୫) ନିଜ ଏସବିଆଇ ଆକାଉଣ୍ଟ - ୧୦୮୪୭୨୮୪୬୪୩ ରୁ ସବଡେଗା ବ୍ଲକ ଅନ୍ତର୍ଗତ ଶୁବଳିଆ ଗ୍ରାମର ଅର୍ଜୁନ ନାଏକଙ୍କ ଝିଅ ପ୍ରୀତି ନାଏକ ପର୍ଯ୍ୟାୟକ୍ରମେ ୭୩,୪୬୨ ଟଙ୍କା ଟ୍ରାନ୍ସଫର କରିନେଇଥିବା ନେଇ ଜୁନ - ୧୨ ଦିନ କିଂଜିରକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ହେଲେ ନା ବର୍ତ୍ତମାନ ଯାଏ ତାଙ୍କୁ ଏତେଲା କପି ପ୍ରଦାନ କରାଯାଇଛି ନା ତଦନ୍ତର ବସ୍ତୁସ୍ଥିତି ସମ୍ୱନ୍ଧରେ ଅବଗତ କରାଯାଉଛି | ଓଲଟା ମାମଲାରେ ବୁଝାମଣା କରିଦେବାକୁ ଥାନା ପକ୍ଷରୁ ତାଙ୍କୁ ଚାପ ପ୍ରୟୋଗ କରାଯାଉଛି | ମାନେଶ୍ଵର କିଛିଦିନ ପୂର୍ବରୁ ସୁନ୍ଦରଗଡ଼ ଅତିରିକ୍ତ ଏସପିଙ୍କୁ ମଧ୍ୟ ସାକ୍ଷାତ କରି କିଂଜିରକେଲା ଥାନାରେ ତାଙ୍କ ଅଭିଯୋଗକୁ କେମିତି ଅଣଦେଖା କରାଯାଇଛି ସେ ସମ୍ୱନ୍ଧରେ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ନ୍ୟାୟ ଭିକ୍ଷା କରିଛନ୍ତି | ତଥାପି ମାମଲାରେ କୌଣସି ଅଗ୍ରଗତି ହେଉନାହିଁ | ତେଣୁ ପୋଲିସ ବ୍ୟବସ୍ଥା ଠାରୁ ଆସ୍ଥା ହରାଇ ଏକପ୍ରକାର ଚୁପ ହୋଇଯାଇଛନ୍ତି ମାନେଶ୍ଵର | ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଅଭିଯୋଗର ୨୪ ଘଣ୍ଟା ଭିତରେ ଅଭିଯୋଗକାରୀଙ୍କୁ ଏତେଲା କପି ପ୍ରଦାନ କରାଯିବାର ପ୍ରାବଧାନ ରହିଥିବା ବେଳେ ଅଭିଯୋଗର ତିନିମାସ ପରେ ମଧ୍ୟ ସମ୍ପୃକ୍ତ ଥାନାଧିକାରୀ ମାମଲା ରୁଜୁ କରିନାହାନ୍ତି କାହିଁକି | ଉକ୍ତ ମାମଲାକୁ ଚାପି ରଖିବାରେ ଥାନାଧିକାରୀଙ୍କ କେଉଁ ସ୍ୱାର୍ଥ ସାଧନ ହେଉଛି ତାହା ମଧ୍ୟ ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ | ତେଣୁ ଉକ୍ତ ଘଟଣାରେ ଜିଲ୍ଲା ପୋଲିସ ମୁଖିଆ ହସ୍ତଖେପ କରି ନ୍ୟାୟରୁ ବଞ୍ଚିତ ହୋଇ ଭାଙ୍ଗି ପଡ଼ିଥିବା ବୃଦ୍ଧ ଆଦିବାସୀ ମାନେଶ୍ଵର ଖଡ଼ିଆଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବୀ ହୋଇଛି | ତାସହିତ ମାମଲା ରୁଜୁ କରିବାରେ ପକ୍ଷପାତ କରିଥିବା କିଂଜିରକେଲା ଥାନାଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି |