ଝାରସୁଗୁଡ଼ା:(ସୁଭାଷ ସହାରେ)-ବ୍ରଜରାଜନଗର ପୁଣି ଅଶାନ୍ତ ହୋଇ ଉଠିଛି। ସାମାନ୍ଯ ବଚସାରୁ ଦୁଇ ଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରାମାଡ଼ରେ ଆଘାତ କରି ଦେବା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ଏହା ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଯାଇଛି।
ସୂଚନାନୁସାରେ, ଆଦର୍ଶନଗରର ୨୦ ବର୍ଷ ବୟସ୍କ ବୀରବଲ ପାଣ୍ଡେ ଓ ଅନ୍ୟ ଦୁଇଜଣ ଯୁବକଙ୍କ ମଧ୍ୟରେ କୌଣସି ଏକ କାରଣରୁ ଯୁକ୍ତିତର୍କ ହୋଇଥିଲା। ଶେଷରେ ଯୁବକ ଦୁଇଜଣ ଉତକ୍ଷିପ୍ତ ହୋଇ ବୀରବଲଙ୍କୁ ଛୁରାମାଡ଼ କରି ଭୀଷଣ ଭାବରେ ଆହତ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପରିବାର ଲୋକ ବିରବଲଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିରବଲଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ ଆଜି ଥାନା ଘେରାଉ କରିଥିଲେ। ମୃତକଙ୍କ ପରିବାରକୁ ନ୍ୟାୟ, ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ସ୍ଥାନୀୟ ଅଞ୍ଚଳକୁ ଅପରାଧ ମୁକ୍ତ କରିବାକୁ ଦାବି କରିଛନ୍ତି। ତେବେ ଘଟଣାସ୍ଥଳରେ ଓରିଏଣ୍ଟ ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ, ବ୍ରଜରାଜନଗର ଥାନା ଅଧିକାରୀ ଲଳିତା ମୋଦୀ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିବା ସହ ଏହି ମାମଲାରେ 5ଜଣଙ୍କୁ ଅଟକ ରଖାଯାଇଛି ବୋଲି କହିବା ପରେ ଆଜି ସଂଧ୍ୟାରେ ଶବ ଉଠିଛି। ବ୍ରଜରାଜନଗର ଏସଡିପିଓ ଦାୟିତ୍ୱରେ ଥିବା କୈଳାଶ ଆଚାର୍ଯ୍ୟ କହିଛନ୍ତି ଯେ, ଏହି ହତ୍ୟା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ପଚରାଉଚୁରା ପରେ ଗଣମାଧ୍ୟମ ସମ୍ମୁଖରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ।