ଯମଜ ଛୁଆଙ୍କୁ ଜନ୍ମ ଦେବା ପରେ ଜୀବନ ହାରିଲେ ମା'।
ମାତୃହରା ଶିଶୁଙ୍କ ଲାଳନ ପାଳନ ନେଇ ପରିବାରର ସଦସ୍ୟ ଚିନ୍ତିତ।
ଝାରସୁଗୁଡ଼ା :(ସୁଭାଷ ସହାରେ) -କରୋନା ସଂକ୍ରମିତ ହେଲେ ସମଗ୍ର ପରିବାର। ଗର୍ଭବତୀ ମା'ମଧ୍ୟ ବାଦ୍ ପଡ଼ିଲେ ନାହିଁ। କିନ୍ତୁ ସଂକ୍ରମିତ ଅବସ୍ଥାରେ ଯମଜ ଛୁଆଙ୍କୁ ଜନ୍ମ ଦେବାର କିଛି ସମୟ ପରେ ମାତୃହରା ହେଲେ ନବଜାତ ଶିଶୁଦ୍ବୟ। ସମଗ୍ର ପରିବାର କୋରୋନା କବଳିତ ହୋଇଥିବାରୁ ଶିଶୁମାନଙ୍କ ଲାଳନପାଳନ ଏବେ ପରିବାର ନିମନ୍ତେ ଚିନ୍ତାଜନକ ହୋଇପଡ଼ିଛି।
ଖବର ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ପଞ୍ଚଗାଁର ଜଣେ ମହିଳା ଗତ ୬ ତାରିଖରେ ବୁର୍ଲାରେ କୋରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ସମ୍ବଲପୁର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଗତ ୭ ତାରିଖରେ ସେ ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଥିଲେ। ଏହାପରେ ଉଭୟ ମା' ଓ ଶିଶୁଙ୍କୁ ଅଲଗା ରଖାଯାଇଥିଲା। କମ୍ ଓଜନର ହୋଇଥିବାରୁ ଶିଶୁଦ୍ବୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା, ମାତ୍ର ମା'ଙ୍କ ମୃତ୍ୟୁ ହୋଇଯାଇଥିଲା।
ଅନ୍ୟପକ୍ଷରେ ପରିବାରର ସମସ୍ତ ସଦସ୍ୟ କୋରୋନା ଆକ୍ରାନ୍ତ ହୋଇ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ବେଳେ ନବଜାତ ଶିଶୁଦ୍ବୟ ଡାକ୍ତରଙ୍କ ହେପାଜତରେ ଥିଲେ। ପରେ ଉଭୟ ଶିଶୁଙ୍କ ମଧ୍ୟରୁ ଗୋଟିଏ ଶିଶୁ କୋରୋନା ସଂକ୍ରମିତ ଥିବା ଜଣା ପଡ଼ିବା ପରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ଶିଶୁଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି। ଶେଷ ଖବର ମିଳିବା ପର୍ଯ୍ୟନ୍ତ ଉଭୟ ଶିଶୁଙ୍କ ଦେଖରେଖ କୌଣସି ଜଣେ ନିକଟ ସମ୍ପର୍କୀୟ କରୁଛନ୍ତି।