ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବୈଦେଶପାଲି ଗାଁ ମୁଣ୍ଡରେ ଥିବା ଠିକାଦାରଙ୍କ କ୍ୟମ୍ପରେ ବୁଧବାର ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଳିଯାଇଛି । କ୍ୟାମ୍ଫ ଭିତରେ ଆଶ୍ରୟ ନେଇଥିବା ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଖବର ପାଇଁ ମେଲଛାମୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚି ବଜ୍ରାଘାତରେ ଜଳିଯାଇଥିବା ବୈଦେଶପାଲିର ଉଷତ ଭୋଇ(୩୦)ଙ୍କ ଶବକୁ ଜବତ କରିବା ସହ ଆହତ ମାନଙ୍କ ଚିକିତ୍ସା ପାଇଁ ସୋହେଲା ଡାକ୍ତରଖାନାକୁ ପଠାଇଦେଇଛି । ଏ ନେଇ ମେଲଛାମୁଣ୍ଡା ୟୁଡି କେସ ନଂ ୧୮/୨୦ରେ ମାମଲା ରୁଜୁ କରି ଏସଆଇ ପ୍ରମୋଦ କୁମାର ସାହୁ ତଦନ୍ତ କରୁଛନ୍ତି ।
ଘଟଣାର ଖବର ପାଇବା ମାତ୍ରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଘଟଣା ସ୍ଥଳକୁ ପହଂଛି ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଙ୍କୁ ତୁରନ୍ତ ଘଟଣାର ର ଯାଞ୍ଚ କରି ରିପୋର୍ଟ ପ୍ରଦାଵ କରିବା ପାଇଁ ନିର୍ଦେଶ ଦେବା ସହିତ ମୃତଙ୍କର ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଆହତ ବ୍ୟକ୍ତି ମାନଙ୍କର ଦ୍ରୁତ ଅରୋଗ୍ୟ କାମନା କରିଥିଲେ । ତାଙ୍କ ସହିତ ଏସଡିପିଓ ପ୍ରଦୀପ ସାହୁ, ସୋହେଲା ବ୍ଳକ ଅଧ୍ୟକ୍ଷ ଜୀର୍ବଧନ ବରିହା, ବିଡିଓ ବିଶ୍ୱରଂଜନ କର, ସୋହେଲା ଆଇଆଇସି ନିର୍ମଲ ମହାପାତ୍ର, ମେଲଛାମୁଣ୍ଡା ଓଆଇସି ସ୍ୱପ୍ନାରାଣୀ ଗୋଚ୍ଛାୟତ, କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ପ୍ରମୁଖ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିରୀକ୍ଷଣ କରିଥିଲେ । ମୃତ ଓ ଆହତ ବ୍ୟକ୍ତି ମାନଙ୍କୁ ସରକାରଙ୍କର ନିୟମ ମୁତାବକ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଦରୁଆନ କହିଛନ୍ତି ।
ପ୍ରାପ୍ତସୂଚନାନୂସାରେ ବୈଦେଶପାଲିରୁ ସିଧିରା ଗ୍ରାମର ରାସ୍ତା ମଝିରେ ଥିବା ଘେଁସାଲି ନଦୀ ଉପରେ ଏକ ବ୍ରିଜ ତିଆରି ହେଉଛି । ବର୍ଷା ଦିନ ହୋଇଥିବାରୁ କାମ ବନ୍ଦ ଥିବା ବେଳେ କାମକରୁଥିବା ଠିକାଦାଙ୍କ ଏକ କ୍ୟାମ୍ପ ରହିଛି । କ୍ୟାମରେ ଠିକାଦାରର ଜଣେ ମୁନଷି ନାଶିର ଖାନ ଜଗି ରହିଛନ୍ତି । ବୁଧବାର ଅପରାହ୍ନରେ ବର୍ଷା ସହ ଘଡଘଡି ହୋଇଥିଲା । କ୍ୟାମ୍ପ ପାଖରେ ଥିବା କ୍ଷେତରେ କାମ କରୁଥିବା ଚାଷୀ ମାନେ କ୍ୟାମ୍ପ ଭିତରକୁ ଚାଲିଆସି ଲୁଚିଥିବା ବେଳେ ଏକ ବଜ୍ରପାତ ସିଧା କ୍ୟାମ୍ପ ଉପରେ ପଡିବାର କ୍ୟାମ୍ପଟି ଜଳି ଯାଇଥିଲା । କ୍ୟାମ୍ପରେ ଲୁଚିଥିବା ଉଷତ ଭୋଇ(୩୦)ଙ୍କ ଶରୀର ଘଟଣା ସ୍ଥଳରେ ଦଗ୍ଧ ହୋଇଯାଇଥିବା ବେଳେ ରଙ୍କମଣି ଭୋଇ(୫୦), ରୁକ୍ମଣ ଥପା(୩୫), ରାମ ଥପା(୪୦), ନାସିର ଖାନ(୩୫), ଅଷାଡୁ ଭୁଏ(୨୦), ଲକ୍ଷ୍ମଣ ଭୋଇ(୩୦) ପ୍ରମୁଖ ଆହତ ହୋଇଥିଲେ । ବଜ୍ରାଘାତ ଯୋଗୁ କ୍ୟାମ୍ପରେ ଥିବା ବିଦ୍ୟୁତ ଉପକରଣ ସମେତ ଗ୍ୟାସ ସିଲିଣ୍ଡର ଫାଠି ନିଆଁର ଭୟାବହତା ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ଘଟଣାସ୍ଥଳକୁ ସୋହେଲା ଏବଂ ବିଜେପୁରର ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଥିଲେ । ଉଷତ ଭୋଇ ଜଣେ ଗରିବ ଶ୍ରେଣୀର ଚାଷୀ ହୋଇଥିବା ସହ ଏକ ପାଂଚ ବର୍ଷର ଶିଶୁ କନ୍ୟା ଅଛି । ତାଙ୍କ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜନସାଧାରଣରେ ଦାବୀ ହୋଇଛି । ଘଟଣାକୁ ନେଇ ବୈଦେଶପାଲି ଗ୍ରାମ ତଥା ଆଖପାଖ ଅଂଚଳରେ ଶୋକର ଲହରି ଖେଲିଯାଇଛି ।