ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ଦିନ ହେଉ ଅଥବା ରାତି ଜନସାଧାରଣଙ୍କ ଧନଜୀବନ ବପନ୍ନ ହୋଇପଡ଼ିଛି । କିଛି ଦିନ ତଳେ ଶ୍ରୀପଦଗଞ୍ଜ ଅଞ୍ଚଳରେ ରାତି ଅଧରେ ଘରର ଗ୍ରୀଲ କାଟି ଭିତରେ ପଶି ଘରର ଛୋଟ ପିଲାକୁ ଜୀବନରୁ ମାରି ଦେବାର ଧମକ ଦେବା ସହ ମାରଣାସ୍ତ୍ର ଦେଖାଇ ନଗଦ ଟଙ୍କା ଓ ଗହଣା ଲୁଟ ପରେ ଆଜି ଦିନ ଦ୍ୱିପ୍ରହରରେ ଜଣେ ଯୁବକ ନିକଟରୁ ଆଖି ପିଛଳାକେ ୭୦ ହଜାର ଟଙ୍କା ଛଡ଼ାଇ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ପୌରପରିଷଦର ପୂର୍ଣ୍ଣଚନ୍ଦ୍ରପୁରର ଜୟନ୍ତ ଲେଙ୍କା(୩୪) ମଧ୍ୟାହ୍ନ ପ୍ରାୟ ସାଢେ଼ ୧୨ ପାଖାପାଖି ଷ୍ଟେସନ ବଜାରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୮୦ ହଜାର ଟଙ୍କା ଉଠାଇ ନିଜର ସ୍କୁଟି ଡିକିରେ ରଖି ଫରିଥିଲେ । ଏହି ସମୟରେ ଭଞ୍ଜପୁର ନିକଟରେ ଜଣେ ବ୍ୟକ୍ତିଙ୍କୁ ୬ ହଜାର ଟଙ୍କା ଦେବା ନିମନ୍ତେ ଡିକି ଭିତରୁ ଟଙ୍କା ବାହାର କରି ଗଣୁ ଥିବା ସମୟରେ ୨ ଜଣ ବ୍ୟକ୍ତି ଏକ ବାଇକରେ ଆସି ପଲକ ମାତ୍ରକେ ଜୟନ୍ତ ଲେଙ୍କାଙ୍କ ନିକଟରୁ ଟଙ୍କା ସହ ବ୍ୟାଙ୍କ ପାଶବୁକକୁ ଲୁଟି ପଳାଇ ଯାଇଥିଲେ । ଲୁଟେରାମାନେ ନେଇ ଯାଇଥିବା ଟଙ୍କାର ପରିମାଣ ୭୦ ହଜାର ଟଙ୍କା ରହିଥିବାର ଜଣାପଡ଼ିଛି । ଏହାକୁ ନେଇ ଜୟନ୍ତ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।