ବହୁକୋଟିପତି ଏକଜେକ୍ୟୁଟିଭ ଅଫିସର : ଝାରସୁଗୁଡ଼ା ସହରରେ ୧୪ଟି ପ୍ଲଟ ଓ ପେଟ୍ରୋଲ ପମ୍ପ
ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟେଲଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଛଅଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା।
ସୂଚନା ଅନୁସାରେ, ସମ୍ବଲପୁର ଭିଜିଲାନ୍ସର ସ୍ପେଶାଲ ଜଜଙ୍କ ଏକ ୱାରେଣ୍ଟ ବଳରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ବିଭାଗ ଶ୍ରୀ ପଟେଲଙ୍କ ସହ ସଂପର୍କିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ। ଏହି କ୍ରମରେ ଝାରସୁଗୁଡ଼ା ମ୍ୟୁନିସିପାଲିଟିରେ ଥିବା ତାଙ୍କ ସରକାରୀ ବାସଗୃହ, କୋଲାବିରା ବ୍ଲକ ବେଲମୁଣ୍ଡା ଗ୍ରାମର ତାଙ୍କ ଦୁଇ ମହଲା ବିଶିଷ୍ଟ ବାସଗୃହ,ଝାରସୁଗୁଡ଼ା ସହରର ଦେବାଡିହିର ଦୁଇ ମହଲା ବିଶିଷ୍ଟ ବାସଗୃହ, କୋଲାବିରାର ସମାସିଂଘାରେ ତାଙ୍କର ସଂପର୍କୀୟଙ୍କ ପେଟ୍ରୋଲ ପମ୍ପ, ଝାରସୁଗୁଡ଼ାର କାଦୋବାହାଲରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ବାସଗୃହ, ବ୍ରଜରାଜନଗର ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଥିବା ତାଙ୍କ ନିଜ ଚ୍ୟାମ୍ବର ଇତ୍ୟାଦି ସ୍ଥାନରେ ଚଢାଉ କରାଯାଇଥିଲା।
ଚଢା଼ଉ ପରେ ତାଙ୍କ ନିକଟରେ ସ୍ଥାବର ଅସ୍ଥାବର ସଂପତ୍ତିର ପରିମାଣ ଟ ୩,୩୫,୮୨,୬୪୧ (ତିନି କୋଟି ପଇଁତିରିଶ ଲକ୍ଷ ବୟାଅଶୀ ହଜାର ଛ'ଶହ ଏକଚାଳିଶ ଟଙ୍କା) ବୋଲି ଆକଳନ କରାଯାଇଛି। ଏଥିରେ ଦୁଇଟି ଦୁଇ ମହଲା ବିଶିଷ୍ଟ ବାସଗୃହ, ଝାରସୁଗୁଡ଼ା ସହରରେ ୧୪ଟି ପ୍ଲଟ,ଗୋଟିଏ ପେଟ୍ରୋଲ ପମ୍ପ,ଗୋଟିଏ ଚାରି ଚକିଆ ମାରୁତି ସିଆଜ୍ କାର, ଦୁଇଟି ଦୁଇଚକିଆ ଯାନ, ସୁନା ଓ ରୂପାର ଅଳଙ୍କାର,୨୨ ଲକ୍ଷ ଟଙ୍କାର ନଗଦ ଓ ଅନ୍ୟାନ୍ୟ ଆସବାବ ପତ୍ର ଅନ୍ତର୍ଭୁକ୍ତ ବୋଲି ଜଣା ପଡ଼ିଛି।