ହେଡଲାଇନସ୍:

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ :ମାସ‌େ ପରେ ଅପହର୍ତ୍ତାଙ୍କ କବଳରୁ ମୁକ୍ତହେଲେ ପିଡ଼ୀତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଘଟଣାର ରଫାଦଫା କରିବାକୁ ପିଡ଼ୀତାଙ୍କ ପରିବାରକୁ ଧମକ

  • ନ୍ୟାୟ ପାଇଁ ଏସ୍ପି’ଙ୍କ ଦ୍ବାରସ୍ଥ ହେଲେ ପରିବାର

  • ପିଡ଼ୀତାଙ୍କ ଡାକ୍ତରୀମାଇନା ପରେ ହେବ ବୟାନ ରେକର୍ଡ

ବାରିପଦା,(ଦିଲ୍ଲୀପ ମହାନ୍ତି ) : ଅପହରଣ ଏବଂ ପରେ ଶାରିରୀକ ନିର୍ଯାତନା। ମାସାଧିକାଳ ନାନା ଯନ୍ତ୍ରଣା ସହିବା ପରେ ଶେଷରେ ଅପହର୍ତ୍ତାଙ୍କ କବଳରୁ ମୁକୁଳିଛନ୍ତି ଜଣେ ନାବାଳିକା ପିଡ଼ୀତା। ଗତ ମାସ ୧୭ତାରିଖରେ ବଡ଼ସାହି ଥାନା ଅଞ୍ଚଳରେ ହୋଇଥିବା ଏହି ଘଟଣାରେ ଜଣେ ୧୫ବର୍ଷୀୟ ନାବାଳିକା ଅପହର୍ତ୍ତା ଏବଂ ତାଙ୍କ ପରିବାର ପକ୍ଷରୁ ମାନସିକ ଏବଂ ଯନ୍ତ୍ରଣାଦାୟକ ଶାରିରୀକ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ଏସ୍ପି’ଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏନେଇ ଅପହରଣର ଦୁଇ ଦିନ ପରେ ବଡ଼ସାହି ଥାନାରେ ଅପହର୍ତ୍ତା ରମାକାନ୍ତ ସିଂ(୨୦) ଓରଫ୍ ପାଣ୍ଡେ’ଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଏହି ଥାନା ଅଞ୍ଚଳର ଅର୍ଜୁନବାରିଆ(ବାଉଁଶବଣୀ ସାହି)ର ଅପହର୍ତ୍ତା ଜଣଙ୍କ ଘରେ କେହି ନଥିବାରୁ ସୁଯୋଗ ନେଇ ନାବାଳିକାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ତେବେ ଅପହରଣ ପରେ କିନ୍ତୁ ନାବାଳିକାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ମା’ଙ୍କ ଦେହ ଖରାପ ଥିବା ମିଛ କହି ତାଙ୍କୁ ଘରୁ ଅପହରଣ କରିନେଇଥିବା ନାବାଳିକାଜଣଙ୍କ ପ୍ରକାଶ କରିଛନ୍ତି। ଏହାପରେ ଅପହର୍ତ୍ତା ପାଣ୍ଡେ ତାଙ୍କୁ ନୂଆ ନୂଆ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ପୀଡ଼ିତା ପ୍ରକାଶ କରିଛନ୍ତି। ମଦ ପିଇ ଗୋଟିଏ ଘରେ ବନ୍ଦ କରି ତାଙ୍କ ସହିତ ଦୁଷ୍କର୍ମ ସହିତ ନାନା କଦର୍ଯ୍ୟ କାମ କରିଥିବା ପିଡ଼ୀତା ପ୍ରକାଶ କରିଛନ୍ତି। ଏହି ଘଟଣାରେ ଅପହର୍ତ୍ତାଙ୍କ ପରିବାରବର୍ଗ ମଧ୍ୟ ସାମିଲ ଥିବା ସେ କହିଛନ୍ତି। ସେହିପରି ଏହି ଘଟଣାକୁ ରଫାଦଫା କରିବା ସହିତ ଥାନାରୁ ମାମଲା ପ୍ରତ୍ୟାହାର କରିବା ପାଇଁ ପିଡ଼ୀତାଙ୍କ ପରିବାରକୁ ଅଭିଯୁକ୍ତ ଏବଂ ତାଙ୍କର ସମ୍ପର୍କୀୟମାନେ ଧମକ ଦେଉଥିବା ପିଡ଼ୀତାଙ୍କ ମା’ କହିଛନ୍ତି। ତେବେ ଗତକାଲି ନାବାଳିକାଙ୍କୁ ଅପହର୍ତ୍ତାଜଣଙ୍କ ଏକ ଜଙ୍ଗଲ ନିକଟରେ ଛାଡ଼ିଦେଇଯାଇଥିବା ନାବାଳିକାଜଣଙ୍କ କହିଛନ୍ତି। ଏନେଇ ପୁଲିସ୍ରେ ଅଭିଯୋଗ କରାଯାଇଥିଲା। ମାତ୍ର ଏଯାବତ ଅପହର୍ତ୍ତା ଗିରଫ ହୋଇନଥିବାରୁ ନ୍ୟାୟ ପାଇଁ ଆଜି ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପିଡ଼ୀତାଙ୍କ ପରିବାରବର୍ଗ। ଏସ୍ପି’ଙ୍କ କାର୍ଯ୍ୟାଳୟରୁ ପିଡ଼ୀତା ଏବଂ ତାଙ୍କ ପରିବାର ବେତନଟୀ ଏସ୍ଡିପିଓଙ୍କ ନିକଟକୁ ଯାଇଛନ୍ତି। ସେଠାରେ ପିଡ଼ୀତାଙ୍କୁ ପଚରାଉଚୁରା କରାଯିବା ସହିତ ଡାକ୍ତରୀମାଇନା କରାଯିବ ଏବଂ କୋର୍ଟରେ ୧୬୪ରେ ବୟାନ ରେକର୍ଡ କରାଯିବାନେଇ ସୂଚନା ମିଳିଛି। ଆଜି ରାତିରେ ପିଡ଼ୀତାଙ୍କୁ ସ୍ବଧାର ଗୃହରେ ରଖାଯିବ। ଏହି ଘଟଣାରେ ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ସବୁପ୍ରକାର ଚେଷ୍ଟା କରିଥିବା ବଡ଼ସାହି ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

0
0
0
s2sdefault