ବଲାଙ୍ଗିର : (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) ବଲାଙ୍ଗିର ଟିଟିଲାଗଡ଼ ରୋଡ଼ରେ ବାରମ୍ବାର ଡକାୟତି, ଲୁଟ୍ ହେଉଥିବା ବେଳେ ଅସାମାଜିକ ବ୍ୟକ୍ତିଙ୍କର କାୟା ବିସ୍ତାର ବିଢ଼ି ଚାଲିଛି । ଟଙ୍କା ପାଇଁ ଲହୁଲୁହାଣ ହେଉଛନ୍ତି ନିରୀହ ଜନତା । ଆଜି ଏହାର ଆଉ ଏକ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ଲଳିତନଗରର ଦାମ ବରାଡ଼ ସକାଳୁ ଗାଇ ଚରାଇବାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଦାମଙ୍କ ମୁଣ୍ଡରେ ଗଭୀର ଆଘାତ ସହିତ ତାଙ୍କର କାନ ଛିଣ୍ଡି ଯାଇଥିଲା । ଏହି ଘଟଣାରେ ଜଣକୁ ପୁଲିସ ଗିରଫ କରିଥିବା ବେଳେ ୪ ଜଣ ଫେରାର ଥିବା କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଲଳିତନଗରର ଦାମ ବରାଡ଼ ସକାଳୁ ଗାଇ ଚରାଇବାକୁ ଯାଇଥିଲେ । ଏତିକି ବେଳେ ହଠାତ୍ ତାଙ୍କ ଉପରେ ପାଂଚ ଜଣ ଅସାମାଜିକ ଯୁବକ ଅତର୍କିତ ଆକ୍ରମଣ କରିବା ସହ ଟଙ୍କା ମାଗିଥିଲେ । ଟଙ୍କା ନପାଇବାରୁ ନିର୍ଘାତ ମାଡ଼ ମାରିଥିଲେ । ବିଶେଷ ଆଘାତ ଲାଗିଥିବା ସତ୍ୱେ ଏହି ଆକ୍ରମଣରେ ଦାମ ଜଣକୁ କାବୁ କରି ନେଇ ଲଳିତନଗରକୁ ଟାଣି ଟାଣି ଆଣିଥିଲେ । ପରେ ଲଳିତନଗରବାସୀ ପୁଲିସକୁ ଡାକି ଏହି ଯୁବକଙ୍କୁ ଜିମା ଦେଇଥିଲେ । ଉକ୍ତ ଯୁବକଙ୍କ ନାମ ଜିତୁ ବାଗ(୧୮) ସେ ବିଜାଖମନ ବାସିନ୍ଦା ବୋଲି ଜଣାପଡ଼ିଛି । ତେବେ ଏହି ଘଟଣା ସଂପର୍କରେ ଦାମ ବରାଡ଼ ତରଫରୁ ଆଦର୍ଶ ଟାଉନ ଥାନାକୁ ଲିଖିତ ଅଭିଯୋଗ କରାଯାଇଛି । ଅନ୍ୟ ୪ ଜଣ ଆକ୍ରମଣକାରୀ ଫେରାର୍ ରହିଥିବା ଜଣାପଡ଼ିଛି ।