ପୁରୁଣା କଟକ (ଶାସକ ପ୍ରଶାସକ): ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପିତାମ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଇନ୍ଦ୍ରପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପୁରୁଣାକଟକ ଥାନା ରାଜିଂ ଗ୍ରାମର ଲବ ବଗର୍ତ୍ତି ପାଖ ଗାଁ ର ପିତାମ୍ବରପୁର ପଞ୍ଚାୟତର ଇନ୍ଦ୍ରପୁର ଗ୍ରାମରେ ବିବାହ କରି ଶ୍ୱଶୁର ଘରେ ଘରଜ୍ୱାଇଁ ହୋଇ ରହୁ ଥିଲେ। ଲବ ଅଧିକାଂଶ ସମୟରେ ମଦ୍ୟପାନ କରି ଘରେ ରହୁଥିବା ନିଜ ସାନଶଳା ଓ ଶାଶୁଙ୍କ ସହିତ ଝଗଡା କରୁଥିଲେ। ଏହାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗିରହୁଥିଲା।
ଗୁରୁବାର ଇନ୍ଦ୍ରପୁର ଗ୍ରାମକୁ ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ର କୁଆଘରା ଗ୍ରାମରେ ରହୁଥିବା ବଡେଇ ଶାଶୁଙ୍କ ଦୁଇପୁଅ ଆସିଥିଲେ। ଲବ ସେମାନଙ୍କ ସହିତ ନିୟମିତ ଝଗଡା କରୁଥିବା କଥାଶୁଣି ସେମାନେ ଉତ୍ୟକ୍ତ ହୋଇଥିଲେ। ମାତ୍ର ସେହି ସମୟରେ ଲବ ଘରେ ନଥିବାରୁ ତାଙ୍କର ଶଳାମାନେ ଫୋନ ଯୋଗେ କେତେ ଝଗଡା କରିବାର ଅଛି ଆସ ବୋଲି ଡାକିଥିଲେ। ଏକଥା ଶୁଣି ଲବ ସେଠାରେ ପହଞ୍ଚିବାରୁ ନିଜ ସାନ ଶଳା ଓ ବଡେଇ ଶାଶୁଙ୍କ ୨ପୁଅ ମିଶି ମରଣାନ୍ତକ ଆକ୍ରମଣ କରି ଗ୍ରାମର ୫୦ମିଟର ଦୂରରେ ଥିବା ଏକ ଛୋଟ ପୋଖରୀ ଭିତରେ ପକାଇ ଦେଇ ପଳାଇ ଥିଲେ। ସେଠାରୁ ଗୁରୁତର ଆହତ ଅବସ୍ଥାରେ କିଛିଲୋକ ଉଦ୍ଧାର କରି ନିକଟସ୍ଥ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ସେଠାକାର ଡାକ୍ତର ତାଙ୍କୁ ବୌଦ୍ଧ ଜିଲ୍ଲା ମେଡିକାଲକୁ ପଠାଇଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏନେଇ ମୃତକଙ୍କ ପିତା ପୁରୁଣାକଟକ ଥାନାରେ ଏତଲା ଦେବାପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବୌଦ୍ଧ ଏସଡ଼ିପିଇଓ ଏବଂ ପୁରୁଣାକଟକ ଥାନା ଅଧିକାରୀ ଇନ୍ଦ୍ରପୁର ଗ୍ରାମକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡ଼ିଛି।
ମୃତକଙ୍କ ପିତା ତାଙ୍କ ଲିଖିତ ଅଭିଯୋଗରେ ଲବ ବଗର୍ତ୍ତିଙ୍କର ଶାଶୁ ଓ ଶଳାଙ୍କ ନାଁ ଉଲ୍ଲେଖ କରିଥିବା ଥାନା ଅଧିକାରୀ ଜ୍ୟୋତ୍ସ୍ନା କାଉଁରୀ ପ୍ରକାଶ କହିଛନ୍ତି। ମୃତ ଲବଙ୍କ ବିଧବା ପତ୍ନୀଙ୍କ ସହ୨ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି।