ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ, ମହାନ ଗାନ୍ଧୀବାଦୀ ନେତା ଅଭିମନ୍ୟୁ କୁମାରଙ୍କ ମଠପାଲି,ଭତରା ସ୍ଥିତ ବାସ ଭବନରେ ଆଜି ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲ। ଶ୍ରୀ କୁମାର ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ତରଫରୁ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରୁ ଚାରି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆଜି ରବିବାର ସକାଳ ୯ ଟା ସମୟରେ ତାଙ୍କର ପରଲୋକ ହୋଇଛି। ସ୍ଥାନୀୟ ଖଣ୍ଡୁଆଲ ସ୍ଥିତ ସ୍ମଶାନ ଘାଟ ରେ ସ୍ୱର୍ଗତ ଅଭିମନ୍ୟୁ କୁମାର ଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହୋଇଥିବା ବେଳେ ପୁଅ ପ୍ରମୋଦ କୁମାର ମୁଖାଗ୍ନି ଦେଇଥିଲେ l ତାଙ୍କ ବିୟୋଗ ରେ ଜ଼ିଲ୍ଲା ରେ ଗଭୀର ଶୋକ ପ୍ରକାଶ ପାଇଛି l ସଟ୍ ଡାଉନ ସତ୍ୱେ ବହୁ ବିଶିଷ୍ଟ ଲୋକ ସ୍ୱର୍ଗତ କୁମାର ଙ୍କ ମଠପାଲି ସ୍ଥିତ ବାସଭବନ ପହଂଚି ଶେଷ ଦର୍ଶନ କରିବା ସହିତ ମର ଶରୀର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l
ସମ୍ବଲପୁର ସହର ଉପକଣ୍ଠ ଭତରା ଠାରେ ଥିବା ଭାରତ ର ପ୍ରଥମ ଗାନ୍ଧୀ ମନ୍ଦିର ନିର୍ମାଣ କରିଥିଲେ ସ୍ୱର୍ଗତ ବିଧାୟକ ଅଭିମନ୍ୟୁ କୁମାର l ତାଙ୍କ ଉଦ୍ୟମରେ ୧୯୭୧ ମସିହାରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ମନ୍ଦିର ନିର୍ମାଣ ଶେଷ ହୋଇ, ୧୯୭୪ ଅପ୍ରେଲ ୧୧ ତାରିଖ ଦିନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଦ୍ଵାରା ମନ୍ଦିର ଉଦଘାଟନ କରାଯାଇଥିଲା । ଏହା ସହିତ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ବହୁବିଧ ବିକାଶ ରେ ତାଙ୍କର ଭୂମିକା ଅନନ୍ୟା ରହିଛି l