ହେଡଲାଇନସ୍:

କନ୍ଧମାଳ : ଗୁଳି ବିନିମୟରେ ୪ ମାଓ ନିହତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ) କନ୍ଧମାଳ (ଗଗନ ପ୍ରଧାନ ) : କନ୍ଧମାଳରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ଜଣ ମାଓବାଦୀ ନିହତ ହୋଇଛନ୍ତି | କନ୍ଧମାଳ ଜିଲ୍ଲା ପୁଲିସ୍ , ଏସଓଜି ଓ ଡିଭିଏଫର ମିଳିତ ଆକ୍ରମଣରେ ଏହି ସଫଳତା ମିଳିଥିବା ଜଣାପଡିଛି ।  ଆଇଜି ଅପରେସନ ଅମିତାଭ ଠାକୁର ଟୁଇଟ କରି ଏ ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀଙ୍କ ପକ୍ଷରୁ ସୁରକ୍ଷା କର୍ମୀଙ୍କ ଉପରକୁ ପ୍ରବଳ ଗୁଳିବର୍ଷଣ ହେବା ପରେ ଆତ୍ମରକ୍ଷା ପାଇଁ ସୁରକ୍ଷା କର୍ମୀମାନେ  ପାଲଟା ଗୁଳି ଚାଲାଣ କରିଥିଲେ | ଫଳରେ ଘଟଣାସ୍ଥଳରେ ୪ଜଣ ମାଓବାଦୀ ନିହତ ହୋଇଥିବା ବେଳେ କମ୍ବିଙ୍ଗ ଅପରେସନ ଜାରି ରହିଛି ବୋଲି ଆଇଜି ଶ୍ରୀ ଠାକୁର ସୂଚନା ଦେଇଛନ୍ତି | ସୁରକ୍ଷା କର୍ମୀଙ୍କ ଏ ସଫଳତାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରଶଂସା କରିଛନ୍ତି | ଏକ ଟୁଇଟ ମାଧ୍ୟମରେ ଯବାନ ମାନଙ୍କ ସାହସିକ ପଦକ୍ଷେପ ପ୍ରଶଂସା କରିବା ସହ ରାଜ୍ୟକୁ ଉଗ୍ରପନ୍ଥୀ କାର୍ୟକଳାପରୁ ମୁକ୍ତ କରି ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଅଧିକ ମଜଭୁତ କରିବା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି | 

ଆମ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ, ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ମାଓବାଦୀଙ୍କ ସହ ଆମନା ସାମ୍ନା ହେବା ସହ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓବାଦୀମାନେ ଅଧିକ ସମୟ ପୁଲିସ୍ ର ମୁକାବିଲା କରି ନପାରି ଅନ୍ଧାରର ସୁଯୋଗରେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଫେରାର ହୋଇଯାଇଥିଲେ।

ଆଜି ସକାଳୁ ଏସଓଜି ଟିମ୍ ସର୍ଚ୍ଚ କରି ଏକ ମାଓ କ୍ୟାମ୍ପ ଠାବ କରିବା ସହ ୪ ଜଣ ମାଓବାଦୀଙ୍କ ମୃତ ଶରୀର ପାଇଥିଲା। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇ ନଥିବା ଏସପି ପ୍ରତିକ୍ ସିଂ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା ୨୬ ତାରିଖରୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ମାଓବାଦୀ ସଂଗଠନ କେକେବିଏନ ସହିଦ ସପ୍ତାହ ପାଳନ କରିବାକୁ ଯାଉଛି। ଏହି ଅବସରରେ ଜିଲ୍ଲାରେ ବଡ ଧରଣର ଅଘଟଣ ଘଟାଇବାର ଯୋଜନା ସଂଗଠନ କରିଛି। ଏହି ସୂଚନା ପାଇବା ପରେ କନ୍ଧମାଳ ପୁଲିସ୍ ଜିଲ୍ଲା ରେ ଜୋରଦାର କୁମ୍ବିଂ ଅପରେସନ ଜାରି ରଖିଛି। ୪ ଦିନ ତଳେ ଫିରିଙ୍ଗିଆ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ଜବତ ହୋଇଛି। ହେଲେ ଶିବିରରେ ଥିବା କ୍ୟାଡର ମାଓବାଦୀ ଦାସୁଲୁ, ଆକାଶ ପ୍ରମୁଖ ଫେରାର ହେବାରେ ସଫଳ ହୋଇଥିଲେ।

0
0
0
s2sdefault