୧୦ଘଣ୍ଟା ହେଲା ଓଡଗାଁ ଅଂଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଅଂଚଳରେ ଗତକାଲି ମଧ୍ୟାହ୍ନରେ କାଳବୈଶାଖି ବର୍ଷା ସହ ଅସଂଖ୍ୟ ବଜ୍ରାଘାତ ହୋଇ କୁରାଳରେ ଗୋଟିଏ ପାଳଗଦା ଜଳିଯାଇଥିଲା । ଆଜି ମଧ୍ୟ ମଧ୍ୟାହ୍ନ ସମୟରୁ ବଜ୍ରାଘାତ ସହିତ ବର୍ଷା ଲାଗିରହିଥିବା ବେଳେ ଅପରାହ୍ନ ପ୍ରାୟ ୨ଟା ସମୟରେ ଭାଡିକିଳା ନିକଟରେ ରାଜପାଟଣା ଠାରୁ ଓଡଗାଁ ଗ୍ରୀଡ଼କୁ ସଂଯୋଗ କରୁଥିବା 33କେଭି ବିଦ୍ୟୁତ ତାରକୁ ଏକ ବଡ଼ ଧରଣର ବଜ୍ରାଘାତ ହେବାରୁ 33କେଭି ଲାଇନ ତାର ଜଳି ଯାଇଥିଲା । ଫଳରେ ଆଜି ଅପରାହ୍ନ ୨ଟା ସମୟରୁ ଓଡ଼ଗାଁ ଏନ୍ଏସି ସମେତ ସାରା ଅଞ୍ଚଳରୁ ବିଦ୍ୟୁତ ସଂଯୋଗ ବିଛିନ୍ନ ରହିଛି । ବିଦ୍ୟୁତ ବିଭାଗ ଅପରାହ୍ନରୁ କାର୍ଯ୍ୟରେ ଯୋଗ ଦେଇ ଲାଇନ ସଜାଡ଼ିବାକୁ ଚେଷ୍ଟା ଜାରି ଥିବା ବେଳେ ପ୍ରାୟ ୧୦ଘଣ୍ଟା ବିତିଯାଇଥିଲେ ସୁଧା ଖବର ଲେଖିବା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ସ୍ବାଭାବିକ ହୋଇପାରି ନାହିଁ । ୧୦ଘଣ୍ଟାର ବିଦ୍ୟୁତ କାଟ୍ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ।