ମେଲଛାମୁଣ୍ଡା(ମନୋଜ ଭୋଇ)-ଗ୍ରାମାଂଚଳରେ ଏକ ଲୋକ କଥା ଅଛି “ସାପୁଆ କେଳାକୁ ସାପ ଖାଏ” ଏହି ଲୋକ କଥାଟି ଆଜି ସତ୍ୟ ପ୍ରମାଣିତ ହୋଇଯାଇଛି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମରେ । ପୂର୍ବରୁ ଅଂଚଳରେ ସାପୁଆକେଳା ଭାବେ ବେଶ ପରିଚିତ ଥିବା ସାଲେପାଲି ଗ୍ରାମର ଅଭିମନ୍ୟୁ ବିଶି(୪୫)ଙ୍କ ପ୍ରାଣବାୟୁ ବିଷାକ୍ତ ନାଗ ସାପ ଦଂଶନରେ ଚାଲିଯାଇଛି । ଏ ନେଇ ମେଲଛାମୁଣ୍ଡା ଥାନାରେ ୟୁଡି କେସନଂ ୧୧/୨୦ରେ ଏକ ମାମଲା ରୁଜୁ ହୋଇଛି । ଏଏସଆଇ ଦିଲିପ ଦେହୁରୀ ମାମଲାଟିର ତଦନ୍ତ କରୁଛନ୍ତି । ମୃତ ଅଭିମନ୍ୟୁର ଶବକୁ ପୁଲିସ ଜବତ କରି ପଦ୍ମପୁର ସବଡିଭିଜନ ହସପିଟାଲରେ ଶବ ବ୍ୟବଛେଦ କଲାପରେ ସୋମବାର ସଂଧ୍ୟରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି । ପ୍ରାପ୍ତସୂଚନାନୂସାରେ ସାଲେପାଲି ଗ୍ରାମର ଅଭିମନ୍ୟୁ ବିଶି କିଛି ବର୍ଷ ପୂର୍ବେ ବିଭିନ୍ନ ପ୍ରକାର ସାପ ମାନଙ୍କୁ ଧରି ନିଜ ଘରେ ଖାଦ୍ୟ ଦେଇ ରଖୁଥିଲା । ସାପ ଗୁଡିକୁ ବିଭିନ୍ନ ସ୍ଥାନକୁ ନେଇ ଲୋକଙ୍କୁ ଦେଖାଇବା ସହ ମନୋରଂଜନ ମାଧ୍ୟମ ଭାବେ ବାଛି ନେଇ ଦୁଇ ପଇସା ରୋଜଗାର କରି ନିଜ ପେଟ ପୋଷୁଥିଲା । ମାତ୍ର ବନ ବିଭାଗର ଆଇନ କଡା ହେଲା ପରେ ସାପ ଖେଲାଇବା ଧନ୍ଦା ବନ୍ଦ କରି ଲୋକଙ୍କ ମୂଳ ଲାଗୁଥିଲା । ରବିବାର ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ପଛ ପଟରୁ ଏକ ବିଷାକ୍ତ ନାଗ ସାପ ଆସି କାମୁଡି ଦେଇଥିଲା । ସାପ କାମୁଡା ଯୋଗୁ ଅଭିମନ୍ୟୁ ଘଟଣା ସ୍ଥଳରେ ସଂଜ୍ଞାହୀନ ହୋଇ ପଡିଯାଇଥିଲା । ପାଖରେ ଥିବା ଲୋକେ ତାକୁ ୧୦୮ ଯୋଗେ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ଡାକ୍ତର ଅଭିମନ୍ୟୁକୁ ମୃତ ଘୋଷଣ କରିଥିଲେ ।
ଅଘଟଣ
ସାପୁଆ କେଳାକୁ ଦଂଶିଦେଲା ବିଷଧର
- Hits: 622