୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ହାଇୱେ ଲୁଟେରା
ବାଲେଶ୍ୱର(ଉଜ୍ଜ୍ୱଳ କର): ଦୀର୍ଘ ସାଢେ଼ ୪ଘଣ୍ଟାର ଅପରେସନ ପରେ ବାଲେଶ୍ୱରର ଅନ୍ୟତମ କୁଖ୍ୟାତ ଅପରାଧୀ ତଥା ହାଇୱେ ଲୁଟେରା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗ୍ରାମର ଲକ୍ଷ୍ମଣ ମହାଳିକଙ୍କ ପୁତ୍ର ଈଶ୍ୱର ମହାଳିକ(୫୧)କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୁଲିସ ।
ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଅଭିଯୁକ୍ତ ଈଶ୍ୱରକୁ ଆଜି ଧରିବା ପାଇଁ ସହଦେବଖୁଣ୍ଟା ଥାନା ଓ ରେମୁଣା ଥାନାର ପୁଲିସ ଟିମ୍ ସମେତ ଏକ ପ୍ଲାଟୁନ୍ ଫୋର୍ସ ଓ ଓଡ୍ରାଫ ଟିମ୍ ପ୍ରାୟ ଭୋର ୪ ଟା ବେଳେ ପହଞ୍ଚି ସାମୁରାଇପୁରସ୍ଥିତ ତା’ର ଘରକୁ ଘେରାଓ କରିଥିଲେ । ମାତ୍ର ଈଶ୍ୱର ଓ ତାର ପରିବାର ଲୋକେ ଘରର ଫାଟକ କିମ୍ବା କବାଟ ଖୋଲି ନଥିଲେ । ଅପରନ୍ତୁ ପୂର୍ବପରି ପୁଲିସକୁ ଘଉଡ଼ାଇବା ପାଇଁ ଈଶ୍ୱର ଓ ତାର ପରିବାର ଲୋକେ ଘରର ଉପର ମହଲାରୁ କାଚ ବୋତଲ, ପଥର, ବୋମାର ସାହାଯ୍ୟ ନେଇଥିଲେ । ସେମାନେ ଆତଙ୍କ ଖେଳାଇବାକୁ ପୁଲିସ ଉପରକୁ ୪ଗୋଟି ହାତ ବୋମା ସହ ପଥର ଓ କାଚଆଦି ଫିଙ୍ଗିଥିଲେ । ଏଥିରେ କେତେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ବି ଅପରେସନରୁ ହଟି ନଥିଲେ । ଏମିତିକି ଘର ଉପରୁ ଗ୍ୟାସ ଟାଙ୍କିରେ ନିଆଁ ଲଗାଇ ପୁଲିସ ଉପରକୁ ଫିଙ୍ଗିବା ନେଇ ଈଶ୍ୱର ଧମକ ମଧ୍ୟ ଦେଇଥିଲା । ଖବର ପାଇ ୩ଶହରୁ ଉର୍ଧ୍ଵ ଗ୍ରାମବାସୀ ସେଠାରେ ପହଞ୍ଚି ଈଶ୍ୱରଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଶେଷରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲା ।
ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ସଦର ଏଡିସନାଲ ତହସିଲଦାର ଶତ୍ରୁଘ୍ନ ସେଠୀଙ୍କ ଉପସ୍ଥିତିରେ ଈଶ୍ୱର ଆତ୍ମ ସମର୍ପଣ ବେଳେ କରିଥିଲା । ଈଶ୍ୱରଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଗାଡ଼ିଚୋରୀ, ଛିନ୍ତାଇ, ରାହାଜାନୀ, ହାଇୱେରେ ଲୁଟ୍ ପ୍ରଭୃତି ବହୁ ମାମଲା ରହିଥିବା ବେଳେ ତାକୁ ଧରିବା ପାଇଁ ପୁଲିସ ପୂର୍ବରୁ ମଧ୍ୟ ଉଦ୍ୟମ କରିଥିଲା । ମାତ୍ର ସେତେବେଳେ ଈଶ୍ୱର ଓ ତାର ପରିବାର ଲୋକେ ପୁଲିସ ଉପରକୁ ଗରମ ପାଣି ଓ ଗରମ ତେଲ ଫିଙ୍ଗିଥିଲେ । ତେବେ ଗତ ଦୁଇଦିନ ପୂର୍ବରୁ କୋଲକାତା ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଲୁଟ୍ କରିବା ସହ ତାର ବୁଲେଟ୍ ଗାଡ଼ିକୁ ବି ଈଶ୍ୱର ନେଇ ଚମ୍ପଟ୍ ମାରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ତଦନ୍ତ ସହ ଈଶ୍ୱର ଏଥିରେ ମୁଖ୍ୟ ଅଭିଯୁକ୍ତ ଜାଣିବା ପରେ ପୁଲିିସ ଆଜି ଭୋରରୁ ଏହି ଉଦ୍ୟମ କରିଥିଲା ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସିଟି ଡିଏସପି ମନୋଜ କୁମାର ରାଉତ, , ସହଦେବଖୁଣ୍ଟା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇ, ରେମୁଣା ଥାନାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଅପରେସନରେ ବହୁ ପୁଲିସ କର୍ମଚାରୀଙ୍କ ଓ ୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ ।