ହେଲେ ଏ ନିଷ୍ପାପ କନ୍ୟା ଶିଶୁର ବା କି ଦୋଷ
ବରଗଡ଼ /ଶାସକ ପ୍ରଶାସକ : ବରଗଡ଼ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁସୁମ ଗଛ ମୂଳରେ ଶିଶୁଟି ଥିଲା । ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ପିଲା ଆଜି ମଧ୍ୟାହ୍ନରେ ଶିଶୁଟିକୁ ଦେଖି ଗାଁକୁ ଆସି ଘର ଲୋକଙ୍କୁ କହିଥିଲେ । ପରେ ସେଠାକୁ ଯାଇ ସାବିତ୍ରୀ ଖର୍ସେଲ ଏବଂ ରାଜିନ ଖର୍ସେଲ ଶିଶୁଟିକୁ ଘରକୁ ଆଣିଥିଲେ । ଶିଶୁ କନ୍ୟାର ପିଠିରେ କାଇ କାମୁଡ଼ି ଦେଇଥିଲେ । ଆଶାକର୍ମୀ ଆମ୍ବଲାନ୍ସରେ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପାଇକମାଲ ଡ଼ାକ୍ତରଖାନା ନେଇଥିଲେ । ଏପଟେ ଏହିଭଳି ଏକ ହୃଦୟସ୍ପର୍ଶୀ ଘଟଣା ବାବଦରେ ଜାଣିବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଓ ତାଙ୍କର ସହକର୍ମୀ ମାନେ ତୁରନ୍ତ ପାଇକମାଲ ଡାକ୍ତରଖାନାକୁ ପହଂଚି ନବଜାତ ଶିଶୁ କନ୍ୟା ର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ପରବର୍ତ୍ତୀ କାର୍ଯନୁଷ୍ଠାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଥାନାରେ ଏକ ମାମଲା ରୁଜୁ ହେବ ସହିତ ଶିଶୁର ଲାଳନ ପାଳନ ପାଇଁ ସରକାରୀ ସଂସ୍ଥା ମାନଙ୍କୁ ଯୋଗାଯୋଗ କରାଯାଉଥିବ ସୂଚନା ଦେଇଛନ୍ତି ଥାନା ଅଧିଲାରୀ । ଚିନ୍ତା ଓ ଦୁଃଖର ବିଷୟ ଯେ ଏ ସଭ୍ୟ ସମାଜରେ ଆଜିବି ଶିଶୁ କନ୍ୟା ଅଲୋଡ଼ା ତାହା ଯଦି ହେଇନଥାନ୍ତା ତେବେ ଆଜି ପବିତ୍ର ସାବିତ୍ରୀ ବ୍ରତ ଦିନ ବୋଧହୁଏ ଏମିତି ରାସ୍ତାକଡ଼ରେ ଶିଶୁକନ୍ୟାଟିକୁ ଫିଙ୍ଗି ଦେବାକୁ ହାତ ଯାଇନଥାନ୍ତା | ଏହି କରୁଣା ଦୃଶ୍ୟ ଓ ଅଘଟଣ କାହାର କନ୍ୟା ଶିଶୁ ପ୍ରତି ହୀନ ମାନସିକତାର ପ୍ରତିଫଳନ ହୋଇପାରେ ବା କେଉଁ ଅବାଂଛିତ ମାର ପାପ ହୋଇଥିବା ନିଶ୍ଚୟ, ଯାହାର ପରିଣାମସ୍ୱରୂପ ନିଷ୍ପାପ କନ୍ୟା ଶିଶୁଟିକୁ ଏକ ଅନିଶ୍ଚିତ ଅନ୍ଧାରି ଭବିଷ୍ୟତ ଭିତରକୁ ଠେଲି ଦେଇ ନଥାନ୍ତେ |