ବାରିପଦା(ଦିଲ୍ଲୀପ ମହାନ୍ତି )- ୪ଦିନ ପରେ ଆଜି ଗ୍ରାମରେ ଥିବା ଏକ କୂଅରେ ନିଖୋଜ ୱାର୍ଡ ମେମ୍ବରଙ୍କ ମୃତଦେହ ଠାବ କରାଯାଇଛି । ମହିଳାମାନେ କୂଅରୁ ପାଣି ନେବା ପାଇଁ ଆସି ଥିବା ବେଳେ କୂଅ ଭିରରେ ଏକ ମଣିଷ ଭାସୁଥିବାର ଦେଖିବାକୁ ପାଇ ଏବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଲୋକମାନେ ଜାଣି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବେତନଟୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ଦ୍ବାରା ଶବକୁ ପାଣିରୁ ଉଦ୍ଧାର କରିଥିଲେ । ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଧୀନ ଓ ବେତନଟୀ ଥାନା ଅନ୍ତର୍ଗତ ସାତଶୋଳ ଗ୍ରାମର ୪ ନମ୍ବର ୱାର୍ଡରେ । ମୃତକ ସେହି ୱାର୍ଡର ୱାର୍ଡ଼ମେମ୍ବର ରାମାୟ ମୁର୍ମୁ (୪୨) ବୋଲି ଜଣାପଡିଛି । ଏଥିସହିତ ୱାର୍ଡମେମ୍ବର ରାମାୟ ମୁର୍ମୁ ଗତ ସୋମବାର ବାରିପଦା ଯାଇ ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ନିଜ ଘର ନିକଟ ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅରୁ ମିଳିଛି । ସୋମବାର ଠାରୁ ମୃତକଙ୍କ ପରିବାର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ଘଟଣାକୁ ନେଇ ପୋଲିସ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।