ପଦ୍ମପୁର/ସମ୍ବଲପୁର(ଶାସକ ପ୍ରଶାସକ) : 20ରୁ କମ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସ୍କୁଲକୁ ବନ୍ଦ କରିବାକୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରିଛନ୍ତି ବରଗଡ଼ ଜିଲ୍ଳା ଗାଇସିଲାଟ ବ୍ଲକ ବାବେବାହାଲ ଗ୍ରାମବାସୀ । ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସରକାରୀ ସ୍କୁଲରେ 21ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିନ୍ତୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ 16 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଭୁଲ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଫଳରେ ସରକାର ବାବେବାହାଲ ସ୍କୁଲକୁ ବନ୍ଦ କରି ପାଖ ଗାଁ ସ୍କୁଲରେ ମିଶାଇ ଦେବାକୁ ସ୍ଥିର କରିଛନ୍ତି । ସ୍କୁଲ ବନ୍ଦ ନ କରିବା ସହ ଭୁଲ ତଥ୍ୟ ଦେଇଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।
ଗାଁ ସ୍କୁଲ ବନ୍ଦ ନେଇ ତାତିଲେ ଗ୍ରାମବାସୀ । 20ରୁ କମ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ସ୍କୁଲକୁ ବନ୍ଦ କରିବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି ବିରୋଧରେ ଅଣ୍ଟା ଭିଡ଼ିଲେ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଳକ ବାବେବାହାଲ ଗ୍ରାମର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅଭିଭାବକ ଅଭିଭାବିକା । 1992ମସିହାରୁ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 21ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିନ୍ତୁ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା ବିଭାଗକୁ 16 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ଭୁଲ ରିପୋର୍ଟ ପ୍ରଦାନ କରିଛନ୍ତି । ଯଦ୍ବାରା ସ୍କୁଲ ଓ ଗଣ ଶିକ୍ଷା ବିଭାଗ ବାବେବାହାଲ ଭଳି ବରଗଡ଼ ଜିଲ୍ଲାର ଅନେକ ସ୍କୁଲକୁ ବନ୍ଦ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ସ୍କୁଲ ବନ୍ଦ ହୋଇଯିବା ଘଟଣାକୁ ନେଇ ଗାଁରେ ଦେଖା ଦେଇଛି କୋକୁଆ ଭୟ । ବ୍ଳକ ଶିକ୍ଷା ବିଭାର ଚରମ ଅବହେଳା ଓ ଭୁଲ ତ୍ରୁଟି ଯୋଗୁ ଏବେ ବାବେବାହାଲ ଗ୍ରାମର 21ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼ିଛି । ଯଦି ସ୍କୁଲ ବନ୍ଦ ହୋଇଯାଏ ତେବେ ଛାତ୍ରଛାତ୍ରୀମାନେ 4କିଲୋମିଟର ଦୂରେ ଥିବା ଗାଁକୁ ପାଠ ପଢ଼ିବା ପାଇଁ ଯିବେ । ଯାହାକୁ ନା ପସନ୍ଦ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରି ଶିକ୍ଷା ବିଭାଗକୁ ଭୁଲ ରିପୋର୍ଟ ଦେଇଥିବା କର୍ମଚାରୀ, ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ କିଏ ଭୁଲ ରିପୋର୍ଟ ଦେଇଛି ତାହା ତଦନ୍ତ କରାଯାଉଛି, ଯିଏ ଦୋଷୀ ତାଙ୍କ ବିରୋଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାବୋବାହାଲ ସ୍କୁଲ ବନ୍ଦ ହେବ ନାହିଁ ଏଥିପାଇଁ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଗାଇସିଲାଟ ବ୍ଳକ ଶିକ୍ଷା ଅଧିକାରୀ କହିଛନ୍ତି ।
ସ୍କୁଲ ବନ୍ଦ କରିବା ପାଇଁ ଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି ତାକୁ ତୁରନ୍ତ ବାତିଲ କରିବା ସହ ଯେଉଁ କର୍ମଚାରୀ ଅଧିକାରୀ ସରକାରଙ୍କୁ ଭୁଲ ରିପୋର୍ଟ ଦେଇଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି ।