ହେଡଲାଇନସ୍:

ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି-ଡ଼ୁକୁରା ରାସ୍ତାର ଆମ୍ବଡାଳି ନିକଟରେ  ଫେବୃଆରୀ ୧ ରାତିରେ ଦରବାର ଯାତ୍ରା ପାର୍ଟିର ମାଲିକଙ୍କ ଭାଇ ଓ ମ୍ୟାନେଜରଙ୍କୁ କେତେକ ଦୁର୍ବୁତ ମାଡ଼ ମାରି  ବନ୍ଧୁକ ମୁନରେ ୭୦ ହଜାରରୁ ଅଧିକ ଟଙ୍କା ଲୁଟ ହୋଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, କଟକ ବଡ଼ମ୍ବା ଅଞ୍ଚଳର ଦରବାର ନାମକ ଏକ ଯାତ୍ରା ପାର୍ଟି ମୟୂରଭଞ୍ଜ ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳଗଡ଼ିଆରେ ତାର ନାଟକଗୁଡ଼ିକ ମଞ୍ଚସ୍ଥ କରିବାର କାର୍ଯ୍ୟକ୍ରମ ରହିଥିଲା । ଉକ୍ତ ଦରବାର ଯାତ୍ରା ପାର୍ଟିର କଲ ମ୍ୟାନେଜର ମିଥୁନ ଉପାଧ୍ୟାୟ ଓ ଯାତ୍ରା ପାର୍ଟି ମାଲିକଙ୍କ ଭାଇ ମନୋଜ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଧରି ବାଲେଶ୍ୱରରୁ ଭୋଳଗଡ଼ିଆକୁ ବାଇକରେ ଆସୁଥିବା ବେଳେ ରାତି ପ୍ରାୟ ସାଢେ଼ ୧୧ ସମୟରେ କେତେକ ଦୁର୍ବୁତ ତାଙ୍କା ବାଇକରେ ପିଛା କରିଥିଲେ । ଏହି ସମୟରେ ରାସ୍ତାର ଆମ୍ବଡ଼ାଳି ନିକଟ ଶୂନଶାନ୍ ସ୍ଥାନରେ ୬ ଜଣ ଦୁର୍ବୁତ୍ତ ୨ଟି ବନ୍ଧୁକ ଦେଖାଇ ଏମାନଙ୍କ ଅଟକାଇବା ପରେ ହାତରେ ଧରିଥିବା ଫାର୍ଶାର ବେଣ୍ଟରେ ଆକ୍ରମଣ କରି ଧରିଥିବା ଟଙ୍କା ବ୍ୟାଗକୁ ଛଡ଼ାଇବା ନିମନ୍ତେ ଉଦ୍ୟମ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ଦୁର୍ବୁତ୍ତମାନଙ୍କ ମିଳିତ ଆକ୍ରମଣରେ ମିଥୁନ ଗୁରୁତ୍ତର ଭାବେ ଆହତ ହୋଇ ସଂଜ୍ଞା ହରାଇ ଦେଇଥିଲେ । ଏହାପରେ ମନୋଜ ମଧ୍ୟ ଆହତ ହୋଇ ପଡ଼ିବା ପରେ ଦୁବୁର୍ତ୍ତମାନେ ସେମାନଙ୍କ ନିକଟରୁ ଟଙ୍କା ଲୁଟି ନେବା ସାଙ୍ଗକୁ  ପକେଟରେ ଥିବା ମୋବାଇଲ ଫୋନକୁ ମଧ୍ୟ ନେଇଯାଇଥିଲେ । କିଛି ସମୟ ପରେ ମନୋଜଙ୍କ ଅନ୍ୟ ପକେଟରେ ରହିଯାଇଥିବା ଏକ ଛୋଟ ମୋବାଇଲରେ ଭୋଳଗଡ଼ିଆରେ ଥିବା ଯାତ୍ରା ପାର୍ଟିର କର୍ମଚାରୀମାନଙ୍କୁ ସୂଚନା ଦେବା ପରେ ସେମାନେ ଘଟଣାସ୍ଥଳରେ ପହଁଞ୍ଚି ମନୋଜ ଓ ମିଥୁନଙ୍କୁ ଉଦ୍ଧାର କରି ବଡ଼ସାହି ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ତର ରହିଥିବାରୁ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଯୋଗ୍ୟ ଯେ, ୩/୪ ବର୍ଷ ପୂର୍ବେ ଉକ୍ତ ରାସ୍ତାରେ ଡକାୟତି, ଲୁଟପାଟି, ରାହାଜାନୀ ଆଦି ନିତି ଦିନିଆ ଘଟଣାରେ ପରିଣତ ହୋଇଥିଲା । କିଛି ବର୍ଷର ବ୍ୟବଧାନ ପରେ ପୁଣି ଏହାର ପୁନରାବୃତ୍ତି ହୋଇଥିବାର ପରିଲକ୍ଷିତ ହୋଇଛି । 

 

 

 

 

 

0
0
0
s2sdefault