ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିଏଚପି ନେତା ,ସ୍ବର୍ଗତ ଅଶୋକ ସିଂଘଲଙ୍କୁ ଭାରତରତ୍ନ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ ହୋରାଚାନ୍ଦ ଦେଉରିଆ : ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ତଥା ବିଶ୍ୱହିନ୍ଦୁ ପରିଷଦର ତତ୍କାଳୀନ ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବର୍ଗତ ଅଶୋକ ସିଂଘଲଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ଦାବୀ କରିଛନ୍ତି ବିଶ୍ଵହିନ୍ଦୁ ପରିଷଦର ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ତତ ସଙ୍ଗେ ସଙ୍ଗେ ଅଶୋକ ସିଂଘଲଙ୍କ ନାମରେ ଏକ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବୀ କରିଛନ୍ତି | ଆଜି ସ୍ବର୍ଗତ ସିଂଘଲଙ୍କ ଚତୁର୍ଥ ତିରୋଧାନ ଦିବସ ଅବସରରେ ଭିଏଚପି ନେତା ଶ୍ରୀ କୁସୁମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ଅଶୋକ ସିଂଘଲଙ୍କ ତ୍ୟାଗ ଓ ତପସ୍ୟାମୟ ଜୀବନ କାହାଣୀ ଉପରେ ଗୋଟିଗୋଟି କରି ବଖାଣିଛନ୍ତି | ତାସହିତ ସିଂଘଲଙ୍କୁ ଅତିଶୀଘ୍ର ଭାରତରତ୍ନ ପ୍ରଦାନ କରିବା ସହିତ ତାଙ୍କ ନାମରେ ଏକ ଜାତୀୟ ବିଶ୍ଵବିଦ୍ୟାଳୟ ନିର୍ମାଣ କରିବା ପାଇଁ ଦାବୀ କରିଛନ୍ତି | ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ, ସ୍ଵାଧୀନୋତ୍ତର ଭାରତରେ ମଧ୍ୟ ଦେଶର ହିନ୍ଦୁ ସମାଜ ଅଣହିନ୍ଦୁ ମାନଙ୍କ ଦ୍ଵାରା ଅକଥନୀୟ ନିର୍ଯାତନା ଓ ହତ୍ୟାର ଶିକାର ହେଉଥିବା ବେଳେ ଦେଶର ଶାସନତନ୍ତ୍ର ମଧ୍ୟ ହିନ୍ଦୁ ମାନଙ୍କୁ ହୀନ ଦୃଷ୍ଟିରେ ଦେଖୁଥିଲା | ସଂସଦ ରୁ ସମ୍ଭିଧାନ ଯାଏ ସବୁଠି ହିନ୍ଦୁ ମାନେ ପ୍ରତାଡ଼ିତ ହେଉଥିବା ବେଳେ ଏ ଦେଶରେ ହିନ୍ଦୁ ଧାର୍ମିକ ଅଧିକାରର କୌଣସି ମୂଲ୍ୟନଥିଲା | ଗୋଟିଏପଟେ ଅଣହିନ୍ଦୁ ମାନଙ୍କ ଦ୍ଵାରା ଅତ୍ୟାଚାର ହେଲେ ଅନ୍ୟପଟେ ଶାସନତନ୍ତ୍ର ଠାରୁ ପ୍ରତାଡନା | ବଞ୍ଚିକି ନବଞ୍ଚିଲା ଭଳି ଜୀବନ ଅତିବାହିତ କରୁଥିଲେ ଏ ଦେଶର ହିନ୍ଦୁ ସମାଜ | ହେଲେ ନିଜ ଭିଟାମାଟିରେ ହିନ୍ଦୁ ମାନଙ୍କ ପ୍ରତି ଏଭଳି ଅତ୍ୟାଚାର ଦେଖି ପ୍ରତିକ୍ରିୟାଶିଳ ହୋଇଥିଲେ ସିଂଘଲ |  ପରବର୍ତ୍ତୀ ମୁହୂର୍ତ୍ତରେ ନିଜ ଜୀବନ ଓ  ଯୌବନକୁ ହିନ୍ଦୁ ସମାଜର ସୁରକ୍ଷା ଓ  ଅଧିକାର ପାଇଁ ସମର୍ପଣ କରିଥିଲେ | ତାଙ୍କ ନେତୃତ୍ୱରେ 80 ଦଶକରେ ଆରମ୍ଭ ହୋଇଥିବା ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ସାରା ଭାରତର ହିନ୍ଦୁ ସମାଜକୁ ଜାଗ୍ରତ ଓ ଏକତ୍ରିତ କରିଥିବା ବେଳେ ସାରା ବିଶ୍ୱକୁ ହିନ୍ଦୁତ୍ୱର ବାର୍ତ୍ତା ଦେଇଥିଲା | ତାଙ୍କର ସେହି ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣର ରାସ୍ତା ପ୍ରଶସ୍ତ ହୋଇପାରିଛି | ସ୍ବର୍ଗତ ସିଂଘଲ କେବଳ ହିନ୍ଦୁତ୍ୱର ଆଧ୍ୟାତ୍ମିକ ଓ ଧାର୍ମିକ ଉତ୍କର୍ଷ ପାଇଁ କାମକରି ନଥିଲେ ବରଂ ଶକ୍ତିଶାଳୀ ସଂଗଠିତ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ ମଧ୍ୟ  ପ୍ରୟାସ କରିଥିଲେ | ଜାତି, ପନ୍ଥ, ଭାଷା ଓ ବର୍ଗରେ ବିଭାଜିତ ହିନ୍ଦୁ ମାନଙ୍କୁ ସେ ଏକାଠି କରିବାକୁ ବ୍ୟାପକ ପ୍ରୟାସକରି ଏକ ସମରସତା ବିଶିଷ୍ଟ ସଂଗଠିତ ହିନ୍ଦୁ ସମାଜ ନିର୍ମାଣ କରିବାରେ ସହାୟକ ହୋଇଥିଲେ | ସିଂଘଲଙ୍କ ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣରୂପେ ଆଧ୍ୟାତ୍ମିକ ଅଧିଷ୍ଠାନ ଉପରେ ଦଣ୍ଡାୟମାନ ଥିବାବେଳେ ତାଙ୍କ ନିକଟରେ ଜ୍ଞାନ, ଭକ୍ତି ଓ କର୍ମର ସମନ୍ୱୟ ରହିଥିଲା | ତେଣୁ ସଂସ୍କୃତି ଓ ମାତୃଭୂମି ନିଜ ଜୀବନକୁ ତିଳ ତିଳ କରି ଜାଳି ଦେଇଥିବା ଅଶୋକ ସିଂଘଲଙ୍କୁ ଅତିଶୀଘ୍ର ଭାରତରତ୍ନ ପ୍ରଦାନ କରିବା ସହିତ ତାଙ୍କ ନାମରେ ଏକ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି |

0
0
0
s2sdefault