ହେଡଲାଇନସ୍:

ଓଡ଼ିଆ ବିଦ୍ୟାଳୟରେ ତାଲା, ୪୧୪ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିପିଏଲ କର୍ତ୍ତୃପକ୍ଷଙ୍କ ଓଡ଼ିଆ ମାରଣ ନୀତି

ପାରାଦୀପରୁ ଉପେନ୍ଦ୍ର ଗୁରୁ : ଓଡ଼ିଶା ରାଜ୍ୟରେ ଓଡ଼ିଆ ପାଠ୍ୟକ୍ରମକୁ ଅଣଦେଖା । ଶହ ଶହ ଓଡ଼ିଆ ଛାତ୍ରଙ୍କ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ଏକ ପ୍ରମୁଖ ଓଡ଼ିଆ ବିଦ୍ୟାଳୟରେ ଆଜିଠାରୁ ତାଲା ପକାଇବାକୁ ନିଷ୍ପତି ନିଆଯାଇଛି । ସେହି ବିଦ୍ୟାଳୟ ପରିସରରେ ଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ଚାଲୁ ରଖିବାକୁ ସ୍ଥିର କରି ଓଡ଼ିଆ ବିଦ୍ୟାଳୟକୁ ବନ୍ଦ କରିବା ଘଟଣା ସାଧାରଣରେ କୌତୁହଳ  ସୃଷ୍ଟି କରିଛି । ଓଡ଼ିଆ ଜାତି ତଥା ଭାଷା ପାଇଁ ଏଭଳି ଦୁଖଦ ଘଟଣା ଅନ୍ୟ କେଉଁଠି ନୁହେଁ ଓଡ଼ିଆ ମାଟିରୁ ବର୍ଷକୁ କୋଟି କୋଟି ଟଙ୍କାର ଲାଭ ଉଠାଉଥିବା ପାରାଦୀପ ଫସଫେଟ୍ସ ଲିମିଟେଡ଼(ପିପିଏଲ)ରେ ଦେଖିବାକୁ ମିଳିଛି । ଆଜିଠାରୁ ଆନୁଷ୍ଠାନିକ  ଭାବେ ବିଦ୍ୟଳୟର ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତ ଥିବା ପ୍ରାୟ ୨୫ ଜଣ ଶିକ୍ଷକ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ପିପିଏଲ ମ୍ୟାନେଜମେଣ୍ଟ ନିଷ୍ପତି ନେଇଥିବାବେଳେ ଆସନ୍ତା ୨ମାସ ପର୍ଯ୍ୟନ୍ତ ଅର୍ଥାତ୍ ପିଲାଙ୍କ ପରୀକ୍ଷା ସରିବା ପର୍ଯ୍ୟନ୍ତ ଏହି ଓଡ଼ିଆ ବିଦ୍ୟାଳୟ ଖୋଲା ରହିବ ବୋଲି ପିପିଏଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । 

୧୯୮୧ ମସିହା ଡ଼ିସେମ୍ବର ୨୪ ତାରିଖରେ ତତକାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧୀ ଓ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ବସନ୍ତ ସାଠେ ପାରାଦୀପଠାରେ ଏହି ପିପିଏଲ ସାର କାରଖାନାର ଶିଳାନ୍ୟାସ କରିଥିଲେ । ୧୯୮୬ ମସିହାରେ ଏହି କାରଖାନାର ପ୍ରଥମ ପର୍ଯ୍ୟୟରେ ସାର ଉପôାଦନ ଆରମ୍ଭ ହେଲା । ଏହି କାରଖାନାରେ ପ୍ରାୟ ୧୭ଶହ ଶ୍ରମିକ ଓ ୭/୮ଶହ କର୍ମଚାରୀ/ଅଧିକାରୀ ଏମିତି ପ୍ରାୟ ୨ହଜାର ବ୍ୟକ୍ତି ନିଯୁକ୍ତି ପାଇଲେ । ଏହିସବୁ କର୍ମଚାରୀଙ୍କ ପିଲାଛୁଆଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ୧୯୯୮ ମସିହାରେ ପିପିଏଲ ପରିସରରେ ଦୁଇଟି ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଡ଼ିଏଭି ବିଦ୍ୟାଳୟର ଗୋଟିଏ ଶାଖା ଇଂରାଜୀ ଓ ଅନ୍ୟଟି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଖୋଲାଗଲା । ଏବେ ଏହି ଓଡ଼ିଆ ବିଦ୍ୟାଳୟରେ ୪୧୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏମାନଙ୍କ ପାଠପଢ଼ା କାର୍ଯ୍ୟରେ ୧୭ଜଣ ଶିକ୍ଷକ/ଶିକ୍ଷୟତ୍ରୀ ଓ ୭/୮ଜଣ କର୍ମଚାରୀ ଏମିତି ପ୍ରାୟ ୨୫ରୁ ଅଧିକ ଶିକ୍ଷକ କର୍ମଚାରୀ ବିଦ୍ୟାଳୟରେ ନିଯୁକ୍ତି ପାଇବା ସହିତ ପାଉଥିବା ଦରମାରେ ନିଜ ପରିବାର ପୋଷଣ କରି ଆସୁଛନ୍ତି । ଏଠାରେ ପାଠ ପଢ଼ୁଥିବା ଶିକ୍ଷକ/ଶିକ୍ଷୟତ୍ରୀମାନେ ସମସ୍ତେ ଉଚ୍ଚଶିକ୍ଷିତ ତଥା ତାଲିମପ୍ରାପ୍ତ ଅଟନ୍ତି । ଏବେ ବିଦ୍ୟାଳୟ ବନ୍ଦ ନିଷ୍ପତିରେ ପିଲାମାନେ ହଇରାଣ ହରକତ ହେବା ସହିତ ଶିକ୍ଷକମାନେ ସେମାନଙ୍କ ଚାକିରୀ ହରାଇ ଏକ ପ୍ରକାର ହତାଶ ହୋଇ ପଡ଼ିଛନ୍ତିି । ଚାକିରୀ ହରାଇ ଶିକ୍ଷକମାନେ ଏବେ ଏକପ୍ରକାର ବେକାରୀ ଅବସ୍ଥାକୁ ଚାଲି ଯାଇଛନ୍ତି । ୩୦ ବର୍ଷ ଧରି ଗୋଟିଏ ଅନୁଷ୍ଠାନରେ କାର୍ଯ୍ୟ କରିବା ପରେ ଏହି ଶିକ୍ଷକମାନଙ୍କୁ ଉପଯୁକ୍ତ ଥଇଥାନ ନକରି ଅଚାନକ ବିଦ୍ୟାଳୟକୁ ବନ୍ଦ କରିବା ଘୋଷଣା ବୁଦ୍ଧିଜୀବି ମହଲରେ ନୈରାଶ୍ୟ ସୃଷ୍ଟି କରିଛି । ପ୍ରକାଶଯୋଗ୍ୟ ପାରାଦୀପ ଫସଫେଟ୍ସ ଲିମିଟେଡ଼ ବର୍ଷକୁ ପ୍ରାୟ ୫ଶହ କୋଟି ଟଙ୍କାରୁ ଊର୍ଧ୍ୱ  ଲାଭ କରୁଥିବାବେଳେ ଏହି ବିଦ୍ୟାଳୟରେ ପିପିଏଲକୁ ପ୍ରାୟ ୧କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଯେଉଁଥିରେ ପିଲାଙ୍କୁ ମାଗଣା ବହି, ପାଠ୍ୟ ଉପକରଣ ଓ ଶିକ୍ଷକ/କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରାଯାଉଥିଲା । ପିପିଲ କର୍ତ୍ତୃପକ୍ଷଙ୍କ ଓଡ଼ିଆ ବିଦ୍ୟାଳୟକୁ ବନ୍ଦ କରିଦେବା ଭଳି ନିଷ୍ପତି ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବର ସୂଚନା ଦେଉଛି । ରାଜ୍ୟ ସରକାର ସଚିବାଳୟରେ ଓଡ଼ିଆ ଭାଷାକୁ ସରକାରୀ ଭାଷ ଭାବେ କାର୍ଯ୍ୟକାରୀ କରିବାକୁ ଯାଉଥିବାବେଳେ ପିପିଏଲ କର୍ତ୍ତୃପକ୍ଷଙ୍କ ଓଡ଼ିଆ ମାଟିରେ ଏହି ଓଡ଼ିଆ ବିଦ୍ୟାଳୟରେ ତାଲା ପକାଇବାର ନିଷ୍ପତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି । ଏ ଦିଗରେ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପୁନର୍ବିଚାର କରିବା ସହିତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଭବିଷ୍ୟତ ପ୍ରତି ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଛି । 

0
0
0
s2sdefault