ହେଡଲାଇନସ୍:

ଲୋକକଳା ଓ କଳାକାରଙ୍କ ପାଇଁ ଆରମ୍ଭ ହେବ  ନଗରପାଳ ସଂସ୍କୃତି ସଂଘ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ପୌରପରିଷଦରେ ଲଞ୍ଚିଂ ଅପେକ୍ଷାରେ ରହିଛି ନଗରପାଳ ସଂସ୍କୃତି ସଂଘ । ଓଡ଼ିଶା ସରକାର ବାରିପଦା ନଗରପାଳ ସଂସ୍କୃତି ସଂଘ ଗଠନ ମାଧ୍ୟମରେ ସହରରେ ବିଲୁପ୍ତ ହେବାକୁ ବସିଥିବା ଲୋକ କଳାକୁ ବଞ୍ଚାଇ ରଖିବା ନିମନ୍ତେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଗତ ୨୦୧୭ ଅପ୍ରେଲରେ ସରକାର ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଆବଶ୍ୟକୀୟ ପାଣ୍ଠି ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ୨୦୧୮ ଜାନୁଆରୀ ୩ରେ ୩ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ଯୋଗାଇ ଦେଇଥିବାରୁ ବାରିପଦା ନଗରପାଳ ସଂସ୍କୃତି ସଂଘ ଚଳିତ ମାସ ଲଞ୍ଚିଂ ହେବାକୁ ଯାଉଛି । ଏଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇସାରିଛି । ସରକାର ଯୋଗାଇ ଦେଇଥିବା ପାଣ୍ଠି ପୌରନିର୍ବାହୀ ଅଧିକାରୀ ଓ ସିଇଓଙ୍କ ନାମରେ ଜଏଣ୍ଟ ଆକାଉଣ୍ଟରେ ରହିବ । ଆସିଥିବା ୩ ଲକ୍ଷ ଟଙ୍କା ମଧ୍ୟରୁ ଦେଢ଼ ଲକ୍ଷ ଟଙ୍କା ଲଞ୍ଚିଂ ପ୍ରୋଗ୍ରାମରେ ଖର୍ଚ୍ଚ କରାଯିବ । ପରବର୍ତ୍ତି ସମୟରେ ସରକାରଙ୍କ ନିକଟରେ ଭାଉଚର ଦାଖଲ କରାଗଲେ ଏହି ଅର୍ଥ ଫେରସ୍ତ ଆସିବ ଏବଂ ଜଏଣ୍ଟ ଆକାଉଣ୍ଟରେ ଜମା ହୋଇ ମୂଳ ଟଙ୍କା ଭାବେ ରହିବ । ପୁଣି ଯେଉଁ କଳାକାରମାନେ ସଙ୍ଘରେ ସଦସ୍ୟ ହେବା ନିମନ୍ତେ ଆଗ୍ରହ ପ୍ରକାଶ କରିବେ ସେମାନେ ଦଶ ଟଙ୍କା ଫି ବାବଦରେ ଦାଖଲ କରିବେ ।  ସହରରେ ଲୋକ କଳାକୁ ବଞ୍ଚାଇ ରଖିବା ସହିତ କଳାକାରମାନଙ୍କର ଆୟ ଉପାର୍ଜନ ବୃଦ୍ଧି କରାଯାଇ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାର ଲକ୍ଷ ନେଇ ଏହି ସଂଘ କାର୍ଯ୍ୟକରିବ । ସଂଘରେ ସଦସ୍ୟ ହୋଇଥିବା କଳାକାରମାନେ ଲୋକକଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନା ଉପରେ  ଜନସାଧାରଣଙ୍କୁ ସଚେତନ କରାଇବା ସଂଗେସଂଗେ ତାର ପ୍ରଚାର ଓ ପ୍ରସାର କରାଇବେ । ଏଥି ନିମନ୍ତେ କଳାକାରମାନଙ୍କୁ  ଇନସେଣ୍ଟିଭ ଭାବେ କିଛି ଅର୍ଥ ଯୋଗାଇ ଦିଆଯିବ । କଳାକାରମାନେ ଫଲକ ଗୀତ ଓ ନୃତ୍ୟ ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମକୁ କିପରି ପର୍ଯ୍ୟବେଷଣ କରାଇବେ ସେଥି ନିମନ୍ତେ ସେମାନେ ନିଜେ ସ୍କ୍ରିପଟ ପ୍ରସ୍ତୁତ କରିବେ ଏବଂ ଏଥି ନିମନ୍ତେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା ଯୋଗାଇ ଦିଆଯିବ  ବୋଲି ସଂଘର ସମ୍ପାଦକ ତଥା ବାରିପଦା ପୌରପରିଷଦର ସିଇଓ ତାରାମଣି ଦାଶଙ୍କ ସୂତ୍ରରୁ ଜଣାପଡ଼ିଛି ।

0
0
0
s2sdefault