ହେଡଲାଇନସ୍:

ରାଜ୍ୟସରକାରଙ୍କ ଯୋଜନା ବୋର୍ଡ ଚାଲିଛି ଏମିତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


୨୦୦୭ ମସିହା ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଶେଷ ବୈଠକ
ଗସ୍ତ ଖର୍ଚ୍ଚ ୩୭.୯୩ ଲକ୍ଷ ସହିତ ମୋଟ ଖର୍ଚ୍ଚ ୧.୧୦ କୋଟି
ବିଷ୍ଣୁ ଦାସଙ୍କ ଉପାଧ୍ୟକ୍ଷ କାଳରେ ବୋର୍ଡ ସର୍ବାଧିକ ଖର୍ଚ୍ଚ

ଭୁବନେଶ୍ୱର,(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଶା ଯୋଜନା ବୋର୍ଡର କାର୍ଯ୍ୟକାରିତା କାହାରିକୁ ଅଛପା ନାହିଁ । ୨୦୦୭ ମସିହା ଅକ୍ଟୋବର ୧୫ ତାରିଖ ପରଠାରୁ ଏହି ବୋର୍ଡର ଆଦୌ ବୈଠକ ବସିନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଛି । ତେବେ ବୋର୍ଡ ବୈଠକ କେତେ ଅବଧି ମଧ୍ୟରେ ଅନୁଷ୍ଠିତ ହେବ ସେ ସଂପର୍କିତ କୌଣସି ନିର୍ଦ୍ଦେଶନାମା ନାହିଁ ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଏହା ସତ୍ୱେ ୨୦୦୭ ମସିହାରୁ ବର୍ତମାନ ପର୍ଯ୍ୟନ୍ତ୪ଜଣ ଉପାଧ୍ୟକ୍ଷଏବଂ ୨୬ଜଣ ସଭ୍ୟ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇଥିବା ସମସ୍ତ ଉପାଧ୍ୟକ୍ଷ ଶାସକ ଦଳର ନେତା ଥିବା ବେଳେ ଅଧିକାଂଶ ସଭ୍ୟ ମଧ୍ୟ ସରକାରୀ ଦଳର ନେତା ଓ ବିଧାୟକ । ୨୦୦୭ ବର୍ଷଠାରୁ ଅଦ୍ୟାବଧି ଅର୍ଥାତ୍ ଗତ ୧୨ ବର୍ଷରେ ଯୋଜନା ବୋର୍ଡ ପକ୍ଷରୁ ଗସ୍ତ ଖର୍ଚ୍ଚ ବାବଦରେ ମୋଟ ୩୭ ଲକ୍ଷ ୯୨ ହଜାର ୮୭୬ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦପ୍ତର ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୭୧ ଲକ୍ଷ ୯୩ ହଜାର ୬୨୮ ଟଙ୍କା ଏହିରୂପେ ମୋଟ ୧ କୋଟି ୯ ଲକ୍ଷ ୮୬ ହଜାର ୫୦୪ ଟଙ୍କା ବ୍ୟୟ କରାଯାଇଛି ।
ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ବେହେରା ୨୦୦୭ ମସିହାରୁ ଅଦ୍ୟାବଧି ଯୋଜନା ବୋର୍ଡ ପକ୍ଷରୁ ହୋଇଥିବା ଭଡ଼ା, ଗସ୍ତ ଓ ଅନ୍ୟାନ୍ୟ ଖର୍ଚ୍ଚ ସଂପର୍କରେ ହିସାବ ପ୍ରଦାନ କରିଥିଲେ । ୨୦୧୭ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ ବୋର୍ଡର ଉପାଧ୍ୟକ୍ଷ ଭାବେ ବିଷ୍ଣୁଚରଣ ଦାସଙ୍କୁ ଦିଆଯାଇଛି । ସେହି ବର୍ଷଠାରୁ ଉଭୟ ଗସ୍ତ ଓ ଅନ୍ୟାନ୍ୟ ଖର୍ଚ୍ଚ ବହୁଳ ଭାବେ ବୃଦ୍ଧି ପାଇଥିବା ହିସାବରେ ଦର୍ଶାଯାଇଛି ।
ପୂର୍ବରୁ ୨୦୧୫ ମସିହାରେ ସର୍ବାଧିକ ଗସ୍ତ ଖର୍ଚ୍ଚ ୩ ଲକ୍ଷ ୫୪ ହଜାର ଟଙ୍କା ଥିଲା । କିନ୍ତୁ ଶ୍ରୀ ଦାସ ଉପାଧ୍ୟକ୍ଷ ହେବା ପରେ ୨୦୧୭ରେ ଏହି ଖର୍ଚ୍ଚ ୪ ଲକ୍ଷ ୧୪ ହଜାର ଟଙ୍କା, ୨୦୧୮ରେ ୧୧ ଲକ୍ଷ ୩୩ ହଜାର ୮୫ ଟଙ୍କା ଓ ଚଳିତ ବର୍ଷ ଏପ୍ରିଲ ମାସରୁ ଏହି ରିପୋର୍ଟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ୨ ଲକ୍ଷ ୫୦ ହଜାର ୧୦ ଟଙ୍କା ଖର୍ଚ୍ଚ ହୋଇଛି । କେବଳ ଗସ୍ତ ଖର୍ଚ୍ଚ ନୁହେଁ, ବୋର୍ଡର ଦପ୍ତର ଓ ଅନ୍ୟାନ୍ୟ ଖର୍ଚ୍ଚର ପରିମାଣ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ୨୦୧୬ରେ ଏହି ଖର୍ଚ୍ଚ ୨ ଲକ୍ଷ ୪୦ ହଜାର ଟଙ୍କା ଥିବା ବେଳେ ୨୦୧୭ରେ(ଶ୍ରୀ ଦାସଙ୍କ ଯୋଗଦାନ ବର୍ଷ)ଏହି ପରିମାଣ ୧୦ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିଲା । ୨୦୧୮ରେ ଏହି ଖର୍ଚ୍ଚ ୧୦ ଲକ୍ଷ ୬୪ ହଜାର ୬୦୨ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଚଳିତ ବର୍ଷ ବର୍ତମାନ ସୁଦ୍ଧା ୮ ଲକ୍ଷ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି ।
ମନ୍ତ୍ରୀ ଶ୍ରୀ ବେହେରା ଲିଖିତ ଉତରରେ ରାଜ୍ୟ ଯୋଜନା ବୋର୍ଡ ୬ଟି ବିଭିନ୍ନ କାର୍ଯ୍ୟ ସଂପାଦନା କରିଥାଏ ବୋଲି ଉଲ୍ଲେଖ କରିଛନ୍ତି । ତେବେ ସେ ୨୦୦୭ ମସିହା ଅକ୍ଟୋବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଶେଷ ବୈଠକର ବିବରଣୀ ପ୍ରଦାନ କରିଛନ୍ତି । ସେହି ବୈଠକରେ ଯୋଜନା ଓ ସଂଯୋଜନ ବିଭାଗ ପ୍ରସ୍ତୁତ କରିଥିବା ଭିଜନ୍ ୨୦୨୦ର ଚିଠା ସଂପର୍କରେ ଉଲ୍ଲେଖ କରିଛନ୍ତି । ସେହି ବୈଠକରେ ଉପସ୍ଥିତ ଥିବା ସଭ୍ୟମାନେ ଦେଇଥିବା ପ୍ରସ୍ତାବଗୁଡ଼ିକ ସଂପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । କିନ୍ତୁ ପରବର୍ତୀ ବୈଠକ ନେଇ କୌଣସି ସୂଚନା ଦେଇ ନଥିବାରୁ ସେହି ବୈଠକ ଯୋଜନା ବୋର୍ଡର ଶେଷ ବୈଠକ ବୋଲି କୁହାଯାଉଛି ।

0
0
0
s2sdefault