ହେଡଲାଇନସ୍:

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ରାଜ୍ୟରେ ନାବାଳିକା ଅପହରଣଠାରୁ ଆରମ୍ଭ କରି ନାବାଳିକା ଗଣଦୁଷ୍କର୍ମ, ବଳାକ୍ରାର, ହତ୍ୟା, ଡକାୟତି ଓ ରାହାଜାନି ଆଦି ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ପରିସ୍ଥିତି ଉଦବେଗଜନକ ଅବସ୍ଥାରେ ପହଁଞ୍ଚିସାରିଛି । ପରିସଂଖ୍ୟାନ ଦୃଷ୍ଟିକୋଣରୁ ଦୁଷ୍କର୍ମ ମାମଲାରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଶୀର୍ଷ ସ୍ଥାନରେ ପହଁଞ୍ଚିଯାଇଛି । ରାଜ୍ୟରେ ଗୃହ ବିଭାଗ ଖୁଦ୍ ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତରେ ରହିଥିବା ବେଳେ ବିଧାନସଭାରେ ଭୂଲ ତଥ୍ୟ ପ୍ରଦାନ କରାଯାଇଛି ଏବଂ ଏହାକୁ ନେଇ ବାଚସ୍ପତି ନୀରବଦ୍ରଷ୍ଟା ସାଜିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ୱାରା ପରିଚାଳିତ ବିଜେଡ଼ି ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାର ଅଭିଯୋଗ ଆଣି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୁଲାଇ ୨୪ ବୁଧବାର ପୂର୍ବାହ୍ନ ୧୦ରୁ ୧ଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ  ଯୁଗେଶ ଅଗ୍ରୱାଲା ଯୋଗ ଦେଇ ବିଜେଡ଼ି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କୁ କଟୁ ସମାଲୋଚନା କରିବା ସହ ରାଜ୍ୟରେ ପ୍ରତ୍ୟେକ ଦିନ ୭ଟି ଦୁଷ୍କର୍ମ ମାମଲାକୁ ନେଇ ଥାନାରେ ଏଫ୍ଆଇଆର୍ ରୁଜୁ ହେଉଥିବା ବେଳେ ଏହା ମଧ୍ୟରୁ ବର୍ଷରେ ମାତ୍ର ୬ ଜଣ ଦୋଷୀ ସାବ୍ୟସ୍ତ ହେଉଛନ୍ତି । ଏହା ବ୍ୟତୀତ ଅନେକ ମାମଲାକୁ ପୁଲିସ ଜାଣିଶୁଣି ଚାପି ଦେଉଥିବାରୁ ଲୋକଲୋଚନକୁ ଆସିପାରୁନାହିଁ । ରାଜ୍ୟରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା କବର ନେଇଛି । ପୁଲିସକୁ ଅପରାଧୀ ଭୟ କରୁନାହିଁ । ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଜନସାଧାରଣଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡ଼ିଛି । ସଦାସର୍ବଦା ଶଙ୍କା ଓ ଆଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି ।  ପୁଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟି ସାରିଛି । ଦୁର୍ନୀତି ଭ୍ରଷ୍ଟାଚାରରେ ସରକାରୀ କର୍ମଚାରୀମାନେ ଉବୁଟୁବୁ ହେଉଛନ୍ତି । ବିକାଶ ନାମରେ ବ୍ୟୟ ବରାଦ ହେଉଥିବା କୋଟି କୋଟି ଟଙ୍କା ସରକାରୀ କର୍ମଚାରୀ, ଠିକାଦାର ଓ ବିଜେଡ଼ି ନେତା ସମର୍ଥକମାନଙ୍କ ମଧୁଚନ୍ଦ୍ରିକାରେ ଖୋଲମଖୋଲା ହରିଲୁଟ ଚାଲିଛି । ମୌସୁମୀର ଲୁଚକାଳୀ ଖେଳ ମୟୂରଭଞ୍ଜ ଜିଲ୍ଲାରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ସୃଷ୍ଟି କରାଇଛି । ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା କୋମାକୁ ଚାଲିଯାଇଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଶୁଭ ଉଦଘାଟନ କରିଥିଲେ ମଧ୍ୟ ଅଦ୍ୟାବଧି ଗୋଟାଏ ବୁନ୍ଦା ପାଣି ଜମିକୁ ମାଡ଼ିପାରି ନାହିଁ । ଅନ୍ୟ ପକ୍ଷରେ ନିର୍ମାଣ ହୋଇଥିବା କେନାଲ ନିମ୍ନମାନର କାମ ଯୋଗୁଁ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇଗଲାଣି । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ବିଭାଗର ତଳୁ ଉପର କର୍ମଚାରୀ ଏବଂ ଠିକାଦାରମାନଙ୍କ ନିମନ୍ତେ ସୁନା ଅଣ୍ଡା ଦିଆ କୁକୁଡ଼ା ପରି କାର୍ଯ୍ୟକରୁଛି । ତେଣୁ, ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କ୍ଷମତାର ଅହଂକାରରେ ନାବାଳିକା, ଶିଶୁ ଓ ମହିଳାଙ୍କ ସୁରକ୍ଷା, ସମ୍ମାନ ଓ ସ୍ୱାଭିମାନ ପ୍ରତି ଏପରି ଚରମ ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ । ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏଦିଗରେ ଦୃଷ୍ଟି ଆକର୍ଷଣ କରାଯାଉଛି । ଏହାର ନାରାକରଣ ଓ ସ୍ଥାୟୀ ପ୍ରତିକାର କ୍ଷେତ୍ରରେ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନକରିନ୍ତି, ତେବେ ଆଗାମୀ ଦିନରେ କଂଗ୍ରେସ ଜନସାଧାରଣଙ୍କ ସହ ଯୋଗରେ ପଲ୍ଲୀରୁ ଜିଲ୍ଲା ଏବଂ ଜିଲ୍ଲାରୁ ରାଜ୍ୟସ୍ତରରେ ଓଡ଼ିଶା ବନ୍ଦ ଡାକରାରେ ଆନେ୍ଦାଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦେଇଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ପୂର୍ବତନ ସଭାପତି ଅଜୟ ମହାପାତ୍ର, ଆଇନଜୀବୀ ବିଜନ ଦାସ, ମହିଳା ମୋର୍ଚ୍ଚା ନେତ୍ରୀ ସସ୍ମୀତା ଘୋଷାଲ, ଅନିରୁଦ୍ଧ ଦାସ, ମିନକେତନ ବେହେରା, ବିଜୟ ସିଂ ପ୍ରମୁଖ ଯୋଗ ଦେଇ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ନିଜ ନିଜର ମତ ବକ୍ତ କରିଥିବା ସମୟରେ ଶତାଧିକ ନେତା ଓ ସମର୍ଥକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଏକ ପ୍ରତିନିଧି ମଣ୍ଟଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ  ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଉକ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ବହୁ ବରିଷ୍ଠ  ନେତା ଓ କର୍ମକର୍ତ୍ତାମାନଙ୍କ ଅନୁପସ୍ଥିତି ପରିଲକ୍ଷିତ ହୋଇଥିଲା ।

0
0
0
s2sdefault