ହେଡଲାଇନସ୍:

ଆଞ୍ଚଳିକ ରୋଗ ନିରୂପଣ କେନ୍ଦ୍ରରେ ଭୂଲ ରିପୋର୍ଟକୁ ନେଇ ଉତ୍ତେଜନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 


ବାରିପଦାରୁ ଦିଲ୍ଲୀପ ମହାନ୍ତି :  ମୟୂରଭଞ୍ଜ ଜିଲାରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠାକୁ  ନେଇ ରାଜ୍ୟ ସରକାର  ନାଗରା ବଜାଇ ଚାଲିଛନ୍ତି । ଏପରିକି ରାଜ୍ୟ ସ୍ଥାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କୁଆଡେ଼ ବାରିପଦା ପିଆରଏମ ମେଡ଼ିକାଲ କଲେଜକୁ ଆନ୍ତର୍ଜାତିକ ମାନର ମେଡ଼ିକାଲ କଲେଜ କରିବାର ବାହୁଷ୍ଫୁଟ ମାରି ସଭାରେ ଭାଷଣ ମାରିଥିଲେ । ଏହି ହସପିଟାଲରେ ଆତ୍ୟାଧୁନିକ ମେଶିନ ଦ୍ୱାରା ଚିକିତ୍ସା ଓ ରୋଗ ନିରୂପଣ କରାଯିବ ଏବଂ ଏଥି ନିମନ୍ତେ ରାଜ୍ୟ ସରକାର ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଥିବାର କଥା ମଧ୍ୟ କହିଥିଲେ । ମାତ୍ର ଏହି ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ଅବସ୍ଥା କହିଲେ ନ ସରେ । ଏଠାରେ ଡ଼ାକ୍ତରମାନେ ରୋଗୀମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ବଦଳରେ ସେମାନଙ୍କର ସର୍ବନାଶର ରାସ୍ତା ଦେଖାଇ ଦେଉଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲେ ମଧ୍ୟ ଏହାକୁ ସ୍ୱାସ୍ଥ୍ୟ ବିଭାଗ ଅଣଦେଖା ପ୍ରଦର୍ଶନ କରିଆସୁଥିବା ବେଳେ ଆଜି ଭୂଲ ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ପୁଣି ଥରେ ଉତ୍ତେଜନା ଦେଖା ଦେଇଛି ।
                 ୨୦୧୮ ଜାନୁଆରୀ ୧୯ ଶୁକ୍ରବାର ପୂର୍ବାହ୍ନରେ ଡ଼ାକ୍ତରବାବୁ ଗର୍ଭରେ ରହିଥିବା ପିଲାକୁ ମାରି ଦେଇଥାନ୍ତେ । ଭାଗ୍ୟବଶତଃ ଘରୋଇ କ୍ଲିନିକରେ ପରୀକ୍ଷା କରାଇବା ପରେ ପିଲାଟି ତାର ମା ପେଟରେ ଠିକଠାକ୍ ରହିଥିବାର ଜାଣିବାକୁ ପାଇଲି । ବାରିପଦା ପିଆରଏମ ମେଡ଼ିକାଲ କଲେଜରେ ଜଣେ ମହିଳାଙ୍କ ଗର୍ଭରେ ରହିଥିବା ୫ ସପ୍ତାହର ଭୃଣକୁ ନେଇ ରେଡ଼ିଓଲୋଜି  ବିଭାଗର ଡ଼ାକ୍ତରଙ୍କ ଭିନ୍ନ ଭିନ୍ନ ରିପୋର୍ଟ ମିଳିବାକୁ କେନ୍ଦ୍ର କରି ହସପିଟାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଜାନୁଆରୀ ୧୭ରେ ଏକ ଗର୍ଭବତୀ ମହିଳାଙ୍କର ଅଲଟ୍ରାସାଉଣ୍ଡ କରିବା ପରେ ଡ଼ାକ୍ତର ଏକ ରିପୋର୍ଟ ପ୍ରସ୍ତୁତ କରି ଧରାଇ ଦେଇଥିଲେ । ସେଥିରେ ଦର୍ଶାଯାଇ ଥିଲା ଉଇଦାଉଟ ହାର୍ଟର୍ ବିଟ ଏବଂ ମିସ ଆବରସନ ଅର୍ଥାତ୍ ଗର୍ଭପାତ ନିମନ୍ତେ ପରାମର୍ଶ । କିନ୍ତୁ ଗର୍ଭବତୀ ମହିଳାଙ୍କର ଏହି ରିପୋର୍ଟ ଉପରେ ସନେ୍ଦହ ହେବାରୁ ସେ ତାଙ୍କର ସ୍ୱାମୀଙ୍କ ଦ୍ୱାରା ଏକ ଘରୋଇ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ କରାଇବା ପରେ ଗର୍ଭ ଭିତରେ ଥିବା ଭୃଣ ଠିକ୍ ଠାକ୍ ରହିଥିବାର ଜଣାପଡ଼ିଥିଲା । ଏହାପରେ ସ୍ୱାମୀ ଓ ସ୍ତ୍ରୀଙ୍କ ସମେତ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ ଆଦି ପିଆରଏମ ମେଡ଼ିକାଲ କଲେଜରେ ପହଁଞ୍ଚି ହାହୋଲ୍ଲା କରିବା ପରେ ରେଡ଼ିଓଲୋଜି ବିଭାଗର ଡ଼ାକ୍ତର ୧୯.୦୧.୨୦୧୮ରେ ପୁଣି ଥରେ ମହିଳାଙ୍କ ଅଲଟ୍ରାସାଉଣ୍ଡ କରାଇଥିଲେ । ଏଥର କିନ୍ତୁ ରିପୋର୍ଟ ଭିନ୍ନ ରହିଥିଲା । ରିପୋର୍ଟରେ ଭୃଣ ୬ ସପ୍ତାହର ଏବଂ ୧୫ ଦିନ ପରେ ପୁଣି ଥରେ ଆସି ପରୀକ୍ଷା କରାଇ ନେବା ନିମନ୍ତେ ପରାମର୍ଶ ଦେଇଥିଲେ । ଏବିଷୟରେ ହସପିଟାଲର ସୁପାରିନଟେଣ୍ଡେଣ୍ଟ ପ୍ରଫେସର ଏସ ଏନ ସୋରେନ କୁହନ୍ତି, ରେଡ଼ିଓଲୋଜି ବିଭାଗର ଡ଼ାକ୍ତର ଆବୋରସନ ନିମନ୍ତେ ପରାମର୍ଶ ଦେବା ତାଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ତେଣୁ ତାଙ୍କୁ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ନିମନ୍ତେ ଡ଼ିନ ଓ ଉପରିସ୍ଥ ପଦାଧିକାରୀଙ୍କୁ ସୁପାରିଶ କରିବି ବୋଲି କହିଥିଲେ । ସେହିପରି ରେଡ଼ିଓଲୋଜି ବିଭାଗର ଡ଼ାକ୍ତର ବି ଏନ ନାୟକ କୁହନ୍ତି, ପରୀକ୍ଷା କରିବା ସମୟରେ ଭୃଣର ହାର୍ଟ ବିଟ ହେଉ ନ ଥିଲା, ତେଣୁ ତାଙ୍କୁ ୧୫ ଦିନ ପରେ ଆସିବାକୁ ପରାମର୍ଶ ଦେଇଛି, ପୁଣି ଥରେ ପରୀକ୍ଷା କରାଇ ନେବା ନିମନ୍ତେ । ପ୍ରକାଶ ଥାଉକି, ରେଡ଼ିଓ ଲୋଜି ବିଭାଗରେ ରହିଥିବା ଡ଼ାକ୍ତର ବିଶ୍ୱନାଥ ନାୟକଙ୍କ ନାମରେ ବହୁ ଅଭିଯୋଗ ରହିଥିଲେ ମଧ୍ୟ ସେ କୁଳିଖାଇ କୁଳି ମଞ୍ଜି ପୋତିବା ଭଳି କାର୍ଯ୍ୟକରିଆସୁଛନ୍ତି । ଏକ ୭୫ ବର୍ଷିୟା ରୋଗୀର ଆଟେଣ୍ଡେଣ୍ଟଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ସଂଗେସଂଗେ ଦାଦାଗିରି ଦେଖାଇ ରୋଗୀର ଅଲଟ୍ରାସାଉଣ୍ଡ  ଦେଇ ନ ଥିଲେ । ଫଳରେ ରୋଗୀ ଚିକିତ୍ସାଳୟରେ ଚିକିତ୍ସା ହୋଇ ନ ପାରି ଅଣ୍ଡର ଟେକିଂ ଲେଖି ଡ଼ିସଚାର୍ଯ୍ୟ ହୋଇଥିବାର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ, ମାନବିକ ଅଧିକାର କମିଶନ ଓ ଜିଲାପାଳଙ୍କ ନିକଟରେ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନାହିଁ ।
           

0
0
0
s2sdefault