ହେଡଲାଇନସ୍:

ଓପିଜିସିରେ ବେନିୟମ ନିଯୁକ୍ତି ପାଇଁ ଏଇଏସ ର ଜିଦ, ବଚସ୍କର ସାଜିଛନ୍ତି ସରକାରଙ୍କ ପ୍ରତିନିଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଶକ୍ତିିି ବିଭାଗ ଶକ୍ତିହୀନ, କାଢ ଯଦି ଅଛି ଅର୍ଥ-ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଦନ୍ତ କରନ୍ତୁ ତ  !!!!

ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ ) : ବାବୁଙ୍କ  ନାଁ ନିରଞ୍ଜନ ସ୍ୱାଇଁ  । ପଦବୀ ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ)  । ପୋଷ୍ଟିଂ ଓପିଜିସିର ମୁଖ୍ୟ କାର୍ଯ୍ୟାଳୟ  । ପାଠକେ ଭାବୁଥିବେ ଓପିଜିସି ମାନେ ଓଡିଶା ପାୱାର ଜେନେରେସନ କର୍ପୋରେସସନ ଓଡିଶା ସରକାରଙ୍କ ଗୋଟିଏ ନିଗମ, ଯେହେତୁ ଏଠି ରାଜ୍ୟ ସରକାରଙ୍କ ଅଂଶଧନ ୫୧% !!! ନା....ପୂରା ଭୂଲ ଭାବୁଥିବେ ପାଠକମାନେ, ଓପିଜିସିର ୪୯% ଅଂଶଧନଥିବା ଆମେରିକୀୟ କମ୍ପାନୀ ଏଇଏସ ଏବେ ଓପିଜିସିର ପ୍ରକୃତ ମାଲିକ  । ଏଠି ରାଜ୍ୟ ସରକାରଙ୍କ   ଶକ୍ତି ସଚିବ ଅଧ୍ୟକ୍ଷ, ଗ୍ରୀଡକୋ ସିଏମଡି ଓ ଓପିଜିସିର ଅର୍ଥ ନିର୍ଦ୍ଦେଶକ  ଓପିଜିସି ପରିଚାଳନା ବୋର୍ଡର୍ରେ ରାଜ୍ୟ ସରକାରଙ୍କ ପ୍ରତିନିଧି  ।  ଏଇଏସ ର ତିନିଜଣ ପ୍ରତିନିଧି  । ସେମାନେ ହେଲେ ଓପିଜିସି ଏମଡି, ଡାଇରେକ୍ଟର ଅପରେସନ ଓ ଆଉ  ଜଣେ ଏଇଏସର ମନୋନୀତ ସଭ୍ୟ  । ଉଭୟଙ୍କ ତିନି ତିନି ସଦସ୍ୟ ରହିଥିଲେ ବି ଯେହେତୁ ରାଜ୍ୟ ସରକାର ୫୧ ପ୍ରତିଶତ ଅଂଶଧନ ଅଛି, ତେଣୁ ବଡ ଭାଇ ଭାଗ ଭାବେ ଅଧ୍ୟକ୍ଷଙ୍କୁ ଅତିରିକ୍ତ ଗୋଟିଏ ଭୋଟ ଦାନର କ୍ଷମତା ରହିଛି  । ଦେଖିବାକୁ ଗଲେ ଅଧ୍ୟକ୍ଷଙ୍କ ଅଖଣ୍ଡ କ୍ଷମତା, ରାଜ୍ୟ ସ୍ୱାର୍ଥରେ ଯାହା କାର୍ଯ୍ୟ କରିବା ପାଇଁ ଯାହା ଚାହିଁବେ କରିପାରିବେ  । ହେଲେ ବାସ୍ତବିକ ସ୍ଥିତି କିନ୍ତୁ ଓପିଜିସିରେ ସେଇଆ ନୁହେଁ  । ଏଠି ଏଇଏସ ଯାହା ଚାହୁଁଛି ତାହା କରୁଛି, ସଂସ୍ଥାର ଅବସ୍ଥା ଏବେ ଯାଇ କେଉଁ ଦୟନୀୟ ସ୍ଥିତିରେ ପହଞ୍ଚିଲାଣି । ତୃତୀୟ ଚତୁର୍ଥ ୟୁନିଟ୍ ଦୂରର କଥା, ଏଇଏସର ଚକ୍ରାନ୍ତ ବା ଅପରଗତା କାରଣରୁ ସରକାର କରିଥିବା ପ୍ରଥମ ଦୁଇଟି ୟୁନିଟ୍ ମଧ୍ୟ ଅନିଶ୍ଚିତତା ଭିତରେ  । ବର୍ଷକୁ ଅଧିକାଂଶ ସମୟ ଅଚଳ ବା ଉତ୍ପାଦନ  ବନ୍ଦ । ହେଲେ ପ୍ରକୃତ ମାଲିକ ରାଜ୍ୟ ସରକାର ଚୁପ୍ ଆଉ ରାଜ୍ୟ ସରକାରଙ୍କ ପ୍ରତିନିଧିମାନଙ୍କ କାଟତି ନାହିିଁ ଅବା କିଣାବିକା ହୋଇଯାଇଛନ୍ତି  । ତେଣୁ ବୋପାମା ନଥିବା ଓପିଜିସିରେ ଏବେ ବିଦେଶୀ କମ୍ପାନୀର ପ୍ରତିନିଧି ରାଜୁତି  ଆଉ ଲୁଟ ତରାଜ ଚଳାଇଛନ୍ତି  । ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ଓପିଜିସିରେ ଏଇଏସ ଯାହା ପାରୁଛି ତାହା କରୁଛି । ଅଧ୍ୟକ୍ଷ ତଥା ରାଜ୍ୟ ସରକାରଙ୍କ ଶକ୍ତି ସଚିବ ଅସହାୟ ଅବା ମ୍ୟାନେଜଡ୍ ! ହେଲେ ସଚିବଙ୍କ ଉପରେ କିଏ, ଯାହାର ଅଭୟ ବର ବିଦେଶୀ କମ୍ପାନି ଏଇଏସ ଉପରେ ରହିଛି, ଯାହାର ପରିଣାମ ସ୍ୱରୂପ ରାଜ୍ୟ ସରକାରଙ୍କ ପ୍ରତିନିଧିମାନେ ନୀରବ ରହିବାକୁ ବାଧ୍ୟ ହେଉଛନ୍ତି  । ଜଣେ ବରିଷ୍ଠ  ଅଧିକାରୀଙ୍କ କହିବା ଅନୁଯାୟୀ ଉପରୁ ଚାପ ପଡୁଛି  । ହେଲେ ଉପର ଚାପ ଟା ସଚିବାଳୟ ତୃତୀୟ ମହଲାର ନୁହେଁତ !!! ଏଇଏସର ସ୍ୱେଚ୍ଛାଚାରିତା ସବୁ ସୀମା ଅତିକ୍ରମ କରିଯାଇଥିବା ବେଳେ ତାହାର ସ୍ୱେଚ୍ଛାଚାରିତାର ଏକ ନମୂନା ହେଲା “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି” । ରାଜ୍ୟ ସରକାରଙ୍କ ଅର୍ଥବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ଅନୁମୋଦନ କ୍ରମେ  “ମାର୍କେଟ ବେସ୍ଡ୍ ସାଲାରିି” ଲାଗୁ କରାଯାଇଥିବାବେଳେ  ଏ ଯାବତ ୧୫୭ଜଣ ମାର୍କେଟ୍ରେ ବେସ ସାଲାରୀ ନିଯୁକ୍ତ ହୋଇଛନ୍ତି  । ସବୁଠାରୁ ବଡକଥା ହେଲା ନାଁ ଶକ୍ତି ବିଭାଗ, ରାଜ୍ୟ ଅର୍ଥ ବିଭାଗ ବା ସାଧାରଣ ଉଦ୍ୟୋଗ ବିଭାଗ ପାଖରେ ତଥ୍ୟ ନାହିଁ ଯେ “ମାର୍କେଟ ବେସ୍ଡ୍ ସାଲାରି”ରେ ନିଯୁକ୍ତ କେଉଁ ଅଫିସର କେତେ ଦରମା ପାଉଛନ୍ତି । ଆଉ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲେ ବି ମୂଳ ଓପିଜିସି କର୍ମଚାରୀ ବା ଅଧିକାରୀଙ୍କ ଦରମା ତଥ୍ୟ ମିଳୁଛି ପଛକେ, “ମାର୍କେଟ ବେସ୍ଡ୍ ସାଲାରି”ରେ ନିଯୁକ୍ତ ଅଧିକାରୀଙ୍କ ଦରମାକୁ ‘କନଫିଡେନସିଆଲ୍’ ବା ଗୋପନୀୟ ବୋଲି କହି ଏଡାଇଯାଉଛି ଏଇଏସ କବ୍ଜାରେ ଥିବା ଓପିଜିସି  ।  ରାଜ୍ୟ ସରକାରଙ୍କ ନିଗମ ବା ସରକାରୀ ସଂସ୍ଥାରେ ଥିବା କର୍ମଚାରୀ ବା ଅଧିକାରୀଙ୍କ ଦରମା କେବେଠାରୁ କନଫିଡେନସିଆଲ ହେଲାଣି ତାହା ସରକାରଙ୍କୁ ଜଣା  । କିନ୍ତୁ ମାର୍କେଟବେସଡ ସାଲାରି ରାଜ୍ୟର ଅନ୍ୟ କୌଣସି ନିଗମ ବା ବୋର୍ଡ ବା ସରକାରୀ ସସ୍ଥାରେ ଲାଗୁ ହୋଇନାହିଁ  । ଜଣେ ଜଣେ ଅଧିକାରୀଙ୍କ   ଦରମା “ମାର୍କେଟ ବେସ୍ଡ୍ ସାଲାରି’ରେ ବାର୍ଷିକ ୨୬ଲକ୍ଷରୁ ୭୦ଲକ୍ଷ ମଧ୍ୟରେ  । ଦକ୍ଷତା ବୃଦ୍ଧି ପାଇଁ “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି” ଆଳ ଏଇଏସ ଦେଖାଇଥିବା ବେଳେ ଏହା ଲାଗୁ ପରେ ଓପିଜିସିର ଅବସ୍ଥା ସୁଧୁରିବା ବଦଳରେ ତଳିତଳାନ୍ତ ହେବାରେ ଲାଗିଛି  ।  ସରକାରଙ୍କୁ ସୋ ବାଜି କରି ଡିଭିଡେଣ୍ଡ ଦେଉଥିବା ବେଳେ ସେପଟେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ  ଶୁଳ୍କ ବୋଝ ଲଦିଦେଇ ଓପିଜିସିକୁ ୟୁନିଟ୍ ପିଛା ଅଧିକ ଦର ଦେବା ପାଇଁ ଗ୍ରୀଡ୍କୋ ଡିମାଣ୍ଡ କରୁଛି  । ମାନେ ଏଥିରୁ ପ୍ରମାଣିତ ହୋଇଯାଉଛି ଗ୍ର୍ରୀଡକୋର ସିଏମଡି ଯେହେତୁ ଓପିଜିସି ବୋର୍ଡର ସଦସ୍ୟ ତେଣୁ ତାଙ୍କ ମାଧ୍ୟମରେ ଏଇଏଏସ ରାଜ୍ୟ ସରକାରଙ୍କ ଠାରୁ ଅର୍ଥ ଲୁଟ କରିବା ପାଇଁ ଓଇଆରସିଙ୍କ ନିକଟରେ ଉପରୋକ୍ତ ଦାବି କରାଉଛି  । ଆମେ ସବିଶେଷ ଭାବେ ଏହାରି ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା କରିବୁ  । ହେଲେ ଆଜି ଏଠି “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି” ଆଳରେ କେମିତି ଏଏଇଏସ ରାଜ୍ୟ ସରକାରଙ୍କ ଅନ୍ଧାରରେ ରଖି ବା ତା ଗୁହାଳରେ ବାନ୍ଧି ତାହା ମନ୍ଦ ଉଦେ୍ଧଶ୍ୟ ସାଧନ କରିବା ପାଇଁ ପଥ ସୁଗମ କରୁଛି ତାହାର ଏକ ନମୂନା ଆମେ ଏଠି ରଖୁଛୁ  । ସେ ହେଉଛନ୍ତି ବାବୁ ନିରଞ୍ଜନ ସ୍ୱାଇଁ  । ସ୍ୱାଇଁ ବାବୁଙ୍କ ନଯୁକ୍ତିର କ୍ରମ ଅନୁଧ୍ୟାନ କଲେ ଜଣାପଡିବ ଯେ ସେ ୧୫୭ ବା ତଦୁଦ୍ଧ୍ୱର୍ ଅଧିକାରୀଙ୍କୁ “ମାର୍କେଟ ବେସ୍ଡ୍ ସାଲାରିରେ ନିଯୁକ୍ତି କେଉର୍ ଆଧାରେ, କେଉଁ ଆବଶ୍ୟକତାକୁ ଅଧାର କରି ବା କେଉଁ ଉଦ୍ଦେଶ୍ୟ  ରଖି କରାଯାଇଛି ତାହା ଜଳଜଳ ହୋଇ ଜଣାପଡିଯିବ  । ଆଉ ଶ୍ରୀ ସ୍ୱାଇଁ ଏତେ ପାରିବାର ଯେ ତାଙ୍କୁ ଅବସର ପରେ ପୁନଃ ନିଯୁକ୍ତି ଦେବାକୁ ଓପିଜିସି ବୋର୍ଡର ଅନୁମୋଦନ ପାଇଁ ପ୍ରସ୍ତାବ ପୁଣି ପଠାଯାଉଛି, ଥରେ ଓପିଜିସି ଅଧ୍ୟକ୍ଷଙ୍କ ଦ୍ୱାରା ସେ ପ୍ରସ୍ତାବ ଅଗ୍ରାହ୍ୟ ହୋଇଯିବା ପରେ । ହେଲେ ଏଇଏସର ଜିଦ୍ ଅଧ୍ୟକ୍ଷଙ୍କ ବାଇପାସ କରି ବା ତାଙ୍କ ଉପରେ ଚାପ ପକାଇ ଶ୍ରୀ ସ୍ୱାଇଁଙ୍କୁ ନିଯୁ୍କ୍ତି ଦିଆଇବେ  । ଯଦି ଶକ୍ତିସଚିବ ତଥା ଓପିଜିସି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କ ପୁନଃନିଯୁକ୍ତି ପ୍ରସ୍ତାବକୁ ପୁଣି ଅଗ୍ରାହ୍ୟ କରନ୍ତି ତେବେ ଏଇଏସ ସଚିବଙ୍କୁ ବାଇପାସ କରି ଏଇଏସ ପୁଣି ମାର୍କେଟ୍ ବେସ ସାଲାରିରେ ସେହି ଓପିଜିସିରେ ଖାସ କରି ଅର୍ଥ ବିଭାଗ ଦାୟିତ୍ୱରେରଖିବ ଓ ସେ ଦରମା ପରୋକ୍ଷ ଭାବେ  ଓପିଜିସିରୁ ହିଁ ଦିଆଯିବ  । ସରକାରଙ୍କୁ ବା ଶକ୍ତି ସଚିବଙ୍କୁ ସିଧା ନାକ ନଧରାଇ ପଛପଟୁ ବୁଲାଇ ନାକ ଧରାଇବା ଜିଦ୍ ରେ  ଏଇଏସ ଅଟଳ  । 

ଶ୍ରୀ ସ୍ୱାଇଁଙ୍କ ନିଯୁକ୍ତି କ୍ରମ ବିଷୟରେ ପାଠକେ ପଢିଲେ  ନିଶ୍ଚୟ ଆଚମ୍ବିତ ହେବେ  । ସରକାରୀ ବା ସରକାରଙ୍କ ଅଧୀନସ୍ଥ ସଂସ୍ଥାରୁ ଚାକିରି ଛାଡି ପୁଣି କିଛି ମାସ ପରେ ଚାକିରିରେ ଜଣେ ବ୍ୟକ୍ତି ଯୋଗଦେଲେ ତାଙ୍କର ଇସ୍ତଫା ପୂର୍ବର ବରିଷ୍ଠତା  ରହିବ ନାହିଁ ବୋଲି ବ୍ୟବସ୍ଥା ରହିଛି । ହେଲେ ଓପିଜିସିର ମାଲିକ ସାଜିଥିବା ଏଏଇଏସ୍ ଶ୍ରୀ ସ୍ୱାଇଁଙ୍କୁ ଓଜିସିସିରେ ପୂର୍ବ ପଦବୀରେ ନିଯୁକ୍ତି ଦେଲେ ତ ଦେଲେ, ସେ ଅନ୍ୟ ସଂସ୍ଥାରେ କାର୍ଯ୍ୟ କରି  ଦରମା ପାଇଥିଲେ ବି ତାହାକୁ ଏକ୍ଟଟ୍ରାଡିନାରି ଛୁଟି ଭାବେ ବିବେଚନା କରି ଛୁଟି ବାବଦ ପ୍ରାପ୍ୟ ଦେବା ସହ ତିନିବର୍ଷ ନହୋଇଥିଲେ ପଦୋନ୍ନତି ପାଇଁ ବିଚାର କରାଯିବ ନାହିଁ ବୋଲି ବ୍ୟବସ୍ଥା ସତ୍ୱେ  ଦୁଇଦୁଇଟା ପଦୋନ୍ନତି ଦେବା ଭଳି ଘଟଣା ଘଟିଥିଲା । ଏହାକୁ ତତ୍କାଳୀନ ଶକ୍ତି ସଚିବ ପ୍ରଦୀପ ଜେନା ବେନିୟମ ବୋଲି ଦର୍ଶାଇ ଆପତ୍ତି ଦର୍ଶାଇଥିଲେ  । ହେଲେ ସେ ଆପତ୍ତି ଦର୍ଶାଇବା ପରେ ପରେ ତାଙ୍କୁ ନାଟକୀୟ ଭାବେ ଶକ୍ତି ବିଭାଗରୁ ବଦଳି କରାଯାଇଥିଲା  । ହେଲେ ଏଭଳି ଅନିୟମିତତା ବିରୋଧରେ ଶକ୍ତି ବିଭାଗ ଆଜି ପର୍ଯ୍ୟନ୍ତ ଚୁପ୍ କାହିଁକି ? 

ପ୍ରାପ୍ତ ବିବରଣୀ ଅନୁଯାୟୀ ଓପିଜିସିରେ ନିରଞ୍ଜନ ସ୍ୱାଇଁ ନାମକ ଜନୈକ ମ୍ୟାନେଜର୨୭-୦୧-୨୦୦୩ ରେ ଓପିଜସିରୁ ଇସ୍ତଫା ଦେବା ନିମନ୍ତେ ଦରଖାସ୍ତ କରିଥିଲେ ଏବଂ ଓପିଜିସିର ପରିଚାଳନା ନିଦେ୍ର୍ଧଶକ ଶ୍ରୀ ସ୍ୱାଇଁଙ୍କ ଦରଖାସ୍ତକୁ ଗ୍ରହଣ କରି  ତା ୨୭-୦୨-୨୦୦୩ରେ ଓପିଜିସିରୁ ତାଙ୍କୁ ରିଲିଭ୍ କରିଥିଲେ । ରିଲିଭ୍ ହେବା ସମୟରେ ଓପିଜିସିରୁ ତାଙ୍କର ସମସ୍ତ ପ୍ରାପ୍ୟ ଅର୍ଥକୁ ନେଇଯିବା ପାଇଁ ତାଙ୍କୁ ଚିଠି ନଂ ୫୪୯ ତା. ୨୭-୦୨.୨୦୦୩ରେ ଜଣାଇ ଦେଇଥିଲେ ଓ ଶ୍ରୀ ସ୍ୱାଇଁ ତାଙ୍କର ସମସ୍ତ ପ୍ରାପ୍ୟ ଓପିଜିସିରୁ ନେଇଯାଇଥିଲେ । ମାନେ ....ଶ୍ରୀ ସ୍ୱାଇଁ ଓପିଜିସିରୁ ନିଜର ଏକାଉଣ୍ଟ ବା ପରିଚୟ କ୍ଲୋଜ୍ କରିଦେଇ ଗଲେ  ।  ଏହାପରେ ଶ୍ରୀ ସ୍ୱାଇଁ ଭାରତ ସରକାରଙ୍କର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)ରେ ଯୋଗ ଦେଇଥିଲେ । ଶ୍ରୀ ସ୍ୱାଇଁ ଓପିଜିସିରୁ ମ୍ୟାନେଜର ପଦବୀ ଛାଡି ହାଲରେ ସିନିଅର ମ୍ୟାନେଜର (ଫାଇନାନ୍ସ ସିଷ୍ଟମ ଅଡିଟ୍) ପଦବୀରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ତାଙ୍କୁ  ଓପିଜିସିର ମ୍ୟାନେଜର (ଅର୍ଥ) ପଦବୀରେ ମୋହ ଛାଡି ନଥିଲା । ଏହାପରେ ଶ୍ରୀ ସ୍ୱାଇଁ ଓପିଜିସି କର୍ତ୍ତୃପକ୍ଷଙ୍କୁ ପୁନର୍ବାର ୨୧.୦୩.୨୦୦୩ ରେ ଦରଖାସ୍ତ କଲେ କି ତାଙ୍କର ଆଉ ହାଲ୍ରେ ଚାକିରି କରିବାକୁ ଇଚ୍ଛା ନାହିଁ, ତେଣୁ ଓପିଜିସିକୁ ମ୍ୟାନେଜର ଭାବେ ଫେରିଯିବାକୁ ଚାହୁଁଛନ୍ତି  ।  ହେଲେ ଏଠି ପ୍ରଶ୍ନ ଉଠେ କେନ୍ଦ୍ର ସରକାରଙ୍କ  ସଂସ୍ଥାରେ ସିନିୟର ମ୍ୟାନେଜର ପଦବୀ ଛାଡି ଓପିଜିସିର ମ୍ୟାନେଜର ପଦବୀକୁ ପୁଣି ଫେରିବା ସକାଶେ ଶ୍ରୀ ସ୍ୱାଇଁ   ଲାଳ ଗଡାଇଲେ କାହିଁକି  ??  

ଓପିଜିସିର ତକ୍ରାଳୀନ ପରିଚାଳନା ନିଦେ୍ର୍ଧଶକ ତଥା ଏଇଏସ୍ ପ୍ରତିନିଧି  ଶ୍ରୀନିବାସ ରାଓ ଶ୍ରୀ ସ୍ୱାଇଁଙ୍କ ଆବେଦନକୁ ଗ୍ରହଣ କଲେ, କାରଣ ଶ୍ରୀ ସ୍ୱାଇଁଙ୍କ ଓପିଜିସିକୁ ପ୍ରତ୍ୟାବର୍ତ୍ତନ ଜରୁରୀ ଥିଲା ଏଇଏଏସ୍ ଓପିଜିସିରେ ଚଳାଇଥିବା କଳାକାରନାମାକୁ ଧଳା କରିବା ପାଇଁ । ତେଣୁ ଶ୍ରୀ ସ୍ୱାଇଁଙ୍କୁ ଚିଠି ନଂ ୮୧୨(୬) ତା ୨୮.୦୩.୨୦୦୩ରେ ଜଣାଇଲେ ଯେ, ଓପିଜିସିର ପରିଚାଳନା କର୍ତ୍ତୃପକ୍ଷ ଆପଣଙ୍କୁ ପୁନର୍ବାର ଓପିଜିସିକୁ ଫେରାଇ ଆଣିବାକୁ ଚାହୁଁଛନ୍ତି ଓ ଆପଣ ଆଗରୁ ଯେଉଁ ମ୍ୟାନେଜର ଫାଇନାନ୍ସ ପଦବୀରେ ଥିଲେ ସେହି ପଦବୀରେ ରହିବେ । କିନ୍ତୁ ନିମ୍ନଲିଖିତ ୬ଟି ସର୍ତ୍ତାବଳୀ ହେଲା-ଓପିଜିସିର ଦରମା ହାର ୧୧,୩୦୦-୩୨୫-୧୬,୫୦୦ ଅନୁଯାୟୀ ଆପଣଙ୍କର ମାସିକ ଦରମା ୧୪,୨୨୫ ଟଙ୍କା, ଓପିଜିସିରୁ ଚାକିରି ଛାଡିବା ଓ ପୁନର୍ବାର ଅବସ୍ଥାପିତ ହେବା ସମୟକୁ ଏକ୍ସଟ୍ରା ଅଡିନାରୀ ଛୁଟି ରୂପେ ଗଣନା କରାଯାଇ ଏହି ସମୟକୁ ନିୟମିତ କରାଯିବ ଯାହାକି ଆପଣଙ୍କର ଚାକିରି ଓପିଜିସିରେ ଥିଲା ବୋଲି ଧରାଯିବ  । ଏହି ସମସ୍ତ ଛୁଟି ଗୁଡିକର ପ୍ରାପ୍ୟ ନଗଦ ଅର୍ଥ ଆକାରରେ ଆପଣ ଓପିଜିସିରେ ଯୋଗ ଦେବା ସମୟରେ ପାଇବେ, ଆପଣ ବର୍ତ୍ତମାନ ଚାକିରୀ କରୁଥିବା କର୍ତ୍ତୃପକ୍ଷ (ହାଲ୍)ଙ୍କଠାରୁ ରିଲିଭ୍ ଅର୍ଡର ଆଣି ଦାଖଲ କରିବେ, ଆପଣ ଏହି ଚିଠି ପାଇବାର ୩୦ଦିନ ମଧ୍ୟରେ ଓପିଜିସି ଚାକିରିରେ ଯୋଗ ଦେବେ ବୋଲି ନିଯୁକ୍ତି ପତ୍ରରେ ଉଲ୍ଲେଖ ଥିଲା । ଆଉ ଏ ସର୍ତ୍ତ ଗୁଡିକ ବାସ୍ତବିକ ବିଚିିତ୍ର ଥିଲା  । କି ଉଦାର ଓପିଜିସି କର୍ତ୍ତୃପକ୍ଷ !!!! 

‘ମଳୁ ଖୋଜୁଥିଲା ଆମ୍ବିଳିପାଣି, ବଇଦ କହିଲା ଦେ ତୋରାଣୀ’ ରୀତିରେ ଉପରୋକ୍ତ ସର୍ତ୍ତାବଳୀ ଯୁକ୍ତ ଚିଠି ପାଇବା ପରେ ଶ୍ରୀ ସ୍ୱାଇଁଙ୍କର ଗୋଡ ଆଉ ତଳେ ଲାଗିଲା ନାହିଁ । ତେଣୁ ଲାଗିପଡି ୨୫.୦୪.୨୦୦୩ ତାରିଖ ଦିନ ହାଲ୍ରୁ ରିଲିଭ୍ ହୋଇ ୨୬.୦୪.୨୦୦୩ ତାରିଖରେ ଓପିଜିସିରେ ଯୋଗ ଦେଲେ । ହେଲେ ପ୍ରଶ୍ନ ଉଠୁଛି ୨୭.୨.୨୦୦୩ରେ ଶ୍ରୀ ସ୍ୱାଇଁ ଚାକିରି ଓପିଜିସିରୁ ଛାଡିଲେ କାହିଁକି ଓ ଦୁଇମାସ ପରେ ପୁଣି ଓପିଜିସିରେ ଯୋଗ ଦେଲେ କାହିଁକି ? ଏଠାରେ ପ୍ରଶ୍ନ ଉଠେ ଯେ, ଓପିଜିସି ଛାଡି ଭାରତ ସରକାରଙ୍କର ଏକ ସାଧାରଣ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନଟିକସ୍ ଲିମିଟେଡରୁ ଇସ୍ତଫା ଦେବା ପରେ ଓପିଜିସିରେ ଯୋଗ ଦେବା ସମୟରୁ କିପରି ଓ କେଉଁ ନିୟମାବଳୀରେ ଓପିଜିସି କର୍ତ୍ତୃପକ୍ଷ ଏକ୍ସଟ୍ରାଅଡିନାରୀ ଲିଭ୍ ଭାବେ ଗ୍ରହଣ କରି ଚାକିରିକୁ ନିୟମିତ କଲେ ଓ ସେହି ସମୟର ପ୍ରାପ୍ୟ ଓପିଜିସିରୁ ଶ୍ରୀ ସ୍ୱାଇଁଙ୍କୁ କେଉଁ ନିୟମ ଆଧାରରେ ପ୍ରଦାନ କଲେ? ଓପିଜିସିର ଅଫିସରମାନଙ୍କର ନିଯୁକ୍ତି ଓ ପଦୋନ୍ନତି ନିୟମାନୁଯାୟୀ ଯଦି କୌଣସି କର୍ମଚାରୀ ବା ଅଫିସର  ଚାକିରୀ ଛାଡି ପୁନର୍ବାର ପ୍ରତ୍ୟାବର୍ତ୍ତନ କରେ ତା ହେଲେ ସେ ନୂତନ ଭାବେ ନିମ୍ନ ପଦବୀରେ ଯୋଗ ଦେବା କଥା  । ଶ୍ରୀ ସ୍ୱାଇଁଙ୍କ କ୍ଷେତ୍ରରେ ଏହାର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ ହୋଇଥିଲା  । ଏହାପରେ ଶ୍ରୀ ସ୍ୱାଇଁ ତାଙ୍କର ପରାକାଷ୍ଠା ଦେଖାଇବା ପରେ ବା ଏଇଏସର ଏମିତି କଣ ଫାଇଦା ଦେବାରେ ସକ୍ଷମ ହୋଇଥିଲେ ଯେ, ତାଙ୍କୁ ତା ୨୪.୨.୨୦୦୫ରେ ସିନିୟର ମ୍ୟାନେଜର (ଅର୍ଥ) ପଦବୀକୁ ପଦୋନ୍ନତି ଦିଆଗଲା । ପ୍ରଥମେ ତାଙ୍କୁ ପୂର୍ବ ପଦବୀରେ ନିଯୁକ୍ତି ଦେବା କଥା ନୁହେଁ ପୁଣି ତିନିବର୍ଷ ପୂରି ନଥିବା ବେଳେ ଏହି ପଦୋନ୍ନତି ଦିଆଗଲା । ଏହା ହେବା ପରେ ଓପିଜିସିରେ ଅର୍ଥ ବିଭାଗରେ ଥିବା ଅଫିସରମାନଙ୍କୁ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଲା । ପରେ ଶ୍ରୀ ସ୍ୱାଇଁଙ୍କୁ ଡେପୁଟି ଜେନେରାଲ୍ ମ୍ୟାନେଜର (ଅର୍ଥ) ପଦବୀକୁ ତା ୨୪.୦୬.୨୦୦୮ରେ ପଦୋନ୍ନତି କରିଦେଲେ । ଏହା ପୁଣି ଅଢେଇ ବର୍ଷ ପରେ । ଯାହାକି ପୁଣି ଓପିଜିସି ଅଫିସରଙ୍କ ପାଇଁ ଉଦ୍ଧିଷ୍ଟ ନିଯୁକ୍ତି ଓ ପଦୋନ୍ନତିକୁ ଉଲ୍ଲଙ୍ଘନ କଲା  । ନିୟମାନୁଯାୟୀ କୌଣସି ଅଫିସର ତାଙ୍କର ମୂଳପଦବୀରେ ୩ବର୍ଷ ପୂରଣ ନକରିଥାନ୍ତି ତା ହେଲେ ତାଙ୍କର ନାମ କର୍ପୋରେସନ୍ ପ୍ରମୋସନ କମିଟି (ସିପିସି)କୁ ସୁପାରିଶ କରାଯାଇ ପାରିବ ନାହିଁ  । କିନ୍ତୁ ଶ୍ରୀ ସ୍ୱାଇଁଙ୍କ କ୍ଷେତ୍ରରେ ସବୁ ଓଲଟ ପାଲଟ ହୋଇଗଲା  । ଏହା ଦେଖି ଓପିଜିସିର ଅର୍ଥ ବିଭାଗରେ ଥିବା ଅଫିସରମାନେ ପ୍ରମାଦ ଗଣିଲେ । ଶ୍ରୀ ସ୍ୱାଇଁଙ୍କଠାରୁ ସିନିୟର ଓ ଜୁନିୟର ଥିବା ଅଫିସରମାନେ ଏଇଇଏସ୍ ପ୍ରତିନିଧିକୁ ଏ ବିଷୟରେ ଜଣାଇବା ପରେ ସେମାନେ ସୋମନଙ୍କୁ ଅସଦ ବ୍ୟବହାର କରିବାରୁ ସେମାନେ ଚୁପ୍ ରହିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଓପିଜିସିରୁ ଇସ୍ତଫା ଦେଇ ଚାଲିଗଲେ । ଯିଏ ବିରୋଧ କଲେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଗଲା । ଏଇଏସ୍ କର୍ତୃପକ୍ଷଙ୍କର ଗୁପ୍ତ ନିର୍ଦେଶ ବଳରେ ଓପିଜିସିର ସିନିୟର ଜେନେରାଲ୍ ମ୍ୟାନେଜର (ଅର୍ଥ) ନୀଳମଣି  ମହାପାତ୍ର ଓ ଡିଜିଏମ୍ ନିରଞ୍ଜନ ସ୍ୱାଇଁଙ୍କ କାର୍ଯ୍ୟକଳାପ ଏହି ଅଫିସରମାନଙ୍କୁ ବାଧି ଥିଲା  । ଶ୍ରୀସ୍ୱାଇଁଙ୍କଠାରୁ ସିନିୟରଥିବା ବିଚିତ୍ରାନନ୍ଦ ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲାବେଳେ ପ୍ରଦୀପ କୁମାର ମିଶ୍ର ଓ ପ୍ରକାଶ ଚନ୍ଦ୍ର ଜୈନ ଓ ଜୁନିୟର ଥିବା ଅଜିତ କୁମାର ପଣ୍ଡା, ଉମାବଲ୍ଲଭ ମହାପାତ୍ର, ନିହାର କୁମାର ମହାପାତ୍ର ଇସ୍ତଫା ଦେଇ ପଳାଇଲେ । ଆଉ ଏଇଏସର ଗେହ୍ଲାପୁଅ ହୋଇ ଏବେ ଶ୍ରୀ ସ୍ୱାଇଁ ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଥିବା ବେଳେ ପଦୋନ୍ନତି ପରେ ପଦୋନ୍ନତି ନେଇ  ସେ ଏବେ ସିନିୟର ଜେନେରାଲ ମ୍ୟାନେଜର (ଅର୍ଥ) ଭାବେ ଅବସ୍ଥାପିତ  । ହେଲେ ଜାନୁୟାରୀ ୩୧, ୨୦୧୮ରେ ତାଙ୍କର କାର୍ଯ୍ୟକାଳ ସରୁଥିବା ଯୋଗୁ ଏଇଏସ ମୁଣ୍ଡରେ ଚଡକ ଯେ ସେମାନଙ୍କ ଦୁର୍ନତିର ସାମ୍ରାଜ୍ୟକୁ ଜାରି ରଖିବ କିଏ । ତେଣୁ କଳେ ବଳେ କୌଶଳରେ ସେ ସବୁ କରିବାରେ ପାରିବାର ନିରଞ୍ଜନ ସ୍ୱାଇଁଙ୍କୁ ପୁନଃନିଯୁକ୍ତି ଦେବାକୁ ପ୍ରାଣପଣେ ଉଦ୍ୟମ ଚଳାଇଛି ଏଇଏସ  । ଅନିୟମିତତା ଆଧାରରେ ନିଯୁ୍କ୍ତି ପାଇଥିବା ନିରଞ୍ଜନଙ୍କ ପୁନଃନିଯୁକ୍ତି ପ୍ରସଙ୍ଗକୁ ନେଇ ଫରଚୁ୍ୟନ ଟାୱାରଠାରୁ ଆରମ୍ଭ କରି ଇବ୍ ଥର୍ମାଲ ବନହରପାଲ୍ଲୀ ପର୍ଯ୍ୟନ୍ତ ଚହଳ ପଡିଥିବା ବେଳେ ଦେଖିବାକୁ ବାକି ରହିଲା ଏଇଏସ ହାରୁଛି ନା ସରକାର ହାରୁଛନ୍ତି ।  ହେଲେ ଏଠି ଉଲ୍ଲେଖ କରିବାକୁ ଚାହୁଁ ମାର୍କେଟ ବେସ ସାଲାରିରେ ନିଯୁକ୍ତ ହୋଇଥିବା କିଛି ଅଧିକାରୀ ଏବେ କହିବା ଆରମ୍ଭ କଲେଣି ‘ଦରମା ତ ଓପିଜିସିରୁ ନେଉଛୁ, ହେଲେ କିଛି କାମ ଏଠି ନଥିବାରୁ ଆମେ କାମ ଭୁଲିଗଲୁଣି ଓ ଆମ କ୍ରିଏଟିଭିଟି ବା ଦକ୍ଷତା ଏବେ ପୋଡିବାକୁ ବସିଲାଣି  ।’ ତେଣୁ  ସରକାର ବା ଖାସ କରି ଅର୍ଥ ଓ ସାଧାରଣ ଉଦ୍ୟୋଗ ବିଭାଗ  ମନ୍ତ୍ରୀଙ୍କର ଯଦି ବାସ୍ତବିକ କିଛି କ୍ଷମତା ଅଛି ତେବେ ମାର୍କେଟ ବେସ ସାଲାରି କେଳେଙ୍କାରୀର ତଦନ୍ତ କରନ୍ତୁ , ଜଣାପଡିବ  ଏଇ ଗୋଟିଏ ଦୁର୍ନୀତି ନୁହେଁ, ଦୁର୍ନୀତିର ପାହାଡ ଉପରେ ବସିଛି ଓପିଜିସି  ।

0
0
0
s2sdefault