ହେଡଲାଇନସ୍:

ସାନ୍ତାଳ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

Baripada/Dillip Mohanty  ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ଆଦିବାସୀମାନଙ୍କ ମଧ୍ୟରେ ସାନ୍ତାଳ ଜନଜାତି ସମ୍ପ୍ରଦାୟ ଅନ୍ୟତମ । ଏହି ସାନ୍ତାଳ ଜନଜାତି ସମ୍ପ୍ରଦାୟ ବଣ ଜଙ୍ଗଲଠାରୁ ଆରମ୍ଭ କରି ସହରୀ ସଭ୍ୟତା ମଧ୍ୟରେ ନିଜକୁ ଖାପ ଖୁଆଇ କର୍ମମୟ ଜୀବନ ଜୀବିକା ନିର୍ବାହରେ ସିଦ୍ଧ ହସ୍ତ । ବହୁ ବର୍ଷ ପୂବର୍ରୁ ଜଙ୍ଗଲରୁ ଫଳମୂଳ ସଂଗ୍ରହ ସହିତ କୃଷି କର୍ମରେ ଜଡ଼ିତ ରହିଥିଲେ ମଧ୍ୟ ନିଜର ପାରମ୍ପରିକ ଜୀବନଯାପନ ଶୈଳୀକୁ ଅନେକାଂଶରେ ପରିହାର ପୂର୍ବକ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନିମନ୍ତେ ଚେଷ୍ଟିତ । ସାନ୍ତାଳ ସମ୍ପ୍ରଦାୟର ଜନସାଧାରଣ ସାଧାରଣତଃ ସ୍ୱଭାବରେ ସରଳ, କର୍ମଠ ଓ ଧର୍ମ ବିଶ୍ୱାସୀ ହୋଇଥାନ୍ତି । ଶ୍ରମ ପ୍ରତିବଦଳରେ କିଏ କଣ ଦେଲା, ତାର ହିସାବ କିତାବ ଏମାନେ କରୁନଥିବା ଫଳରେ ଉକ୍ତ ଜନଜାତିର ପ୍ରଗତିର ରଥ ଆଶାନୁରୂପ ଭାବେ ଆଗକୁ ଅଗ୍ରସର ହୋଇପାରି ନାହିଁ । ପ୍ରକୃତିକୁ ନିଜର ଈଷ୍ଟ ଦେବୀ ଭାବେ ପୂଜାର୍ଚ୍ଚନା କରିଆସୁଛନ୍ତି । ପରିବାରରେ କୌଣସି ସଂସ୍କାର କାର୍ଯ୍ୟରେ ବ୍ରାହ୍ମଣ ପ୍ରବେଶ ପ୍ରଥା ପ୍ରଚଳିତ ନ ଥିବା କାରଣରୁ ସମ୍ପ୍ରଦାରରେ ଧର୍ମୀୟ ଅନୁÂାନ, ସଂସ୍କାର କାର୍ଯ୍ୟଗୁଡ଼ିକ ଅଦ୍ୟାବଧି ଭିନ୍ନ ଦୃଷ୍ଟିରେ ଆକଳନ କରାଯାଇ ଆସୁଅଛି । ମାତ୍ର ଏହା ମଧ୍ୟରେ ଯେଉଁ କର୍ମକାଣ୍ଡ ପରିପୂର୍ଣ୍ଣ ରହିଛି, ତାହା ଅତ୍ୟନ୍ତ ଉପଭୋଗ୍ୟ ଓ ଭିନ୍ନ ମୂଲ୍ୟବୋଧର ପରିଚୟ ସୃଷ୍ଟି କରାଇଥାଏ । ଏହା ମଧ୍ୟରେ ସାନ୍ତାଳ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନ ପର୍ବ “ଦାମୋଦର ଯାତ୍ରା” ଏକ ଅଂଶ ବିଶେଷ । 

              ଦାମୋଦର ଯାତ୍ରା କହିଲେ ମୁଖ୍ୟତଃ ସାନ୍ତାଳ ସମ୍ପ୍ରଦାୟର ସାମୂହିକ ଅସ୍ଥି ବିସର୍ଜନ(ଜାଙ୍ ବାହା ତୁପୁ)କୁ ବୁଝାଇ ଥାଏ । ଏହା ମୃତୁ୍ୟ ସଂସ୍କାରର ଶେଷ ପର୍ବ ଭାବେ ଗ୍ରହଣୀୟ । ଉକ୍ତ ସସ୍କାର କାର୍ଯ୍ୟକୁ କେହି କେହି ଦୂର ଯାତ୍ରା(ଜିଲିଞ୍ଜ ଡାହାର) ବୋଲି କହିଥାନ୍ତି । ଦୂର ଯାତ୍ରା କହିଲେ ଯାହାର ଅନ୍ତ ବା ଶେଷ ନ ଥାଏ । ପୂର୍ନବାର ମିଳନର ସମ୍ଭାବନା ନ ଥାଏ । ଜନ୍ମ ଲୋକରୁ ମୃତୁ୍ୟ ଲୋକକୁ ଆତ୍ମାର ଯାତ୍ରା । ଜୀବନ ଚକ୍ରର ଆବର୍ତ୍ତନରେ ପଡ଼ି ତିନି ପୁରୁଷ ପରେ ପ୍ରତ୍ୟାବର୍ତ୍ତନର ବିଶ୍ୱାସ ରହିଥାଏ ଓ ଏହି ପ୍ରତ୍ୟାବର୍ତ୍ତନ ପରେ ମନୁଷ୍ୟର ପୂର୍ବ ରୂପ ରହି ନ ଥାଏ ; ମାତ୍ର ପୂର୍ବ ନାମକୁ ନେଇ ଫେରି ଆସି ଥାଏ । ଏହି ଧାର୍ମିକ ବିଶ୍ୱାସ ସାନ୍ତାଳ ସମ୍ପ୍ରଦାୟ ମଧ୍ୟରେ ରହିଆସିଥିବାରୁ ଜେଜେ ବାପା ନାମରେ ନାତି ଓ ଜେଜେ ମା ନାମରେ ନାତୁଣୀର ନାମ କରଣ କରାଯାଇ ଥାଏ । ଏଥି ନିମନ୍ତେ ମୃତୁ୍ୟ ପରେ ପାର୍ଥିବ ଶରୀରକୁ ଗ୍ରାମ୍ୟ ମୁଖ୍ୟଙ୍କ ପୌରହିତ୍ୟରେ ଦାୟ ଅଥବା ମାଟି ତଳେ ପୋତି ଶୁଦ୍ଧିକ୍ରିୟା କରାଯିବା ପରେ ଆତ୍ମାର ସ୍ୱାଗତ(ଉମୁଲ ଆଦେର) ଭିନ୍ନ ଶୈଳିରେ ସମ୍ପାଦନ କରାଯାଇ ଥାଏ । ସାନ୍ତାଳ ସମ୍ପ୍ରଦାୟର ଧାର୍ମିକ ବିଶ୍ୱାସ ଅନୁସାରେ , ମୃତୁ୍ୟ ପରେ ଆତ୍ମା ସୂକ୍ଷ୍ମ ରୂପରେ ଆଭ୍ୟନ୍ତର ଗୃହରେ ଅବସ୍ଥାନ କରେ ଓ ଅବସର ନେଇ ପୂଜାପାଠ ପାଇ ଥାଏ । ମୃତୁ୍ୟ ଲୋକରୁ ଜନ୍ମ ଲୋକକୁ ପ୍ରତ୍ୟାନର୍ତ୍ତନ ସମୟରେ ଏକାକୀ ଅବସ୍ଥାନ ନ କରୁ ଏହି ଭାବନାର ବଶବର୍ତ୍ତି ହୋଇ ସାନ୍ତାଳ ସମ୍ପ୍ରଦାୟ ମହା ଆଡ଼ମ୍ବର ସହକାରେ ଦାମୋଦର ଯାତ୍ରା କରିଥାନ୍ତି ଏବଂ ଏହା ଗୋଟାଏ ପୁରୁଷ ଅଥବା ଗୋଟାଏ ଅଞ୍ଚଳ ଭିତରେ ଆୟୋଜନ କରାଯାଇ ଥାଏ । ପ୍ରତ୍ୟେକ ସାନ୍ତାଳ ପରିବାର ସେମାନଙ୍କର ଆତ୍ମୀୟ କିମ୍ବା ପରିଜନଙ୍କର ମୃତୁ୍ୟ ହେଲେ ତାଙ୍କର ଅସ୍ଥିକୁ ଗଙ୍ଗା ନଦୀରେ ବିସର୍ଜନ କରାଇବା ଉଦେ୍ଧଶ୍ୟରେ ମାଟି ତଳେ ପୋତି ରଖୁଥିବା ସମୟରେ ନିଜ ନିଜର ସାମଥ୍ୟ ଓ ସୁବିଧା ଅନୁସାରେ ନିର୍ଦ୍ଧିଷ୍ଟ ସମୟ ଯଥା ୨/୩/୪ ଅଥବା ୫ ବର୍ଷର ସଙ୍କଳ୍ପ ନେଇ ଥାନ୍ତି । ମାତ୍ର ସମୟ ସମୟରେ ନିଜର ଅକ୍ଷମତା କାରଣରୁ ଅସ୍ଥି ବିସର୍ଜନ କରାଇବା ନିମନ୍ତେ ନେଇଥିବା ସଙ୍କଳ୍ପର ସମୟସୀମା ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥାଏ । ଫଳରେ ଅସ୍ଥି ମାଟି ଭିତରେ ବର୍ଷ ବର୍ଷ ରହି ଅବକ୍ଷୟ କାରଣରୁ ମାଟିରେ ମିଶି ଯାଇ ଥାଏ । ଏହାକୁ ଅସ୍ଥି ଅନ୍ତର୍ଦ୍ଧାନ ହେବାର ବିଶ୍ୱାସ କରାଯାଏ । ଯେଉଁମାନେ ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରାଇବା ନିମନ୍ତେ ଆର୍ଥିକ ସ୍ୱଚ୍ଛଳ ହୋଇ ନ ଥାନ୍ତି ସେମାନେ ବିଭିନ୍ନ ନଦୀର ସଙ୍ଗମ ସ୍ଥଳରେ ବିସର୍ଜନ କରାଇ ଥାନ୍ତି । 

             ବାରିପଦା ପୌରପରିଷଦର ୯ ନମ୍ବର ୱାଡର଼୍ ଉପକଣ୍ଠସ୍ଥିତ ବୁଢ଼ାବଳଙ୍ଗ, ଜରାଳୀ ଓ ସରାଳୀ ନଦୀର ସଙ୍ଗମ ସ୍ଥଳୀ ବାରୁଣୀ ଘାଟଠାରେ ମକର ସଂକ୍ରାନ୍ତିର ପରବର୍ତ୍ତି ଦୁଇ ଦିନ ଧରି ମୟୂରଭଞ୍ଜ ଜିଲା ସହିତ ଓଡ଼ିଶା ତଥା ଓଡ଼ିଶା ବାହାରର ରାଜ୍ୟରୁ ଲକ୍ଷାଧିକ ସାନ୍ତାଳ ସମ୍ପ୍ରଦାୟର ଜନସାଧାରଣ ଅସ୍ଥି ବିସର୍ଜନ ପୂର୍ବକ ପିଣ୍ଡଦାନ ନିମନ୍ତେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନଙ୍କ ଶାସନ ସମୟରେ ଆସୁଛନ୍ତି । ଏଥି ସହିତ ଜିଲାର ବାମନଘାଟି ଉପଖଣ୍ଡର ଖଡ଼କେଇ, ପଞ୍ଚପୀଢ଼ ଉପଖଣ୍ଡର ବୈତରଣୀ ନଦୀ, ଭୀମକୁଣ୍ଡରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୫ରୁ ପୂର୍ବ ନିର୍ଣ୍ଣୟ ବା ସଙ୍କଳ୍ପ ଅନୁସାରେ ଅସ୍ଥି ବିସର୍ଜନ ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲି ଥାଏ । 

            ସାନ୍ତାଳ ସମ୍ପ୍ରଦାୟର ସମସ୍ତ କାର୍ଯ୍ୟ ଗ୍ରାମ୍ୟ ମୁଖ୍ୟ(ସମ୍ପ୍ରଦାୟର ମୁଖ୍ୟ) ବା ଜାଗ ମାଝିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମ୍ପାଦିତ ହୋଇଥାଏ । ଏଥି ନିମନ୍ତେ ପ୍ରଥମେ ଗ୍ରାମରେ ଏକ ବୈଠକ ବସିଥାଏ । ଏଥିରେ ପରଲୋକ ଗମନ କରିଥିବା ବ୍ୟକ୍ତିଙ୍କ ପରିବାରର ସଦସ୍ୟମାନେ ଯୋଗ ଦେଇ ଥାନ୍ତି । ବୈଠକରେ ଜଣେ ଦାସୀ ପଡ଼ିବା ପରେ ପରଲୋକ ଯାତ୍ରା କରିଥିବା ବ୍ୟକ୍ତିଙ୍କ ଆତ୍ମା ଦାସୀଙ୍କ ଶରୀରରେ ସବାର ହେଉଥିବାର ଧାର୍ମିକ ବିଶ୍ୱାସ ରହିଆସିଛି । ଏହି ସମୟରେ ଦାସୀଙ୍କୁ କଣ ଖାଇବୁ ଓ ନେବୁ ବୋଲି ପ୍ରଶ୍ନ କରାଯାଇ ଥାଏ । ଦାସୀଙ୍କ ଉତ୍ତର ଅନୁସାରେ  ସେହି ସମସ୍ତ ଦ୍ରବ୍ୟଗୁଡ଼ିକୁ ଯୋଗାଡ଼ କରାଯାଇ ଦାମୋଦର ମେଳାରେ ପୁରୋହୀତଙ୍କୁ ଦାନରେ ପ୍ରଦାନ କରିଥାନ୍ତି । ଅସ୍ଥି ବିସର୍ଜନ ପୂର୍ବରୁ ପ୍ରଥମେ ନିଜ ନିଜ ଗ୍ରାମରେ ଶୁଦ୍ଧିକ୍ରିୟା ଶେଷ କରି ଅସ୍ଥି ପୁଷ୍ପକୁ ନେଇ ଗ୍ରାମ ମୁଣ୍ଡର ଛକରେ ସମସ୍ତେ ଏକତ୍ରିତ ହେବା ପରେ ଅସ୍ଥି ବିସର୍ଜନ କରିବାକୁ ଯାଉଥିବା ବ୍ୟକ୍ତି  ନୂଆ ବସ୍ତ୍ର ପରିଧାନ କରି ମୁଣ୍ଡରେ ପଗଡ଼ି ଭିଡ଼ି ତିନି ଗୋଟି କେଳୁକାଠି ଉପରେ ଅସ୍ଥିକୁ ଟେକି ଧରିବା ପରେ ପରିବାରର ମହିଳାମାନେ ହଳଦୀ ପାଣି ଓ କ୍ଷୀର ଢ଼ାଳି ଶେଷ ବିଦାୟ ଜଣାଇଥାନ୍ତି । କେହି କେହି ହାଣ୍ଡିଆ ରସି ଓ ପାଣି ଢ଼ାଳୁଥିବାର ଦେଖିବାକୁ ମିଳି ଥାଏ । ଏହାପରେ ଅସ୍ଥି ବିସର୍ଜନକାରୀ ଅସ୍ଥିକୁ ୩ ଥର ପ୍ରଦକ୍ଷଣ କରି ହରିବୋଲ(ହିର୍ଲା ମାରାଂ ବୁରୁ) ଧ୍ୱନୀ ସହିତ ଅସ୍ଥିକୁ ଧରି ଏକ ମୁହାଁ ହୋଇ ଆଗକୁ ବଢ଼ିଥାନ୍ତି । ଏହା ଏକ ଦୁଖଦ ଘଟଣା ହୋଇଥିଲେ ମଧ୍ୟ ଧୂମଷା, ମାଦଳ, ଚାଙ୍ଗୁ, କେନ୍ଦ୍ର, ବଇଁଶୀ ଆଦି ବଜାଇ ଗୀତ ଗାଇ ଦାମୋଦର ଯାତ୍ରାରେ ବାହାରି ଦାମୋଦର ଘାଟରେ ପହଁଞ୍ଚି ନିତ୍ୟକର୍ମ ଶେଷ କରି ନଦୀଗର୍ଭଗକୁ ପଇସା ଫିଙ୍ଗି ଅସ୍ଥି ବିସର୍ଜନ କରିଥାନ୍ତି । ଏହା ପରେ ନଦୀକୂଳରେ ବାଲିଦ୍ୱାରା ପୀଠଟିଏ ନିର୍ମାଣ କରି ଚାରି କୋଣରେ ୪ଟି ଶାଳ ଓ ଜାମୁ ଡ଼ାଳ ପୋତି ଏହାର ୩ ପାଶ୍ୱର୍କୁ ୭ ଘେରା ସୂତା ଗୋଡ଼ାଇଥାନ୍ତି । ଖୋଲା ରହିଥିବା ଗୋଟାଏ ପାଶ୍ୱର୍ରେ ୭ଟି ପତ୍ରରେ ଚୁଡ଼ା, ପିଠା ଆଦିକୁ ମୃତ ବ୍ୟକ୍ତିଙ୍କ ନାମରେ ଓ ସାନ୍ତାଳ ସମ୍ପ୍ରଦାୟର ଆରାଧ୍ୟ ଦେବତା ମାରାଂବୁରୁ ପୁରୁଧୁଲଙ୍କ ଉଦେ୍ଧଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ଅସ୍ଥିବିସର୍ଜନ ପର୍ବ ସମୟରେ ନଦୀ ଘାଟରେ ମୃତ ବ୍ୟକ୍ତିଙ୍କ ଚେହେରା ସହିତ ସାମଞ୍ଜସ୍ୟ ରହିଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦେଖିବାକୁ ପାଇଲେ ପରିବାରର ସଦସ୍ୟମାନେ ତାଙ୍କୁ ବିଭିନ୍ନ ପ୍ରକାରର ଉପଢୌକନ  ପ୍ରଦାନ ପୂର୍ବକ ଆପ୍ୟାୟିତ କରାଇଥାନ୍ତି । ପରମ୍ପରା ଓ ପ୍ରଚଳିତ ପ୍ରଥା ଅନୁସାରେ ଅସ୍ଥି ବିସର୍ଜନ ପର୍ବ ଶେଷ କରି ପୂଜାବଶେଷ ଦ୍ରବ୍ୟକୁ ପ୍ରସାଦ ଭାବେ ଗ୍ରହଣ କରି ଭୋଜି ଖାଇ ଘରକୁ ଫେରନ୍ତି । ଏହି ସମୟରେ ଗ୍ରାମ ମୁଣ୍ଡରେ ଗ୍ରାମ ମୁଖିଆ ମାଝି ଏମାନଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥାନ୍ତି । ଯାତ୍ରୀମାନଙ୍କ ପାଦକୁ ପାଣିରେ ଧୋଇ ତେଲ ଲଗା ଯିବା ପରେ ଏକ ଧଳା କୁକୁଡ଼ା ପୂଜା କରାଯାଇ ତାର ମାଂସକୁ ରୋଷେଇ କରି ସମସ୍ତେ ଖାଇଥାନ୍ତି ।

          ଦାମୋଦର ଯାତ୍ରାକୁ ନେଇ ପ୍ରଚଳିତ ଲୋକକଥାରୁ ଜଣାପଡେ଼, ସାନ୍ତାଳ ସମ୍ପ୍ରଦାୟର ଅଦିଭୂମି ଦାମୋଦର ଉପତ୍ୟକା ଅଟେ । ବହୁକାଳ ଯାଯାବର ଜୀବନ ଯାପନ ନିଜକୁ ପ୍ରଥମେ ସତ୍ଗାଳ(ସାତ୍ୱର୍ତ)ଠାରେ ପ୍ରତିଷ୍ଠିତ  ହୋଇଥିଲେ । ଦାମୋଦର ଉପତ୍ୟକାର ଏହି ସତ୍ଗାଳ ସମ୍ପ୍ରଦାୟ ନିମନ୍ତେ  ସମସ୍ତ କ୍ଷେତ୍ରରେ ଶୁଭ ଓ ମଙ୍ଗଳଦାୟକ ହୋଇପାରିଥିଲା । ସେଠାରେ ପ୍ରଥମେ ନିଜକୁ ଓ ସମ୍ପ୍ରଦାୟକୁ ପ୍ରଥମ ଥର ଚିହ୍ନିଲେ ଓ ଜାଣିଲେ । ତେଣୁ ସେମାନେ ଉକ୍ତ ସ୍ଥାନରୁ  ବିଚ୍ୟୁତ ନହେବା ନିମନ୍ତେ ସଂକଳ୍ପବଦ୍ଧ ହୋଇଥିଲେ । କାଳକ୍ରମେ ସ୍ଥାନାଭାବ ସହିତ ଜୀବିକା ଅନ୍ୱେଷଣରେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇ ଥିଲେ ମଧ୍ୟ ସ୍ଥାନ ସହିତ ସମ୍ପର୍କ ରଖିଆସିଥିଲେ । ଏପରିକି ମୃତ୍ୟୁ  ପରେ ମଧ୍ୟ ନିଶ୍ଚିତ ଭାବେ ମୃତ ବ୍ୟକ୍ତିର ଅସ୍ଥିକୁ ଦାମୋଦର ନଦୀରେ ହିଁ ବିସର୍ଜନ କରିଆସୁଥିଲେ । ସମୟାନ୍ତରରେ ଦୂରଦୂରାନ୍ତକୁ ସ୍ଥାନାନ୍ତରିତ ହୋଇଯିବା ଦ୍ୱାରା ଦାମୋଦର ନଦୀରେ ଅସ୍ଥି ବିସର୍ଜନ ଏକ ବ୍ୟୟ ବହୁଳ ସମସ୍ୟା ଭାବେ ସମ୍ପ୍ରଦାୟର ଭାବନାରେ ପ୍ରାଚୀର ସାଜିଲା । ତେଣୁ ଆର୍ଥି କ୍ଷେତ୍ରରେ ଅକ୍ଷମ ପରିବାର ପକ୍ଷରେ ଅସମ୍ଭବ ହୋଇପଡ଼ିବାରୁ ବିକଳ୍ପ ଭାବେ ସାନ୍ତାଳ ସମ୍ପ୍ରଦାୟ ବସବାସ କରିଆସୁଥିବା ଜନବସତିର ନିକଟସ୍ଥ ନଦୀ ବା ନଦୀର ସଙ୍ଗମସ୍ଥଳକୁ ଅସ୍ଥି ବିସର୍ଜନ ନିମନ୍ତେ ଉପଯୁକ୍ତ ସ୍ଥାନ ବୋଲି ବିବେଚନା କରିଥାନ୍ତି ଏବଂ ଏହି ବିସର୍ଜନ ସମୟରେ ନଦୀ ଗର୍ଭକୁ ସିକା ଫିଙ୍ଗି ନଦୀ ଘାଟକୁ କିଣି ଦାମୋଦର ନଦୀର ନାମ ଦେଇଥାନ୍ତି । ଏହାହିଁ ସାନ୍ତାଳ ସମ୍ପ୍ରଦାୟଙ୍କ ଦାମୋଦର ଯାତ୍ରାର ଗୁଢ଼ତତ୍ୱ ।

0
0
0
s2sdefault