ହେଡଲାଇନସ୍:

ବାତ୍ୟା ପୀଡିତଙ୍କ ଉଦ୍ଦେଶ୍ୟରେ ଆର୍ଥିକ ସହାୟତା ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର(ଉଜ୍ଜ୍ୱଳ କର  ): ଫୋନି ବାତ୍ୟାରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ସହରରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଭରଣା ପାଇଁ ବିଭିନ୍ନ ମହଲରୁ ଏବେ ସହଯୋଗ ଦିଆଯାଉଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ବାଲେଶ୍ୱରର ଅନୁଷ୍ଠାନମାନେ । ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ ସଂଘ, ବାଲେଶ୍ୱର ଶାଖା ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ଥଇଥାନ ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ସଂଗଠନର ସଭାପତି ଧୀରେନ୍ଦ୍ର ନାରାୟଣ ଦାସ, କାର୍ଯ୍ୟକାରୀ ସଭାପତି ବଂଶୀଧର ମହାପାତ୍ର, ଉପ-ସଭାପତି ଇଂ ସୁରେନ୍ଦ୍ର ନାଥ ଦାସ, ସମ୍ପାଦକ ଇଂ ବନମାଳି ନାୟକଙ୍କ ସମେତ ବିଭିନ୍ନ ବ୍ଲକ ଶାଖା କମିଟିର ସମ୍ପାଦକ ଓ ସଭାପତିମାନେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ସାକ୍ଷାତ ସହ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ବାତ୍ୟା ପ୍ରପୀଡ଼ିତ ଅଞ୍ଚଳବାସୀ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳତିପାତ କରୁଥିବା ବେଳେ ସେମାନଙ୍କର ପୁନର୍ବସତି ପାଇଁ ମାନବିକତା ଦୃଷ୍ଟିରୁ ସକ୍ଷମତା ଅନୁସାରେ ସମସ୍ତେ ସହାୟତାର ହାତ ବଢ଼ାଇବାକୁ ସଂଗଠନର କର୍ମକର୍ତ୍ତମାନେ ଆହ୍ୱାନ ଦେଇଥିଲେ । ସେହିପରି ଜାତୀୟ ପୂର୍ବତନ ସୈନିକ ସମନ୍ୱୟ ସମିତି ପକ୍ଷରୁ  ମଧ୍ୟ ବାତ୍ୟା ପ୍ରପୀଡ଼ିତଙ୍କ ଉଦେ୍ଧଶ୍ୟରେ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସଂଗଠନର କାର୍ଯ୍ୟକାରୀ ସଭାପତି ପଦ୍ମଲୋଚନ ଜେନା, ସହ-ସାଧାରଣ ସମ୍ପାଦକ ଜୟନ୍ତ କୁମାର ରଣଜିତ୍ ପ୍ରମୁଖ ଜିଲ୍ଲାପାଳ ଶ୍ରୀ ରାଉତଙ୍କୁ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସମସ୍ତଙ୍କ ସହଯୋଗ ରହିିଲେ ବାତ୍ୟା ପ୍ରପୀଡ଼ିତଙ୍କ ପୁନଃ ଥଇଥାନ ଏକ ସମସ୍ୟା ହୋଇ ରହିବ ନାହିଁ ବୋଲି ସେମାନେ କହିଥିଲେ । ଜିଲ୍ଲାପାଳ ଶ୍ରୀ ରାଉତ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ବଦାନ୍ୟତାକୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କୁ ପ୍ରେରଣା ଦେବ ବୋଲି ଆଶା ପ୍ରକାଶ କରିଥିଲେ ।

0
0
0
s2sdefault