ବାତ୍ୟା ମୁକାବିଲା ପାଇଁ ଉଚ୍ଚସ୍ତରୀୟ ବୈଠକ, ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କର ଛୁଟି ବାତିଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହଜୁଦ ରଖାଯାଇଛି ଆବଶ୍ୟକୀୟ ଔଷଧ , ଖୋଲାଯିବ ଡାକ୍ତରୀ ରିଲିଫ କେନ୍ଦ୍ର ,ମୁତୟନ ହେବେ ଡାକ୍ତରୀ ଦଳ 

ଭୁବନେଶ୍ୱର(ଶାସକ ପ୍ରଶାସକ) - ସମ୍ଭାବ୍ୟ ବାତ୍ୟା ""ଫୋନି''କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ  ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟସେବା ବଜାୟ ରଖିବା ସହିତ ଲୋକମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ବିଭାଗ ପ୍ରସ୍ତୁତ । ଏ ନେଇ ଆବଶ୍ୟକୀୟ ପ୍ରସ୍ତୁତି ସହିତ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ସମସ୍ତ ଡାକ୍ତର ଓ ଅନ୍ୟ କର୍ମଚାରୀମାନଙ୍କର ଛୁଟି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି ଏବଂ ଯେଉଁମାନେ ଛୁଟିରେ ଅଛନ୍ତି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । 

ଆବଶ୍ୟକୀୟ ଔଷଧ , ସାପକାମୁଡା ଇଂଜେକ୍ସନ ଠାରୁ ଆରମ୍ଭ କରି ସାଲାଇନ,ହାଲୋଜେନ ବଟିକା ଆଦି ମହଜୁଦ ରଖିବାକୁ କୁହାଯାଇଛି । ଅଣପ୍ରଭାବିତ ଅଂଚଳମାନଙ୍କରୁ ପ୍ରଭାବିତ ଅଂଚଳମାନଙ୍କରେ ଡାକ୍ତର ଆଦି ମୁତୟନ କରିବା ନିମନ୍ତେ ଦକ୍ଷେ ଗ୍ରହଣ କରାଯାଇଛି । ଦରକାର ପଡିଲେ ମେଡିକାଲ କଲେଜ ଓ ହସପିଚାଲ ମାନଙ୍କରୁ ମଧ୍ୟ ଡାକ୍ତରୀ ଦଳକୁ ପ୍ରଭାବିତ ଅଂଚଳମାନଙ୍କରେ ମୁତୟନ କରାଯିବ । ଆମ୍ବୁଲାନ୍ସ ସମେତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ପ୍ରସ୍ତୁତ  ରହିବେ ଏବଂ ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯିବା ପାଇଁ ତୁରନ୍ତ ଦକ୍ଷେ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି । 

ରାଜ୍ୟସ୍ତରରୁ ଜିଲ୍ଲା ଓ ବ୍ଲକସ୍ତର  ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ନୋଡାଲ ଅଫିସରମାନଙ୍କୁ ନିୟୋଜିତ କରାଯାଇଛି । ବିଦ୍ୟୁତ ସରବରାହ ବ୍ୟାହତ ହେଲେ ପାୱାର ବ୍ୟାକ୍ଅପ୍ ବ୍ୟବସ୍ଥା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀ ମହିଳାମାନଙ୍କ ତାଲିକା ଅନୁଯାୟୀ ପ୍ରସବ ଦିନକୁ ଦୃଷ୍ଟିରେ ରଖି ସେମାନଙ୍କୁ ମା'ଗୃହରେ ଆଣି ରଖିବା କିମ୍ବା ସ୍ୱାସ୍ଥ୍ୟ ଅନୁଷ୍ଠାନକୁ  ପଠାଇବା କାର୍ଯ୍ୟ ଆରମ୍ଭ କରାଯାଉଛି । ବାତ୍ୟା ପରବର୍ତି ସମୟରେ ପାନୀୟ ଜଳ ଉତ୍ସଗୁଡିକର ତୁରନ୍ତ ବିଶୋଧନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି । ମ୍ୟାଲେରିଆ , ଡାଏରିଆ , ଡେଙ୍ଗୁ ଆଦି ସଂପର୍କରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ଏବଂ କୌଣସି ସ୍ଥାନରେ ଯେପରି ମହାମାରୀ ଦେଖା ନଯାଏ ସେ ନେଇ ସଜାଗ ରହିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏ ସବୁ ସଂପର୍କରେ ପ୍ରତି ଦିନ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ପ୍ରଦାନ କରିବା ନିମନ୍ତେ କୁହାଯାଇଛି । 

ବାତ୍ୟା ପୂର୍ବରୁ , ବାତ୍ୟା ସମୟରେ ଏବଂ ପରବର୍ତି ସମୟରେ ଲୋକମାନେ କଣ କରିବା ଉଚିତ ଓ କଣ ନକରିବା ଉଚିତ ସେ ନେଇ ଗଣମାଧ୍ୟମ ଜରିଆରେ ସଚେତନ କରିବାକୁ ମନ୍ତ୍ରୀ ଶ୍ରୀ ଜେନା ବିଭାଗକୁ ପରାମର୍ଶ ଦେଇଛନ୍ତି । ସଚିବାଳୟ ଠାରେ ଅନୁଷ୍ଠିତ  ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦକୁମାର ମେହେର୍ଦ୍ଧା , ସ୍ୱତନ୍ତ୍ର ଶାସନ ସଚିବ ଡାଃ ଲିଙ୍ଗରାଜ ମିଶ୍ର ,ଅତିରିକ୍ତ ସଚିବ ଶରତ କୁମାର ମିଶ୍ର, ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ , ଯୁଗ୍ମସଚିବ ଯାମିନୀ ଷଢଙ୍ଗୀ , ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ସୁଶିଲ କୁମାର କର , ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ଡାଃ ହରପ୍ରସାଦ ପଟ୍ଟନାୟକ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ  ଡାଃ ବିଜୟଲକ୍ଷ୍ମୀ ଗୁରୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault