ହେଡଲାଇନସ୍:

ସରକାରୀ କର୍ମଚାରୀଙ୍କୁ ଛୁଟି ମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ଭାବ୍ୟ ବାତ୍ୟା ‘ଫନୀ’ର ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ 

ବାଲେଶ୍ୱର,(ଉଜ୍ଜ୍ୱଳ କର) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଫନୀର’ ଓଡିଶା ଉପକୂଳ ସମ୍ଭାବ୍ୟ ଭୁ-ସ୍ପର୍ଶକୁ ନେଇ ସଜାଗ ରହିବା ନିମନ୍ତେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅଧିକ୍ଷଣ ଯନ୍ତ୍ରୀ ନେସ୍କୋ, ଜିଲ୍ଲା ଯୋଗାଣ ଅଧିକାରୀ, ନିର୍ବହୀ ଯନ୍ତ୍ରୀ ରାସ୍ତା ଓ ଗୃହ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବାତ୍ୟାକୁ ଯେପରି ଦୃଢତାର ସହ ମୁକାବିଲା କରାଯାଇପାରିବ ଏବଂ ଜନସାଧାରଣଙ୍କର ଧନଜୀବନକୁ ସୁରକ୍ଷା ଦିଆଯାଇପାରିବ ସେଥି ନିମନ୍ତେ ସମସ୍ତ ଅଧିକାରୀ ନିଜ ନିଜ ସ୍ତରରେ ପ୍ରଚେଷ୍ଟା ଜାରୀ ରଖିବାକୁ କୁହାଯାଇଛି । ଆରକ୍ଷୀ ଅଧିକ୍ଷକ ଶ୍ରୀ ବି. ଯୁଗଳ କିଶୋର ଉପକୂଳରେ ବସବାସ କରୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀଗୁଡିକୁ ସ୍ଥାନାନ୍ତର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିପାଇଁ ଜିଲ୍ଲାରେ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳୀଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଆଶ୍ରୟସ୍ଥଳୀ ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କ ସହଯୋଗ ନେବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଆବଶ୍ୟକୀୟ ଔଷଧ, ଖାଦ୍ୟ ସାମଗ୍ରୀ, ପଲିଥିନ୍, କିରୋସିନ ଆଦି ଆଗୁଆ ଭାବେ ମହଜୁଦ୍ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ଆଖିରେ ରଖି ପ୍ରଶାସ ତରଫରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଛୁଟିରେ ରହିବାକୁ ବାରଣ କରାଯାଇଛି । ଉପକୂଳ ଅଞ୍ଚଳରେ ଜନସାଧାରଣଙ୍କୁ ସଜାଗ କରିବାକୁ ବ୍ୟାପକ ପ୍ରଚାର ପ୍ରସାର କରାଯିବାକୁ ପଦକ୍ଷେପ ନିଆଯିବ । ଜିଲ୍ଲାରେ ଥିବା ଓଡ୍ରାଫ୍ ଟିମ୍, ଦମକଳ ବାହିନୀ, ଏନଡିଆରଏଫ୍କୁ ସଜାଗ ରଖାଯାଇଛି । ଏଥିସହିତ ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ, ବିଦ୍ୟୁତ୍ ଯୋଗାଣ, ରାସ୍ତାଘାଟ ମରାମତି ନିମନ୍ତେ ସଧାରିବା ସକାଶେ ଆଗୁଆଭାବେ ଟିମ୍ ଗଠନ କରି ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୀଳଗିରି ଉପଜିଲ୍ଲାପାଳ ବିଶାଲ ସିଂ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ଅଜୟ କୁମାର ସେଠୀ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଅଭୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault