ହେଡଲାଇନସ୍:

ଘରେ ଅନ୍ଧାର, ପିଇବାକୁ ପାଣି ନାହିଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାନୀୟ ଜଳ ଓ ବିଦ୍ୟୁତ ଆଲୋକର ସମସ୍ୟା ଘେରରେ ରହିଛି ଆଦିବାସୀ ଅଧ୍ୟୁଷିତ ଲାଲୁସାହି ଗ୍ରାମ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଦିବାସୀ ଅଧୁ୍ୟଷିତ ପାହାଡ ଘେରା ଜଙ୍ଗଲ ଅଞ୍ଚଳରେ ଏବଂ ଅଞ୍ଚଳବାସୀଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ଯୋଜନା କାର୍ଯ୍ୟକାରୀ ହେଉଛି ଟଙ୍କା ଖର୍ଚ୍ଚ ହେଉଛି ହେଲେ ତାର ସୁଫଳ ଅଞ୍ଚଳବାସୀ ପାଇପାରୁନାହାନ୍ତି । ବର୍ଷ ବର୍ଷ ଧରି ଅଞ୍ଚଳବାସୀ ବିଭିନ୍ନ ମୌଳିକ ସମସ୍ୟା ଦେଇ ଗତି କରିଥିଲେ ମଧ୍ୟ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆଢୁଆଳ ରହିଯାଇଛି । ବିକାଶ କାର୍ଯ୍ୟ ସମ୍ପୁର୍ଣ୍ଣ ଭାବେ ଅପହଞ୍ଚ ହୋଇପଡୁଛି । ଏଭଳି ଏକ ଗ୍ରାମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ନାମନଗଡ ପଞ୍ଚାୟତର ଅନ୍ତର୍ଗତ ଅତ୍ୟନ୍ତ ଆଦିବାସୀ ଅଧ୍ୟୁଷିତ  ପାହାଡଘେରା ଅଞ୍ଚଳରେ ରହିଛି ଲାଲୁ ସାହି ଗ୍ରାମ । 

ଗ୍ରାମରେ ତଳ ଓ ଉପର ସାହି ଭାବେ ଦୁଇଟି ସାହିରେ ୩୩ ଗୋଟି ପରିବାରର ୧୫୦ରୁ ଅଧିକ  ଲୋକ ବସବାସ କରନ୍ତି । ଗ୍ରାମର ସମସ୍ତେ ଆଦିବାସୀ ସମ୍ପ୍ରଦାୟର ଏବଂ ଅତ୍ୟନ୍ତ ଗରିବ ଶ୍ରେଣୀର ଗ୍ରାମରେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଗୁଡିକ ଲାଗି ରହିଥିବା ବେଳେ ମୁଖ୍ୟ ମୌଳିକ ସମସ୍ୟା ଗୁଡିକ ମଧ୍ୟରେ ରହିଛି ପାନୀୟ ଜଳ ଓ ଆଲୋକ ବିଜୁଳି ସମସ୍ୟା । 

ପାନୀୟ ଜଳ କ୍ଷେତ୍ରରେ ଗ୍ରାମର ଉପରସାହିରେ ପାନୀୟ ଜଳ ସଂକଟ ଦୁର କରିବା ପାଇଁ ଗ୍ରାମର ଦୂରରେ ଥିବା ଅନ୍ୟ ଏକ ଗ୍ରାମ ଚନ୍ଦନ ଗିରି ନିକଟସ୍ଥ ପାହାଡ ଉପରେ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟରେ ପାହାଡ ଝର ପାଣି ସଂଗ୍ରହ କରି ଟେଙ୍କ ସ୍ଥାପନ ମାଧ୍ୟମରେ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରାଯାଇ ଦୁଇଟି ପାଇପ ପଏଣ୍ଟ ସ୍ଥାପନ କରାଯାଇଥିଲା । ହେଲେ ତାହା ଅଳ୍ପ ଦିନ ପରେ ଖରାପ ହୋଇଯିବା ଯୋଗୁଁ ତାହା ଦୀର୍ଘ ମାସ ହେଲାଣୀ ଓ ଅଚଳ ଅକ୍ଷମ ହୋଇପଡିଛି । ଫଳରେ ଉପର ସାହିର ମହିଳା ମାନେ ପାହାଡ ତଳିଆ ଏକ ଝର ପଥର କୁଅଁରୁ ପାଣି ଆଣି ଯିବାକୁ ବାଧ୍ୟ ହେଉଛନ୍ତି ।

ସେହି ଭଳି ଗ୍ରାମର ତଳ ସାହିରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ନଳକୂପ ଓ କୂଅଁର ବ୍ୟବସ୍ଥା କରାଯାଇଛି । ନଳକୂପରେ ଗନ୍ଧଯୁକ୍ତ ପାଣି ଆସୁଛି ତାହା ବ୍ୟବହାର କଲେ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । ହେଲେ ମଧ୍ୟ ବାଧ୍ୟ ହୋଇ ଆବଶ୍ୟକ ସ୍ଥଳେ ବ୍ୟବହାର କରୁଛନ୍ତି । ସେହିଭଳି ଗୋଟିଏ କୁଅଁ ରହିଛି ତାହା ପାଣି କମିଯାଇ ଅପରିଷ୍କାର ଓ ଗନ୍ଧମୟ ହୋଇପଡୁଠଛି ।ଫଳରେ ପାନୀୟ ଜଳ ଟୋପାଏ ପାଇଁ ଗ୍ରାମବାସୀ  ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ହିଁ  ଡହଳ ବିକଳ ହୋଇପଡିଲେଣି । ପାନୀୟ ଜଳର ଘୋର ଅଭାବନୀୟ ପରିସ୍ଥିତି ଲାଗି ରହିଥିବା ଯୋଗୁଁ ଗ୍ରାମବାସୀ ଗ୍ରାମର ଦେଢକିଲୋମିଟର ଦୂରରେ ଥିବା ପାହାଡ ତଳିଆରେ ଥିବା ଏକ ପଥର ଖାଲରେ ଜମି ରହିଥିବା ଶିଉଳି ଯୁକ୍ତ ଅପରିଷ୍କାର ପାଣିକୁ କନାରେ ଛାଣି ପାଣି ସଂଗ୍ରହ କରି ଘରକୁ ଆଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଏହି ପାଣି ଆଣିଯିବା ପାଇଁ ମହିଳା ମାନେ ବିଲହୁଡା ଦେଇ ପାହାଡ ତଳକୁ ଯିବାକୁ ଅତ୍ୟନ୍ତ କଷ୍ଟ ସ୍ୱୀକାର କରି ଯାଇଛନ୍ତି । 

ସେହିଭଳି ବିଦୁ୍ୟତ ଆଲୋକ ବ୍ୟବସ୍ଥା ନକହିବା ଭଲ ଗ୍ରାମରେ ଘରେ ଘରେ ସରକାରଙ୍କ ଯୋଜନାରେ ବିଦୁ୍ୟତ ଆଲୋକର ବ୍ୟବସ୍ଥା କରାଯାଇଛି । ଘରେ ମିଟର ଓ ବଲ୍‍ବ ବ୍ୟବସ୍ଥା ହୋଇଛି ଏବଂ ଜଳୁଛି । କାମ କରୁଛି ସେତିକିମାତ୍ର ହେଲେ ଥରେ ବିଦୁ୍ୟତ ବିଭ୍ରାଟ କି ଟ୍ରାନ୍‍ସଫରମର ପୋଡିଗଲେ ଆଉ ତା କେତେବେଳେ ଆସିବ ତାହା ଜଣାପଡେନାହିଁ । ଏହି ଦୁଇଟି ମୁଖ୍ୟ ମୌଳିକ ସମସ୍ୟା ଗୁଡିକରେ ଗ୍ରାମବାସୀ ବର୍ଷ ବର୍ଷ ଧରି ଦିନ ରାତି କାଟି ଆସୁଛନ୍ତି । ବାରମ୍ୱାର ଅଭିଯୋଗ କରାଯିବା ସତ୍ୱେ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗରେ ଜଣାଇଛନ୍ତି ।

 

0
0
0
s2sdefault