ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଦୀପକ ଚଟ୍ଟରାଜଙ୍କ ଦାୟିତ୍ଵ ଗ୍ରହଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା(ଶାସକ ପ୍ରଶାସକ)  ମହାରତ୍ନ କମ୍ପାନୀ ସେଲର ଅନ୍ୟତମ ୟୁନିଟ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରୂପେ ଶ୍ରୀ ଦୀପକ ଚଟ୍ଟରାଜ ୨୦୧୯ ମାର୍ଚ୍ଚ ୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ମେକାନିକଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ  ଚଟ୍ଟରାଜ ୧୯୮୪ ମସିହା ଜୁନ ମାସରେ ସେଲ ଅଧିନସ୍ଥ ଦୁର୍ଗାପୁର ଇସ୍ପାତ କାରଖାନାରେ ମେନେଜମେଣ୍ଟ ଟ୍ରେନି ଟେକନିକଲ ପଦବୀରେ ଯୋଗଦେଇଥିଲେ । ଦୁର୍ଗାପୁର ଇସ୍ପାତ କାରଖାନାରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ ସେବାକାଳ ମଧ୍ୟରେ ଶ୍ରୀ ଚଟ୍ଟରାଜ ପ୍ରଡ଼କ୍ସନ ପ୍ଲାନିଂ ଓ କଣ୍ଟ୍ରୋଲ, ରେଲ ଟ୍ରାଫିକ ମେଣ୍ଟେନାଂଶ ଓ ଲଜିଷ୍ଟିକ୍ସ, କାର୍ଯ୍ୟବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏବଂ ପରିଚାଳନା ନିର୍ଦ୍ଦେଶକଙ୍କ ସଚିବାଳୟ, ବିଜିନେସ ଏକ୍ସଲେନ୍ସ ଏବଂ   ପ୍ରକଳ୍ପ ବିଭାଗରେ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିଛନ୍ତି । ସେ ତାଙ୍କର ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଓ ବୈଷୟିକ ଦକ୍ଷତାକୁ ଆଧାରକରି ପ୍ରତିଷ୍ଠାନରେ କ୍ରମାଗତ ଭାବରେ ପଦୋନ୍ନତି ଲାଭକରି ୨୦୧୩ ମସିହାରେ ମହାପ୍ରବନ୍ଧକ ପଦବୀକୁ ପଦୋନ୍ନତି ପାଇଥିଲେ ।

ଦୁର୍ଗାପୁରରେ ଶ୍ରୀ  ଚଟ୍ଟରାଜ ବିଭିନ୍ନ ବୃହତ ପ୍ରକଳ୍ପ ଯଥା ଏକ ନିୟୁତ ଟନ ମିଡିୟମ ଷ୍ଟ୍ରକଚରାଲ ମିଲ, ୦.୭୫ ନିୟୁତ ଟନ ବ୍ଳୁମ କମ ରାଉଣ୍ଡ କାଷ୍ଟର, ଦୈନିକ ୩୦୦ ଟନ ଡୋଲୋମାଇଟ ପ୍ଳାଣ୍ଟ, ୟୁଟିଲିଟି ଭିତ୍ତିଭୂମି ଏବଂ ଅନ୍ୟ ବହୁ ମୁଖ୍ୟ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବ୍ୟବସ୍ଥା ଦୃଢୀକରଣ, ଏନାର୍ଜି ଅଡିଟ, ଭବିଷ୍ୟତ ପ୍ରକଳ୍ପ ନିମନ୍ତେ ଭୂ-ଉପଯୋଗ ଯୋଜନା ପ୍ରସ୍ତୁତି, ପ୍ରକଳ୍ପ ବ୍ୟୟ ଅଟକଳ ଏବଂ ଏଭଳି ଅନୁରୂପ ଅନେକ ଅଞ୍ଚଳରେ ସେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି।

ଇଣ୍ଟରନେସନାଲ କୋଲ ଭେଞ୍ଚର ପ୍ରାଇଭେଟ ଲିମିଟେଡ (ଆଇ.ସି.ଭି.ଏଲ.)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ୨୦୧୭ ଅକ୍ଟୋବର ମାସରେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ଶ୍ରୀ  ଚଟ୍ଟରାଜ  ସେଲର ଇଞ୍ଜିନିୟରିଂ କନ୍ସଲ୍ଟାନ୍ସି ଡିଭିଜନ, ସି.ଇ.ଟି., ରାଞ୍ଚିରେ ମଧ୍ୟ ସ୍ଵଳ୍ପକାଳ ପାଇଁ ସେବା ପ୍ରଦାନ କରିଥିଲେ। ନିଜର ନିଷ୍ଠାପର ପ୍ରୟାସ ଓ ପ୍ରତିବଦ୍ଧତାକୁ ପାଥେୟ କରି ଶ୍ରୀ ଚଟ୍ଟରାଜ ୨୦୧୮ ନଭେମ୍ବର ମାସରେ ନିର୍ବାହୀ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନିତ ହେବା ସଙ୍ଗେସଙ୍ଗେ  ଆଇ.ସି.ଭି.ଏଲ.ର  ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଦାୟିତ୍ଵ ନିର୍ବାହ ଜାରିରଖିଥିଲେ । ୨୦୧୯ ଫେବୃଆରୀ ୪ ତାରିଖରେ ସେ ରାଉରକେଲା ଇସ୍ପାତ କାରଖାନାକୁ ଓ.ଏସ.ଡ଼ି. ରୂପେ ବଦଳି ହୋଇଥିଲେ ।

ଦେଶ ପାଇଁ କୋଇଲା ସମ୍ବଳ ସୁରକ୍ଷିତ କରିବା ପାଇଁ ବିଦେଶୀ ଅଞ୍ଚଳରେ କୋଇଲା ଖଣି ଅଧିଗ୍ରହଣ ନିମନ୍ତେ ସେଲ, ଏନ.ଏମ.ଡ଼ି.ସି., ଆର.ଆଇ.ଏନ.ଏଲ., ସି.ଆଇ.ଏଲ. ଓ ଏନ.ଟି.ପି.ସି. ମଧ୍ୟରେ ସ୍ଥାପିତ ଯୌଥ ଉଦ୍ୟୋଗ ଆଇ.ସି.ଭି.ଏଲ.ରେ ନିଜର ସ୍ୱଳ୍ପକାଳୀନ ସେବା ଅବଧି ମଧ୍ୟରେ ମୋଜାମ୍ବିକରେ ସ୍ଥଗିତ ରହିଥିବା କୋଇଲା ମାଇନିଙ୍ଗ ଅପରେସନକୁ ପୁନଃଚାଲୁ କରିବା କ୍ଷେତ୍ରରେ ସେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସମ୍ପ୍ରତି ଏହି କୋଇଲା ଖନନ କାର୍ଯ୍ୟ ସଫଳତା ସହକାରେ ଚାଲୁରହିବା ସହିତ ସେଲ ଓ ଆର.ଆଇ.ଏନ.ଏଲ.କୁ  ନିୟମିତ ରୂପେ କୋକିଙ୍ଗ କୋଲ ଯୋଗାଇଦେଉଛି , ଏବଂ ପରିବର୍ଦ୍ଧିତ ଚାହିଦା ପୂରଣ ନିମନ୍ତେ ମଧ୍ୟ ଏହାର କ୍ଷମତାକୁ ମଧ୍ୟ ସମ୍ପ୍ରସାରିତ କରୁଛି ।

ଶ୍ରୀ ଚଟ୍ଟରାଜ ଆଇ.ଆଇ.ଏମ., ବାଙ୍ଗାଲୋର ଓ ଏଚ.ଇ.ସି., ପ୍ୟାରିସରେ ସ୍ଵତନ୍ତ୍ର ମେନେଜମେଣ୍ଟ କାର୍ଯ୍ୟକ୍ରମ ସମେତ ବିଭିନ୍ନ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେଇଛନ୍ତି । ସେ ଜାପାନର ଟୋକିଓଠାରେ ବହୁଦେଶୀୟ ଲଜିଷ୍ଟିକ୍ସ ମିଶନ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ବହୁଳ ରୂପେ ଭ୍ରମଣ କରିଥିବା ତଥା ପୁସ୍ତକପ୍ରେମୀ ଶ୍ରୀ ଚଟ୍ଟରାଜଙ୍କ ଇତିହାସରେ ତଥା କ୍ରିକେଟ ଓ ଚେସ ଭଳି କ୍ରୀଡାରେ ବିଶେଷ ରୁଚି ରହିଛି । 

0
0
0
s2sdefault