ହେଡଲାଇନସ୍:

ଐତିହାସିକ କାଳିଆ ଚାଷୀ ମହାସମାବେଶ ପାଇଁ ପ୍ରସ୍ତୁତି ଚୂଡାନ୍ତ,ମୁଖ୍ୟମନ୍ତ୍ରୀଙ୍କ ଆଗମନ ପ୍ରତୀକ୍ଷାରେ ଇଚ୍ଛାପାଲି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲାଠାରୁ ତିନି କିଲୋମିଟର ଦୂର ଇଚ୍ଛାପାଲିପଡିଆଠାରେ ଗୁରୁବାର ଅନୁଷ୍ଠିତ  ହେବ ଐତିହାସିକ କାଳିଆ ଚାଷୀ ମହାସମାବେଶ । ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଚୂଡାନ୍ତ ହୋଇସାରିଛି । ଏହି ସମାବେଶରେ ନିକଟବର୍ତୀ ୫ଟି ଜିଲାର ଚାଷୀ,ମହିଳା ଓ ଯୁବଗୋଷ୍ଠୀ  ପ୍ରାୟ ଦେଢ଼ଲକ୍ଷ ଲୋକଙ୍କ ସମାଗମ ହେବ ।  ବରଗଡ ଜିଲାପାଳ ଇନ୍ଦ୍ରମଣୀ ତି୍ରପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଆଜି ଉତରାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ,ବରଗଡ ଏସପି ମୁକେଶ ଭାମୁ,ବରଗଡ ଡିଏସପି ନଗେନ ନାୟକ,ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟରଣ ପଣ୍ଡା ପ୍ରମୁଖ ପୋଲିସ ଅଧିକାରୀମାନେ ସଭାସ୍ଥଳକୁ ଆସି ସବୁଆଡେ ବୁଲି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଥିଲେ । ଏହି ସମାବେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୧୮ଲକ୍ଷ ଚାଷୀ ଓ ଭୂମିହୀନଙ୍କୁ କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ସୁଇଚ ଟିପି ସେମାନଙ୍କ ଏକାଉଂଟକୁ ୫ହଜାର ଟଙ୍କା ଲେଖାଏଁ ଅର୍ଥ ଟ୍ରାନ୍ସଫର କରିବେ । ମୁଖ୍ୟମନ୍ତ୍ରୀ ୨୦୩୬.୩୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଭେଟି ଦେବେ । ତନ୍ମଧ୍ୟରୁ ୧୩୪୦.୫୫ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଗଂଗାଧର ମେହେର ଜଳସେଚନ ପ୍ରକଳ୍ପ ଅନ୍ୟତମ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ତିନୋଟି ବ୍ଲକର ୨୫ହଜାର ୬ଶହ ହେକ୍ଟର ଜମିରେ ଜଳସେଚନ ହୋଇ ପାରିବ । ତା ସାଂଗକୁ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ପଦ୍ମଶ୍ରୀ ହଲଧର ନାଗ ସମ୍ବଲପୁରୀ/କୋଶଲି ଭାଷା ଗବେଷଣା କେନ୍ଦ୍ରର ଭିତି ପ୍ରସ୍ତର ସ୍ଥାପନ କରାଯିବ । ସେହିପରି ୪୫୫.୬୬କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସୋହେଲା-ନୁଆପଡା ବିଜୁ ଏକ୍ସପ୍ରେସ ୱେକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ଏଥିସହିତ ଆହୁରି ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ୮ଜଣ ଡିଏସପି,୧୫ଜଣ ଇନ୍ସପେକ୍ଟର,୯୭ଜଣ ଏସଆଇ ଓ ଏଏସଆଇ,୨ଶହ ହୋମଗାର୍ଡ ଓ ୩୦ ପ୍ଲାଟୁନ ପୋଲିସ  ଫୋର୍ସ ମୁତୟନ କରାଯାଇଛି । ସରକାରୀ କାର୍ଯ୍ୟକ୍ରମ ଅନୁସାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଏକ ବିମାନରେ ଆସି ପଦ୍ମପୁର ନିକଟସ୍ଥ ଶତୀଭଟା ଏୟାରଷ୍ଟ୍ରିପଠାରେ ୧୧ଟାରେ ପହଂଚିବେ । ସେଠାରୁ ପୂର୍ବରୁ ଅପେକ୍ଷା କରି ରହିଥିବା ଏକ ହେଲିକେପ୍ଟର ଯୋଗେ ଆସି ଇଚ୍ଛାପାଲି ସଭାସ୍ଥଳକୁ ସାଢେ଼ ୧୧ଟାରେ ପହଂଚିବେ । ଏଠାରେ କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ପୁଣି ୧୨ଟା ୧୦ମିନିଟରେ ସତୀଭଟା ଏୟାରଷ୍ଟ୍ରିପ  ଅଭିମୁଖେ ବାହାରିବେ ବୋଲି ସରକାରଙ୍କ ସୂଚନା ଅନୁସାରେ ଜଣାପଡିଛି । 

 

 

0
0
0
s2sdefault