ହେଡଲାଇନସ୍:

ଆଶାକର୍ମୀମାନଙ୍କୁ ଜିଲ୍ଲା ଖଣିଜ ପାଣ୍ଠି ଯୋଗାଇ ଦେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ପ୍ରଧାନମନ୍ତ୍ରୀ ମୋଦୀ ବଲାଙ୍ଗୀର ଗସ୍ତ ସମୟରେ ରାଜ୍ୟ ଖଣିଜ ପାଣ୍ଠି ଖର୍ଚ୍ଚ କରିବା କ୍ଷେତ୍ରରେ ଓଡ଼ିଶା ସରକାର ବିଫଳ ହୋଇଛି ବୋଲି ନିଜ ଭାଷଣରେ ପ୍ରକାଶ କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଆଜି ମୟୂରଭଞ୍ଜ ଆଶାକର୍ମୀ ଆସୋସିଏସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିର ସତବିନିଯୋଗ କରିବା କ୍ଷେତ୍ରରେ ଜିଲ୍ଲାପାଳ  ବିଫଳ ହୋଇଥିବାର ଅଭିଯୋଗ ଆଣିଛନ୍ତି । ଏଥି ସହିତ ରାଜ୍ୟର ୨୨ଟି ଜିଲ୍ଲାରେ କାର୍ଯ୍ୟରତ ପ୍ରତ୍ୟେକ ଆଶାକର୍ମୀମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ୧୦ ହଜାର ଟଙ୍କା ଆଶା କିଟସ୍ ଯୋଗାଇ  ଦେଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହା ଅଦ୍ୟାବଧି ମିଳିପାରି ନାହିଁ ।  ତେଣୁ, ଜିଲ୍ଲା ଖଣିଜ ପାଣ୍ଠିରୁ ଉକ୍ତ କିଟସ୍ ଯୋଗାଇ ଦେବା ଦାବିରେ ଜିଲ୍ଲା ଆଶାକର୍ମୀ ଆସୋସିଏସନ ପକ୍ଷରୁ ଦାବି କରାଯାଇଥିଲା ।  ଜିଲ୍ଲା ସଂଘର ସଭାପତି ରେବତୀ ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ ଆଶାକର୍ମୀ ଏକ ଶୋଭାଯାତ୍ରରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହେବା ପରେ ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭାପତି ରାଧାରମଣ ଷଢ଼ଙ୍ଗୀ, ମୁଖ୍ୟ ଅତିଥି ଭାବେ ସିଟୁର ସଭାପତି ଆନଜୀବୀ କମ୍ରେଡ଼ ରବି ଗୋସ୍ୱାମୀ ଓ ସମ୍ମାନୀତ ଅତିଥି ଭାବେ ସମ୍ପାଦକ କମ୍ରେଡ଼ କମଲ ଦେ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଖଣିଜ ପାଣ୍ଠିକୁ ଖର୍ଚ୍ଚ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏଥି ସହିତ ଉକ୍ତ ଖଣିଜ ପାଣ୍ଠିରୁ ଆଶାକର୍ମୀମାନଙ୍କୁ ସେମାନଙ୍କର କିଟସ ଯୋଗାଇ ଦେବା ନିମନ୍ତେ ଦାବି କରିଥିଲେ । ଏହାପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ ନିମନ୍ତେ ଭିତରକୁ ଯାଇଥିଲେ । ମାତ୍ର ଜିଲ୍ଲାପାଳ ପ୍ରତିନିଧି ମଣ୍ଡଳୀଙ୍କୁ ପୁଲିସ ଲଗାଇ ବାହାରକୁ ବାହାର କରିଦେଇଥିଲେ ବୋଲି ସମାବେଶରେ ପ୍ରକାଶ କରିବା ପରେ ଆଶାକର୍ମୀମାନେ ଜିଲ୍ଲାପାଳ ଏଥି ନିମନ୍ତେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ଆଶାକର୍ମୀମାନଙ୍କ ଦାବିକୁ ନେଇ ରାଜ୍ୟ ସଭାପତି ଶ୍ରୀ ଷଢ଼ଙ୍ଗୀ  ଭୂବନେଶ୍ୱର ଏନଆରଏଚଏମ ଡ଼ାଇରେକ୍ଟରଙ୍କ ସହିତ ଯୋଗାଯୋଗ କରିବା ପରେ ଦୁଇ ମାସ ମଧ୍ୟରେ ଆଶାକର୍ମୀମାନଙ୍କୁ ସେମାନଙ୍କର ସମସ୍ତ ପ୍ରାପ୍ୟ ଯୋଗାଇ ଦେବେ ବୋଲି କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ । ଏଥି ସହିତ ଜିଲ୍ଲାପାଳ ଶ୍ରୀଭରଦ୍ୱାଜଙ୍କ ଆଚରଣର ବିରୋଧରେ ବାରିପଦା ଟାଉନ ଥାନାରେ ଏଫଆଇଆର ଦାଖଲ କରିବେ ବୋଲି ମଧ୍ୟ ସୂଚନା ଦେଇଥିଲେ । ତେବେ ରାଜ୍ୟ ସଭାପତି ଶ୍ରୀ ଷଢ଼ଙ୍ଗୀ  ନିଜର କାର୍ଯ୍ୟ ବ୍ୟସ୍ତତା କାରଣରୁ ଫେରି ଯାଇଛନ୍ତି, ଅନ ଲାଇନରେ ଏଫଆଇଆର ଦାଖଲ କରିବେ ବୋଲି ଅମଲ ଦେ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜିର ଏହି ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଉର୍ମୀଳା ଦାଶ, ଜ୍ୟୋତର୍ମୟୀ ନାୟକ, ରେବତୀ ଦତ୍ତ, ମମତା ଲେଙ୍କା, ମିନତୀ ମହାନ୍ତି, କଲ୍ୟାଣୀ ମହାନ୍ତି, ବିଷ୍ଣୁ ପ୍ରିୟା ମହାନ୍ତ, ପୁଷ୍ପଲତା ଟୁଡ଼ୁ, ଦ୍ରୌପଦୀ ସିଂ ପ୍ରମୁଖଙ୍କ ସମେତ ଶତାଧିକ ଆଶାକର୍ମୀ ଯୋଗ ଦେଇଥିଲେ । 

0
0
0
s2sdefault