ତିର୍ତ୍ତୋଲରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ ଦଲାଲଙ୍କ ଦୌରାତ୍ମ୍ୟ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅର୍ଥ ନେଇ ନିର୍ମାଣଶ୍ରମିକଙ୍କୁ ଭୁଆଁ ବୁଲାଉଛନ୍ତି !

ସରଣୀ ଛକରେ ଦଲାଲ୍ ପସରାମେଲିଛନ୍ତି 

ତିର୍ତ୍ତୋଲ -ପାରାଦୀପ /ରମେଶ ମହାନ୍ତି  – ତିର୍ତ୍ତୋଲ  ବ୍ଲକ ଅଂଚଳରେ ନିର୍ମାଣ ଶ୍ରମିକ ପଞ୍ଜୀକରଣ କାର୍ଡ ପ୍ରଦାନରେ  ଦଲାଲଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିର୍ମାଣ ଶ୍ରମିକମାନଙ୍କୁ ଶ୍ରମ ବିଭାଗରେ ନାମ ପଞ୍ଜୀକରଣ କରି କାର୍ଡ କରାଇଦେବାକୁ ପ୍ରଲୋଭନ ଦେଖାଇ ଦଲାଲ୍ମାନେ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଓ ଅର୍ଥନେଇ ସେମାନଙ୍କୁ ବର୍ଷ ବର୍ଷ ଧରି ଭୁଆଁ ବୁଲାଉଥିବା ଅଭିଯୋଗ ହେଉଛି । ନିର୍ମାଣ ଶ୍ରମିକମାନଙ୍କୁ ସରକାରଙ୍କ ତର‘ରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟତା ଓ ଶ୍ରମ ବିଭାଗରେ ନାମ ପଞ୍ଜିକରଣ ବାବଦରେ ଅନେକ ନିର୍ମାଣ ଶ୍ରମିକ ଅବଗତ ନାହାନ୍ତି । ସଚେତନତା ଅଭାବରୁ ପ୍ରକୃତ ନିର୍ମାଣ ଶ୍ରମିକ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଥିବା ବେଳେ ବହୁ ଅଣନିର୍ମାଣ ଶ୍ରମିକ ଶ୍ରମିକ ଏହି ସୁବିଧା ସୁଯୋଗ ହାତେଇ ନେଉଥିବା ଜଣାପଡିଛି ।ତିର୍ତ୍ତୋଲ  ବ୍ଲକ ଅଂଚଳରେ ଦଲାଲମାନେ ଯୋଜନାବଦ୍ଧ ଭାବେ ବିଭିନ୍ନ ଫନ୍ଦି ଫିକର କରି ନିର୍ମାଣ ଶ୍ରମିକମାନଙ୍କୁ ଲୁଟିଚାଲିଥିବା ଜଣାପଡିଛି । ଏହାର ଏକ ନିଚ୍ଛକ ପ୍ରମାଣ ତିର୍ତ୍ତୋଲ  ନିଶାମଣି ଛକ ନିକଟରେ ଜୈନିକ ଦଲାଲ୍ କେତେକ ୟୁନିୟନ୍ର ଦ୍ୱାହି ଦେଇ ନିଜର ନାଁ,ଫୋନ  ନମ୍ବର ସହ କାନ୍ଥବାଡରେ ପୋଷ୍ଟର ଲଗାଇ ନିର୍ମାଣ ଶ୍ରମିକ ପଞ୍ଜିକରଣ କାର୍ଡ କରାଇଦେବାକୁ ପ୍ରବର୍ତାଇ ନିର୍ମାଣ ଶ୍ରମିକମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ସେମାନଙ୍କୁ ଭୁଆଁ ବୁଲାଇ ଚାଲିଥିବା ଚର୍ଚ୍ଚାର ବିଷୟ ହୋଇଛି । ଏହି ଦଲାଙ୍କୁ ଅର୍ଥଦେଇଥିବା କେତେକ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜିକରଣ ନକାରାଇ ବର୍ଷ ବର୍ଷ ଧରି ଦୌଡାଇବା ସହ ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ଟଙ୍କା ଲୁଟିଚାଲିଥିବା ଅଭିଯୋଗ ହେଉଛି ।  ଦଲାଲଙ୍କୁ  ଅର୍ଥ ଦେଇଥିବା ନିର୍ମାଣ ଶ୍ରମିକ ତାଙ୍କର ନାମ ପଞ୍ଜିକରଣ ହୋଇଛି କି ନାହିଁ ପଚାରିଲେ କିମ୍ବା କାର୍ଡ ମାଗିଲେ ଉକ୍ତ ଠକ ଦଲାଲ୍ ସେମାନଙ୍କୁ ବିଭିନ୍ନ ଭାଷାରେ ଗାଳି ଗୁଲଜ କରିବା ସହିତ ମାରି ଗୋଡାଉଥିବା ଅଭିଯୋଗ ହେଉଛି । ନାମ ପଞ୍ଜିକରଣ ପାଇଁ ନେଇଥିବା ଅର୍ଥକୁ ଚଳୁ କରିଦେଇ ସେମାନଙ୍କୁ ମିଛଟାରେ ବର୍ଷ ବର୍ଷ ଧରି ଉକ୍ତ ଦଲାଲ୍ ବହଲଉଥିବା କୁହାଯାଉଛି ।  ନିଶାମଣି ସରଣି ଛକ୍ ନିକଟରେ ଏହି ଠକ ଦଲାଲ୍ ନିର୍ମାଣ ଶ୍ରମିକମାନଙ୍କୁ ଲୁଟିବାକୁ ଏକ ପ୍ରକାର ପଶରା ମେଲାଇଥିବା ଜଣାପଡିଛି । ଏହି ଠକ ଦଲାଲ୍ ଗୋବିନ୍ଦପୁର ପଂଚାୟତର ଜୈନିକ ନିର୍ମାଣ ଶ୍ରମିକଙ୍କୁ ନାମ ପଞ୍ଜିକରଣ କରାଇଦେବାକୁ ପ୍ରବର୍ତାଇ ତାଙ୍କ ଠାରୁ ମୋଟା ଅଙ୍କର ଅର୍ଥରାଶି ଠକିନେଇ ଦେଢ଼ ବର୍ଷରୁ ଉର୍ଧ୍ଵ ହେବ ଦୌଡାଉଥିବା ବେଳେ ସେ କେବେ ପଞ୍ଜିକରଣ ହେବ ବୋଲି ପଚାରିଲେ ଉକ୍ତ ଦଲାଲ୍ ଜଣକ ତାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହେଉଛି । ଲୋକେ କହୁଛନ୍ତି ଏହିପରି ଠକ  ଦଲାଲଙ୍କ ହାତରେ ନିର୍ମାଣ ଶ୍ରମିକଙ୍କ ଭାଗ୍ୟ ଝୁଲୁଛି । ଏହି ଦଲାଲ୍ମାନେ ବିଭିନ୍ନ ଶ୍ରମିକ ସଂଗଠନର ଦ୍ୱହାଇ ଦେଇ ଶ୍ରମିକମାନଙ୍କୁ ଏକତ୍ରିତ କରୁଛନ୍ତି । ସେଠାରେ ସେମାନଙ୍କୁ ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସରଞ୍ଜାମ, ଭତ୍ତା, ଆବାସ ପ୍ରଦାନ, ସେମାନଙ୍କ ପିଲାମାନଙ୍କ ପାଇଁ ପାଠ ପଢ଼ା ପାଇଁ ବୃତ୍ତି ପ୍ରଦାନ, ଝିଅ ବାହାଘର ପାଇଁ ଆର୍ଥୀକ ସହାୟତା ପ୍ରଦାନ ପରି ବିଭିନ୍ନ ସହାୟତାର ପ୍ରଲୋଭନ ଦେଖାଇ ସଦସ୍ୟତା ପାଇଁ ଠକ ଦଲାଲ ମାନେ ପ୍ରବର୍ତାଉଛନ୍ତି । ସରକାରୀ ସହାୟତାର ପ୍ରତିଶୃତି ଦେଇ ସେମାନଙ୍କ ଠାରୁ ସଦସ୍ୟତା ଦେୟ ବାବଦରେ ମୋଟା ଅଙ୍କର ଅର୍ଥ ଦଲାଲମାନେ  ଆଦାୟ କରୁଥିବା କୁହାଯାଇଛି ।ତିର୍ତ୍ତୋଲ  ଅଂଚଳର ଶତାଧିକ ମହିଳା ପୁରୁଷ ସେମାନଙ୍କ ନାମ ପଞ୍ଜିକରଣ ପାଇଁ ଏହି ଦଲାଲଙ୍କ ମାଧ୍ୟମରେ ଆବେଦନ କରିଥିବା ଜଣାପଡିଛି । ପ୍ରକୃତ ନିର୍ମାଣ ଶ୍ରମିକମାନେ ସେମାନଙ୍କର ନାମ ପଞ୍ଜିକରଣ ହୋଇଛି କି ନାହିଁ ସରକାରି ଭାବରେ ସେମାନଙ୍କର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି । ଏଥିସହ ସଂପୃକ୍ତ ଦଲାଲ୍ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା ସହିତ ନିର୍ମାଣ ଶ୍ରମିକମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । 

 

0
0
0
s2sdefault