ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାର ବାର୍ଷିକ ଉଦ୍ୟାନକୃଷି ପ୍ରଦର୍ଶନୀରେ ବିପୁଳ ସଂଖ୍ୟକ ପରିଦର୍ଶକଙ୍କ ସମାଗମ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା(ଶାସକ ପ୍ରଶାସକ) : ସେଲ ରାଉରକେଲା ଇସ୍ପାତ କାରଖାନାର ଉଦ୍ୟାନକୃଷି ବିଭାଗ ଦ୍ଵାରା ଜାନୁଆରୀ ୫ ଓ ୬ ତାରିଖରେ ମନୋରମ ଜୁବୁଲି ପାର୍କ, ସେକ୍ଟର-୮ ଠାରେ ଆୟୋଜିତ  ୫୩ ତମ ବାର୍ଷିକ ଉଦ୍ୟାନକୃଷି ପ୍ରଦର୍ଶନୀରେ ବିପୁଳ ସଂଖ୍ୟକ ପରିଦର୍ଶକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ପ୍ରଦର୍ଶନୀରେ ପ୍ରଦର୍ଶିତ ବିବିଧ ରଙ୍ଗ ଓ ପ୍ରଭେଦର ଫୁଲ, ଫଳ ଓ ପନିପରିବାର ଆନନ୍ଦ ନେବା ପାଇଁ ବହୁସଂଖ୍ୟକ ଦର୍ଶକଙ୍କ ଆଗମନରେ ସବୁଜ ଘାସଗାଲିଚା ଆଛାଦିତ ଉଦ୍ୟାନଭରା ସୌଦର୍ଯ୍ୟମୟୀ ଜୁବୁଲି ପାର୍କ ଚଳଚଞ୍ଚଳ ହୋଇଉଠିଥିଲା । ପରିଦର୍ଶକମାନେ ପ୍ରଦର୍ଶିତ ଆକର୍ଷଣୀୟ ଫଳପୁଷ୍ପର ପ୍ରଶଂସାରେ ଶତମୁଖର ହେଉଥିବା ପରିଲକ୍ଷିତ ହେଉଥିଲା  

ଇସ୍ପାତ ସହରର ଦୀର୍ଘ ପ୍ରତିକ୍ଷିତ ଏହି ଚିତ୍ତାକର୍ଷକ ପ୍ରଦର୍ଶନୀକୁ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ଜାନୁଆରୀ ୫ ତାରିଖରେ ଉଦଘାଟନ କରିଥିଲେ। ଶ୍ରୀ କୁମାର ଏହି ମନୋରମ ପ୍ରଦର୍ଶନୀକୁ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାର, ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ, କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ରାଜବୀର ସିଂହ, କାର୍ଯ୍ୟ ବିଭାଗର ଇଡ଼ି, ଶ୍ରୀ ଗୌତମ ବାନାର୍ଜୀ, ସାମଗ୍ରୀ ପରିଚାଳନା ବିଭାଗର ଇଡ଼ି, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ରେଖା ଅଗ୍ରୱାଲ ଓ ଶ୍ରୀମତୀ ମୀନାକ୍ଷୀ ମହାପାତ୍ର, ସହର ପ୍ରଶାସନ ଓ ସିଏସଆର ବିଭାଗର ଜିଏମ, ଶ୍ରୀ ଅଜୟ କୁମାର ନାୟକ ତଥା ଆରଏସପିର ଅନ୍ୟ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ସିଇଓ ଅନ୍ୟ ଅତିଥି ମାନଙ୍କ ଗହଣରେ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ପ୍ରଦର୍ଶିତ ଫଳପୁଷ୍ପର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅଞ୍ଚଳରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏଭଳି ଏକ ବିଶାଳ ପ୍ରଦର୍ଶନୀର ଆୟୋଜନ ନିମନ୍ତେ ସେ ଉଦ୍ୟାନକୃଷି ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ। “ପରିବେଶର ସୁରକ୍ଷା ନିମନ୍ତେ ଉଦ୍ୟାନର ବିକାଶ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ବିଶ୍ଵକୁ ଅଧିକ ସୁନ୍ଦର ଗଢିତୋଳିବା ନିମନ୍ତେ ପ୍ରତ୍ୟେକଙ୍କୁ ଉଦ୍ୟାନସୃଷ୍ଟିରେ ନିଜର ବୃହତ୍ତର ଅବସର ସମୟ ନିବେଶ କରିବା ଆବଶ୍ୟକ,” ବୋଲି ସେ ଉଲ୍ଲେଖ କରିଥିଲେ।   

ଜାନୁଆରୀ ୬ ତାରିଖରେ ଆୟୋଜିତ ପ୍ରଦର୍ଶନୀର ପୁରସ୍କାର ବିତରଣୀ ଉତ୍ସବରେ ପ୍ରକଳ୍ପ ବିଭାଗର ଇଡ଼ି, ଶ୍ରୀ ରାଜୀବ ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ରାଜବୀର ସିଂହ, ସହର ପ୍ରଶାସନ ଓ ସିଏସଆର ବିଭାଗର ଜିଏମ, ଶ୍ରୀ ଅଜୟ କୁମାର ନାୟକ, ସହରସେବା ବିଭାଗର ଭାରପ୍ରାପ୍ତ ଡ଼ିଜିଏମ, ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ। ଅତିଥି ମାନେ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ।  

ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଗାର୍ଡେନ ସଜ୍ଜା, ଫୁଲ, ପନିପରିବା, ଫଳ, ବନସାଇ, କ୍ୟାକ୍ଟି, ଫୁଲଦାନି ସଜ୍ଜିକରଣ, ଫୁଲତୋଡା ପ୍ରସ୍ତୁତି, ଫଳ ବାଉଲ ସଜ୍ଜିକରଣ, ଡିନର ବାଉଲ ସଜ୍ଜିକରଣ, ଫୁଲମାଳା ପ୍ରସ୍ତୁତି ଓ ବଟନହୋଲସ ଆଦିରୁ ମୋଟ ୧୩୧୩ ଟି ପ୍ରବେଶିକା ସ୍ଥାନ ପାଇଥିଲା। ଏହି ଅବସରରେ ବିଭିନ୍ନ ବର୍ଗର ବିଜେତାଙ୍କ ପାଇଁ ସମୁଦାୟ ୨୧୮ ଟି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବଗିଚା ଲେ-ଆଉଟ ପାଇଁ ୨୧ ଟି ପୁରସ୍କାର ପ୍ରଦାନ କରାଯାଇଥିଲା । କଟ ଫ୍ଲାୱାର, ପଟ ପ୍ଳାଣ୍ଟ, ଫଳ ଓ ପନିପରିବାର ସମସ୍ତ ବିଭାଗରେ ସର୍ବାଧିକ ପଏଣ୍ଟ ଲାଭ କରି ସେକ୍ଟର-୭, ଏ-୧୨୪ ନିବାସୀ,ଶ୍ରୀ ବିଷ୍ଣୁ ପରିଡା ସିଇଓଙ୍କ ଟ୍ରଫି ଲାଭ କରିଥିଲେ। ପୁରସ୍କାର ଆକାରରେ ସେ ଟ୍ରଫି ସମେତ ୫୦୦୦ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଥିଲେ। ଦ୍ଵିତୀୟ  ସର୍ବାଧିକ ପଏଣ୍ଟ ହାସଲ କରି ସେକ୍ଟର-୭, ବି-୧୪୫ ନିବାସୀ, ଶ୍ରୀ ପି ଆର ମହାନ୍ତି  ସିଇଓଙ୍କ ଟ୍ରଫି ଓ ପୁରସ୍କାର ଆକାରରେ ୩୦୦୦ ଟଙ୍କା ପୁରସ୍କାର ରାଶି ଲାଭ କରିଥିଲେ। ପନିପରିବା ଓ ଫଳର ସମସ୍ତ ବର୍ଗରେ ସର୍ବାଧିକ ପଏଣ୍ଟ ହାସଲ କରି ସେକ୍ଟର-୧୮ ସି-୧୨୩ ନିବାସୀ, ଶ୍ରୀମତୀ ଏସ ସ୍ଵାଇଁ ଟ୍ରଫି ଓ ପୁରସ୍କାର ଲାଭ କରିଥିଲେ। ଗୋଲାପ ହାଇବ୍ରୀଡ ଟି ରୋଜ ମାର୍ଲେ ୨୦୦୦ ପ୍ରଭେଦ ‘କିଙ୍ଗ ଅଫ ଦି ଶୋ’ ପୁରସ୍କାର ଆକାରରେ ସେକ୍ଟର-୧୬ ବି-୯୫ର ବାସିନ୍ଦା, ଶ୍ରୀ ଏସ ଏସ ସାମଲ ଟ୍ରଫି ଲାଭ କରିଥିବା ବେଳେ କୋଏଲ ନଗର ବି-୫୭ ନିବାସୀ ଶ୍ରୀମତୀ ଆରତି ସ୍ଵାଇଁ ‘କୁଇନ ଅଫ ଦି ଶୋ’ ପୁରସ୍କାର ଲାଭ କରିଥିଲେ । 

ପ୍ରାରମ୍ଭରେ ସହରସେବା ବିଭାଗର ଡ଼ିଜିଏମ, ଶ୍ରୀ ପି କେ ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପଶୁଚିକିତ୍ସା ଅଧିକାରୀ ଓ ଜେଡ଼ଡ଼ିପି ଇନ ଚାର୍ଜ, ଡକ୍ଟର ଏ ବିଶ୍ଵାସ ଧନ୍ୟବାଦ ଜ୍ଞାପନ କରିଥିଲେ।  ଲୋକସମ୍ପର୍କ ବିଭାଗର ଜୁନିୟର ଅଫିସର, ଶ୍ରୀ ଶଶାଙ୍କ ଶେଖର ପଟ୍ଟନାୟକ ଉଦଯାପନୀ ଉତ୍ସବ ସଂଯୋଜନା କରିଥିଲେ। ସାଗର ରିଦିମ ଦ୍ଵାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା।  

 

 

 

 

 

0
0
0
s2sdefault