ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡି ଉଦ୍‍ଘାଟିତ : ଚାଷୀମାନଙ୍କ ନିମନ୍ତେ ସଚେତନତା ସଭା ଓ ଧାନ କ୍ରୟ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ  : ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ କମିଟିର ମୁଖ୍ୟ ବଜାର ପ୍ରାଙ୍ଗଣ ଠାରେ ଖରୀପ ୨୦୧୮-୧୯ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ କ୍ରୟ ମଣ୍ଡି ଉଦ୍‍ଘାଟନ ହେବା ସହ ସଚେତନତା ସଭା ଓ ଧାନ କ୍ରୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ରଘୁନାଥ ଗମାଙ୍ଗଙ୍କ ସଭାପତିତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧାନକ୍ରୟ ମଣ୍ଡିକୁ ଉଦ୍‍ଘାଟନ କରିଥିଲେ । ତିତଲି ବାତ୍ୟାରେ ଚାଷୀମାନେ ବେସ୍‍ ପ୍ରଭାବିତ ହୋଇ ବ୍ୟାପକ କ୍ଷତି ସହିଛନ୍ତି ତେଣୁ ଚାଷୀମାନେ ମଣ୍ଡିକୁ ଧାନ ଆଣି ଦେବା ପରେ ଯେଭଳି ସେମାନଙ୍କ ପ୍ରାପ୍ୟ ପାଇବାରେ ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ କହିଥିଲେ । ମୁଖ୍ୟତଃ ଚାଷୀମାନେ ଯେତେବେଳେ ଧାନମଣ୍ଡିକୁ ବିକ୍ରୟ ପାଇଁ ଆଣିବେ ତାହା ପେକେସ ମାଧ୍ୟମରେ ରଖାଯିବ, କିନ୍ତୁ ଧାନ ସବୁ ଶୁଖିଲା ଓ ସଫାସୁତରା ହୋଇଥିବା ସହ ସମରଙ୍ଗି, ସମଆକାର,ଏକ କିସମର ହେବା ସହିତ ପୋଲା କି ବାଲି ଗୋଡି ଥିବା ଧାନ ନ ଆଣିବା ଉପରେ ଚାଷୀମାନଙ୍କୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଡି.ଗଣପତି ଏବଂ ଏ.ଆର.ସି.ଏସ ଟି.ବି ପ୍ରସାଦ ରାଓ, ଏସ.ଏ.ଆର.ସି.ଏସ ନାରାୟଣ ସେଠୀ, ଏ.ସି.ଏସ.ଓ ପ୍ରସନ୍ନ ନାୟକ ଏବଂ ଶତ୍ରୁଘନ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଧାନମଣ୍ଡିକୁ ପଞ୍ଜିକୃତ ଚାଷୀମାନେ ଧାନ ଆଣିବା ବେଳେ କେଉଁ ମାନର ଧାନ ଆଣିବେ, ଧାନ ଆଣିବା ସମୟରେ ଆବଶ୍ୟକ କାଗଜପତ୍ର କଣ ସବୁ ଆଣିବାକୁ ହେବ, ଧାନର ସରକାରୀ ସହାୟକ ମୂଲ୍ୟ , ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରି ସେମାନଙ୍କ ପ୍ରାପ୍ୟ କିଭଳି ପାଇବେ କହିଥିଲେ । ଅନ୍ୟ ପକ୍ଷରେ ଚଳିତ ୨୦୧୮-୧୯ ବର୍ଷ ପାଇଁ ଜିଲ୍ଲାର ୧୩ ହଜାର ୩୪୩ ଜଣ ଚାଷୀଙ୍କ ଠାରୁ ଖୋଲାଯାଇଥିବା ପ୍ରାଥମିକ କୃଷି ସମବାୟ ସମିତି (ମଣ୍ଡି ଦ୍ୱାରା)ମୋଟ ୩୬.୭୧୬.୪୧୭ ମେଟ୍ରିକଟନ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ମୁଖ୍ୟତଃ ଜଳ ସେଚିତ ଜମି ପାଇଁ ଏକର ପିଛା ୧୯କ୍ୱିଣ୍ଟାଲ ଧାନ ଏବଂ ଅଣ ଜଳସେଚିତ ଚାଷ ଜମି ପାଇଁ ଏକର ପିଛା ୧୨ କ୍ୱିଣ୍ଟାଲ ଧାନ କିଣାଯିବାକୁ କୁହାଯାଇଛି । ଏତଦ୍‍ବ୍ୟତୀତ ସାଧାରଣ ଧାନ ଏଫ.ଏ.କ୍ୟୁ ମାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ଏବଂ ଗ୍ରେଡ ଏ ଧାନ ଏଫ.ଏ.କୁ୍ୟ ମାନ ପାଇଁ କ୍ୱିଣ୍ଟାଲ ପିଛା ୧୭୭୦ଟଙ୍କା ଧାର୍ଯ୍ୟ କରାଯାଇଥିବା କୁହାଯାଇଥିଲା । ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଯୋଗ ଦେଇ ତିତଲି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀମାନଙ୍କ ନିମନ୍ତେ ଧାନ କ୍ରୟ ବେଳେ ଧାନର ମାନରେ କିଛିଟା କୋହଳ କରିବାକୁ କହିଥିଲେ । ଶେଷରେ ମଣ୍ଡିକୁ ଆସିଥିବା ଧାନ ସବୁ ବିଭିନ୍ନ ଯନ୍ତ୍ର ସାହାଯ୍ୟରେ ଧାନ ପରୀକ୍ଷା ଓ ଓଜନ ହୋଇ ଧାନ କ୍ରୟ କରାଯାଇଥିଲା ।   

0
0
0
s2sdefault