ହେଡଲାଇନସ୍:

ବିକାଶ ଏଠି ଶହେ ସପନ .....ପ୍ରଶାସନ ଏଠି ଦୂର ଆକାଶର ଜହ୍ନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ : ପାହାଡଉପରି ଜାଲୋ ଗ୍ରାମବାସୀ ବିତାଉଛନ୍ତି ଅଭିଶପ୍ତ ଜୀବନ  

ପାରଳାଖେମୁଣ୍ଡି( ବାଳକୃଷ୍ଣ ପାଣିଗ୍ରାହୀ) ପୂର୍ବରୁ ଆମେ ବିଭିନ୍ନ ମୌଳିକ ସମସ୍ୟା ଦେଇ ଜୀବନ କଟାଉଥିଲୁ । ଏବଂ ଯେଉଁ ତେଣୁ ପ୍ରକାରେ ତାହା ସହ୍ୟ କରି ଚଳି ଯାଉଥିଲୁ । ହେଲେ ତିତିଲି ବାତ୍ୟାରେ ଆମର ବ୍ୟାପକ କ୍ଷୟକ୍ଷତି ହେବା ସହ ଘର ସବୁ ଭାଙ୍ଗି ଯାଇଛି । ଏବଂ ଆମର ଜୀବନ ଜିବିକା ସଂପୁର୍ଣ୍ଣ ଉଜୁଡିଯାଇ  ସଂପୁର୍ଣ୍ଣ ଭାବେ ଏବେ ସର୍ବହରା ହୋଇ ଦୁଃଖ ଯନ୍ତ୍ରଣାରେ ଏକ ଅଭିଶପ୍ତ ଜୀବନ ବିତାଉଛୁ । ଏମିତିକି ଆମ ପାଇଁ ଆହା ବୋଲି କହିବାକୁ କେହି ନାହିଁ ବୋଲି ବଣ ଜଙ୍ଗଲ ଭରା ପାହାଡ ଉପରେ ଥିବା ଆଦିବାସୀ ଅଧ୍ୟୁଷିତ ଜାଲୋ ଗ୍ରାମବାସୀ ଅତ୍ୟନ୍ତ କରୁଣମୟ ଭାବେ ଗୁହାରି କହି ଅଭିଯୋଗ କରିଛନ୍ତି । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଏଙ୍ଗାରସିଂ ପଞ୍ଚାୟତର ଏହି ଗ୍ରାମ ଚାରିଗୋଟି ସାହି ଉପର , ମଝି,ସାନସାହି ଓ ନୂଆ ସାହିରେ ଶତାଧିକ ପରିବାରର ୫୦୦ରୁ ଉର୍ଧ୍ଵ ଲୋକ ଆଦିବାସୀ ସଂପ୍ରଦାୟର ଏଠାରେ ବସବାସ କରି ରହି ଆସୁଛନ୍ତି । ଏମିତିକି ଦେଶ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୦ ବର୍ଷ ହୋଇଯାଇଥିଲେ ମଧ୍ୟ ଶିକ୍ଷା , ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଓ ସରକାରୀ ବ୍ୟବସ୍ଥା ଭଳି ମୌଳିକ ସୁବିଧାରୁ ଗ୍ରାମବାସୀ ସଂପୁର୍ଣ୍ଣ ଭାବେ ବଞ୍ଚିତ ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଦିବାସୀମାନଙ୍କ ଏବଂ ଆଦିବାସୀ ଅଧ୍ୟୁଷିତ  ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ କୋଟି କୋଟି ଖର୍ଚ୍ଚ କରାଯାଉଥିବା ବେଳେ ପ୍ରଶାସନିକ ପରିଚାଳନାଗତ ତ୍ରୁଟି ସାଙ୍ଗକୁ ଏ କ୍ଷେତ୍ରରେ ନିୟୋଜିତ ତଥା ନିଯୁକ୍ତ ତଥା ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀଙ୍କ ଅବହେଳା, ବୈମାତୃକ ମନଭାବ ଏବଂ ପାତର ଅନ୍ତର ନୀତି ଯୋଗୁଁ ଯୋଜନା ଓ ସରକାରୀ ବ୍ୟବସ୍ଥାର ଟଙ୍କାଟିଏ ମଧ୍ୟ ସୁଫଳ ଏ ଅଞ୍ଚଳରେ ପହଞ୍ଚିପାରିନାହିଁ । ତିତିଲି ବାତ୍ୟାରେ ଜାଲୋ ଗ୍ରାମବାସୀଙ୍କର ବ୍ୟାପକ କ୍ଷୟକ୍ଷତି ହେବା ସହ ଅଧିକାଂଶ ଘର ଗୁଡିକ ସଂପୁର୍ଣ୍ଣ ଭାଙ୍ଗିଯାଇଛି । ଘରେ ଥିବା ଜିନିଷ ଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି । ଏମିତିକି ସେମାନଙ୍କ ଭବିଷ୍ୟତ ଜୀବନ ଜୀବିକା ନିର୍ବାହ କରି ଚଳୁଥିବା ବିଭିନ୍ନ ଫସଲ, ଗାଇ ଗୋରୁ , ଛେଳି କୁକୁଡା ସମେତ ଆମ୍ୱ, କାଜୁ, ପଣସ,ତେନ୍ତୁଳି ମହୁଲ ଗଛ ପ୍ରଭୃତି ମଧ୍ୟ ନଷ୍ଟ ହୋଇଯାଇଛି । ଅନ୍ୟ ପକ୍ଷରେ ପାହାଡ ଧୋଇ ହୋଇଯିବା ଓ ପଥର ମାଟି ଧସିଯିବା ଫଳରେ ସେମାନଙ୍କୁ ପଡୁ ଚାଷ ମଧ୍ୟ ପ୍ରଭାବିତ ହୋଇଯାଇଛି । ଏପରି ସ୍ଥଳେ ସେମାନଙ୍କୁ ସରକାରୀ ସହାୟତା ରିଲିଫ ଯେଉଁ ଦିଆଯାଇଛି ତାହା ପ୍ରକୃତରେ ସମୁଦ୍ରକୁ ଶଂଙ୍ଖେ । ଏଭଳି କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ରିଲିଫ ନାମରେ ମିଳିଛି ମାତ୍ର ଚାଉଳ ୫୦ କେଜି ସହ  ୧୦୦୦ ଟଙ୍କା ଓ ଭାଙ୍ଗିଯାଇଥିବା ଘରକୁ ଘୋଡାଇବା ପାଇଁ ଟାର୍‍ପିଲିନ  । ବାତ୍ୟା କ୍ଷୟକ୍ଷତିର ସଠିକ ଆକଳନ ନ କରାଯାଇ ଏପରି ରିଲିଫ ସହାୟତାକୁ ଗ୍ରାମବାସୀ ସହଜେ ଗ୍ରହଣ କରିପାରୁନାହାନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୦୪.୧୧.୨୦୧୮ରେ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଏହି ଜାଲୋ ଗ୍ରାମରେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ଦେବା ପାଇଁ ପହଞ୍ଚିଥିଲା ଟାଟାଷ୍ଟିଲ ଦ୍ୱାରା ଆସିଥିବା ରିଲିଫ ସାମଗ୍ରୀ ଗାଡି । ଏ ରିଲିଫ ସାମଗ୍ରୀ ସବୁ ଏଙ୍ଗାରସିଂ ପଞ୍ଚାୟତ ସରପଞ୍ଚ ପିତାମ୍ୱର ନାୟକ ଏବଂ ଗ୍ରାମସେବକ ଜୟ ଚନ୍ଦ୍ର ବଡମୁଣ୍ଡି ନେଇ ଆସିଥିଲେ । ହେଲେ ଦୁଇ ଜଣ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ରିଲିଫ ସାମଗ୍ରୀ ନେବାକୁ ହେଲେ ଏଥିପାଇଁ ସେମାନଙ୍କୁ ରେସନକାର୍ଡ , ଆଧାରକାର୍ଡ,ବ୍ୟାଙ୍କ ପାସବୁକ, ଭୋଟର ପରିଚୟ ପ୍ରଭୃତି ବାଧ୍ୟତାମୂଳକ ଭାବେ ଦେବାକୁ ନଚେତ ଦିଆଯିବ ନାହିଁ ବୋଲି କହିଥିଲେ । ହେଲେ ଗ୍ରାମବାସୀ ତିତଲି ବାତ୍ୟାରେ ଗ୍ରାମବାସୀଙ୍କ ଘର ଭାଙ୍ଗିଯାଇ ଘରର ସମସ୍ତ ନଷ୍ଟ ହୋଇଯାଇଥିବା ଫଳରେ ସେମାନେ ଏ ସମସ୍ତ କାର୍ଡ ଦେଖାଇପାରିନଥିଲେ । ତତ୍‍କ୍ଷଣାତ ସରପଞ୍ଚ ଓ ଗ୍ରାମସେବକ ରିଲିଫ ସାମଗ୍ରୀ ଗାଡିକୁ ଅନ୍ୟତ୍ର ଫେରାଇ ନେଇଥିଲେ ବୋଲି ଗ୍ରାମବାସୀ ଅଭିଯୋଗରେ ଜଣାଇଥିଲେ । ମୌଳିକ ସମସ୍ୟା ଗୁଡିକ ମଧ୍ୟରେ ଜାଲୋ ଗ୍ରାମକୁ ଏଯାବତ ପକ୍କା ସଡକଟିଏ ନିର୍ମାଣ ହୋଇପାରିନାହିଁ । ଗତ ୩ବର୍ଷ ହେଲା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସଡକ ନିର୍ମାଣ ଚାଲିଥିଲେ ମଧ୍ୟ ତାହା ଅଧପନ୍ତରିଆ ଭାବେ ମାଟି ହୋଇ ପଡିରିହିଛି । ଗ୍ରାମବାସୀ ବର୍ଷାରୁତୁରେ ପ୍ରାୟ ୪ମାସ କାଳ ସେହି ରାସ୍ତା ଦେଇ ଯାଇନପାରି ନାହିଁ ନଥିବା ଯନ୍ତ୍ରଣା ଭୋଗ କରୁଛନ୍ତି । ସେହି ସମୟରେ ଗାଡି ମଟର ଯାତାୟତ ସେବା ସଂପୁର୍ଣ୍ଣ ଭାବେ ଠପ୍‍ ହୋଇପଡୁଛି । ଏମିତିକି ସ୍ୱାସ୍ଥ୍ୟ ସେବା କି ସାଧାରଣ ବଣ୍ଟନ ଆସିବା ଠପ୍‍ ହୋଇପଡୁଛି । ସାଧାରଣ ବଣ୍ଟନ ଆଣିବା ପାଇଁ ପାହାଡିଆ ଜଙ୍ଗଲ ରାସ୍ତା ଦେଇ  ୬କିମି ଦୂର ଚାଲିଯିବାକୁ ପଡୁଛି । ସ୍ୱାସ୍ଥ୍ୟ ସେବା ଏଠାରେ ଆଦୌ ପହଞ୍ଚିପାରୁନଥିବା ବେଳେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ମଧ୍ୟ ଏଠାରେ ପହଞ୍ଚିପାରୁନାହିଁ ଯଦି କେହି ରୋଗାକ୍ରାନ୍ତ ହେଲେ କି ଗର୍ଭବତୀ ମହିଳାଙ୍କୁ ଯନ୍ତ୍ରଣା କି ପ୍ରସବ ପାଇଁ ହେଲେ ଏଠାରୁ ଅନ୍ୟୁନ୍ୟ  ୪୦କିମି ଦୁରତାରେ ଥିବା ରାୟଗଡ ନଚେତ ୬୦କିମି ଦୁରରେ ଥିବା ପାରଳାଖେମୁଣ୍ଡି ଚିକିତ୍ସାଳୟ ଯିବାକୁ ବାଧ୍ୟ ହୋଇଥାଏ । ବିଦ୍ୟାଳୟ କି ଚିକିତ୍ସା ବ୍ୟବସ୍ଥା ଏଠାରେ ଠିକ ନଥିବା ବେଳେ ଖରା ମାସରେ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କିଛି ନାହି । ଏଠାରେ  ଥିବା ଅଙ୍ଗନଵାଡି କେନ୍ଦ୍ରରେ ମଧ୍ୟ ପିଲାମାନଙ୍କ ପାଇଁ ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ । ଏମିତିକି ନଳକୁପ ଟିଏ ମଧ୍ୟ ଖୋଳାଯାଇପାରିନାହିଁ । ବିଦ୍ୟୁତ  ଆଲୋକ ବ୍ୟବସ୍ଥା ଏଠାରେ ଥାଇ ମଧ୍ୟ ନଥିଲାଭଳି । ଥରେ ବିଭ୍ରାଟ କି ଚାଲିଗଲେ କେତେବେଳେ ଆସିବ ଏବଂ କେବେ ଆସିବ ତାହା ଠିକ ନାହିଁ । ଗ୍ରାମର ୩୦ରୁ ୪୦ଜଣ ଲୋକ ଗତ ୨୦୧୪-୧୫ରେ ଉପରଜାଲୋ ଠାରେ ଏଙ୍ଗାରସିଂ ଗ୍ରାମ ପର୍ଯ୍ୟନ୍ତ ମନେରଗା ଯୋଜନାରେ ପ୍ରାୟ ୫ଲକ୍ଷ ଟଙ୍କାର ରାସ୍ତା କାମ ହୋଇଥିଲେ ମଧ୍ୟ କେତେକଙ୍କୁ ଏଯାବତ ସେମାନଙ୍କ ପାରିଶ୍ରମିକ ମିଳିନାହିଁ । ଏବଂ ପ୍ରାୟ ସେହି ଦିନଠାରୁ ଗ୍ରାମବାସୀଙ୍କୁ ମନେରଗା ଯୋଜନାରେ ଆଉ କାମ ମିଳୁନାହଁ । ଏ ସମ୍ପର୍କେରେ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ  ହୋଇ ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳନାହିଁ ବୋଲି ଅଭିଯୋଗରେ କହିଥିଲେ ।

ଗ୍ରାମର ସସ୍ମିତା ଗମାଙ୍ଗ, ରାଜମଣି ବଡମୁଣ୍ଡି, କୁନି ବଡମୁଣ୍ଡି, ସୁଦାମ ବେହେରା, ରାମଚନ୍ଦ୍ର ବେହେରା, ମୀନକେତନ ବେହେରା, ସିମାଦ୍ରୀ ଦଳବେହେରା ଏବଂ ଅନନ୍ତ କାର୍ଯ୍ୟୀ ଦୃଢ ଦାବି କରି ଅଭିଯୋଗରେ ଜଣାଇଛନ୍ତି ଯେ ଉପରୋକ୍ତ ସରପଞ୍ଚ ଓ ଗ୍ରାମସେବକ ଜାଲୋ ଗ୍ରାମବାସୀଙ୍କ ପ୍ରତି ସେମାନଙ୍କ ମନମୁଖୀ କାର୍ଯ୍ୟକଳାପ ସହ ପାତର ଅନ୍ତର ଓ ବୈମାତୃକ ମନୋଭାବ ନୀତି ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୌଳିକ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯିବା ସହ ପଞ୍ଚାୟତସ୍ତରୀୟ ସମସ୍ତ ସୁବିଧା ଓ ରିଲିଫ ସମେତ ଇନ୍ଦିରା ଆବାସ, ରାସ୍ତାଘାଟ ନିର୍ମାଣ , ବିପିଏଲ ଚାଉଳ ଓ ବାର୍ଦ୍ଦକ୍ୟ ଭତ୍ତା ବଣ୍ଟନ ପ୍ରଭୃତି ବ୍ୟବସ୍ଥା ଲୋବା ପଞ୍ଚାୟତ ଜରିଆରେ ବଣ୍ଟନର ସୁବ୍ୟବସ୍ଥା କରାଯାଉ ବୋଲି ନଚେତ ଏହାର ପ୍ରତିବାଦରେ ଅସନ୍ତୋଷର ବାତାବରଣ ଦେଖାଦେବ ବୋଲି ଅଭିଯୋଗରେ କହିଥିଲେ ।

 

 

 

0
0
0
s2sdefault