ହେଡଲାଇନସ୍:

ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ଆଇନକୁ ଅଣଦେଖା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଅରବିନ୍ଦ ଦାସ )- ଓଡ଼ିଶାର ଶାସନ ବ୍ୟବସ୍ଥାରେ ଶତପ୍ରତିଶତ ସ୍ୱଚ୍ଛତା ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ତାଙ୍କର ଏହି ପ୍ରଚେଷ୍ଟାରେ ବାଧକ ସାଜିଛନ୍ତି କେତେକ ଅମଲା । ଫଳରେ ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହିପରି ଏକ ନଜିର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଧୀନରେ ଥିବା ବଡ଼ଭାଲିଆ ଗ୍ରାମପଞ୍ଚାୟତର କାଲଟିଆ ଗ୍ରାମରେ ହୋଇଥିବା ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି  କ୍ଷେତ୍ରରେ । କାଲଟିଆ ଅଙ୍ଗନୱାଡ଼ି ନିମନ୍ତେ କର୍ମୀ ନିଯୁକ୍ତି ସମୟରେ ବିଭାଗୀୟ ଅଧିକାରୀ ଏଥି ନିମନ୍ତେ ରହିଥିବା ଆଇନକାନୁନ ଓ ନିୟମାବଳୀକୁ ଖୋଲାଖୋଲି ଭାବେ ଅଣଦେଖା କରିଥିବାର ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଶୁଳିଆପଦା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାଲଟିଆ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ନିମନ୍ତେ ଗତ ୨୦୧୮ ସେପ୍ଟେମ୍ବର ୧ରେ ପତ୍ର ସଂଖ୍ୟା ୫୩୪/୦୧.୦୯.୨୦୧୮ରେ ଏକ ବିଜ୍ଞାପନ ପ୍ରକାଶ ପାଇବାପରେ ପାର୍ବତୀ ବେଶ୍ରା, ଦୁଲାଲୀ ହେମ୍ବ୍ରମ ଓ ସରୋଜିନୀ ହେମ୍ବ୍ରମ ପ୍ରମୁଖ ଆବେଦନ କରିଥିଲେ । ଅଙ୍ଗନୱାଡ଼ି କର୍ମୀ ପଦବୀ ନିମନ୍ତେ ପ୍ରାର୍ଥୀମାନେ ଦାଖଲ କରିଥିବା ଜାତିଗତ, ଶିକ୍ଷାଗତ, ଆବାସିକ ଆଦି ପ୍ରମାଣପତ୍ରଗୁଡ଼ିକ ଉପରେ ଯଦି କୌଣସି ଆପତ୍ତି ଅଭିଯୋଗ ଥିଲେ ସେ ସମ୍ପର୍କରେ ଶୁଳିଆପଦା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଅବଗତ କରାଇବାକୁ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୫୭୮/୧୭.୦୯.୨୦୧୮ରେ ଏକ ନୋଟିସ ଜାରି କରାଯାଇଥିଲା ଏବଂ ଏହା ଆବେଦନକାରୀ ପାର୍ବତୀ ବେଶ୍ରାଙ୍କ ଆବାସିକ(ବାସସ୍ଥାନ) ପ୍ରମାଣପତ୍ରର ବୈଧତା ଉପରେ ଅଭିଯୋଗ ହୋଇଥିଲା । ପାର୍ବତୀ ବେଶ୍ରା ୨୦୧୮  ଏପ୍ରିଲ ୩ରେ କାଲଟିଆ ଗ୍ରାମର ନବୀନ ଚନ୍ଦ୍ର ହାଁସଦାଃଙ୍କୁ ବିବାହ କରିଥିବା ବେଳେ ୦୨.୦୭.୨୦୧୮ରେ ଅର୍ଥାତ୍ ବିବାହର ୩ ମାସ ମଧ୍ୟରେ କିପରି ଶୁଳିଆପଦା ତହସିଲ କାର୍ଯ୍ୟାଳୟରୁ ସରକାରଙ୍କର କେଉଁ ଆଇନକାନୁନ ବଳରେ ବାସସ୍ଥାନ ପ୍ରମାଣପତ୍ର ହାସଲ କରି ଅଙ୍ଗନୱାଡ଼ି କର୍ମୀ ନିମନ୍ତେ ଆବେଦନ କାରିପାରିଲେ ଏହା ଉପରେ ଅଭିଯୋଗ ହୋଇଥିଲା । ସରକାରଙ୍କ ନିୟମ ଅନୁସାରେ ଆବାସିକ(ରେସିଡେନସିଆଲ) ପ୍ରମାଣପତ୍ର ନିମନ୍ତେ ଏକ ବର୍ଷରୁ ଅଧିକ ସମୟ ଧରି ବସବାସ କରୁଥିବା ବ୍ୟକ୍ତିଙ୍କୁ ମିଳିପାରିବ । ତେଣୁ ପାର୍ବତୀ ବେଶ୍ରା ଚଞ୍ଚକତା କରି ଅସାଧୁ ଉପାୟରେ ଏହି ବାସସ୍ଥାନ ପ୍ରମାଣପତ୍ର ଦ୍ୱାରା ଅଙ୍ଗନୱାଡ଼ି କର୍ମୀ ପଦବୀକୁ ହାତେଇ ନେଇଥିବା ବିଷୟକୁ ନେଇ ସ୍ଥାନୀୟ କାଲଟିଆ ଗ୍ରାମର ଜନସାଧାରଣ ଶୁଳିଆପଦା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ, ତହସିଲଦାର, ବିଡ଼ିଓ ଓ ବାରିପଦା ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଆଣିଥିଲେ । ଏହା ଉପରେ ଶୁଳିଆପଦା ତହସିଲଦାର ଓ ବିଡ଼ିଓ ତଦନ୍ତ କରି ଯଥାକ୍ରମେ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୪୭୫/୦୩.୧୦.୨୦୧୮ ଓ ୪୧୩୨/୨୯.୧୧.୨୦୧୮ ମାଧ୍ୟମରେ ପାର୍ବତୀ ବେଶ୍ରା ଦାଖଲ କରିଥିବା ଆବାସିକ ପ୍ରମାଣପତ୍ରର ବୈଧତା ଉପରେ ସବିଶେଷ ରିପୋର୍ଟ ବାରିପଦା ଉପଜିଲ୍ଲାପାଙ୍କ ନିକଟରେ ଦାଖଲ କରିସାରିଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ  ଗୃହୀତ ହୋଇପାରି ନଥିବା ବିଷୟକୁ ନେଇ କାଲଟିଆ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଯଦି ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଖ୍ଠାନ ଗ୍ରହଣ ନକରନ୍ତି , ତେବେ ସେମାନେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏବିଷୟରେ ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ସେଲ ନଂ ୯୨୦୫୨୦୭୧୮୩ରେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ ।

 

0
0
0
s2sdefault