ହେଡଲାଇନସ୍:

‘ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା’ ବିଜେଡି ନେତ୍ରୀ ସୁଲତା ଦେଓଙ୍କ ପୁରୁଣା ଅଭ୍ୟାସ: କସ୍ତୁରୀ ମିଶ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ତା.୨୩/୦୪: ବିଜେଡି ସାଂସଦ ସୁଲତା ଦେଓଙ୍କୁ ପାର୍ଟିରେ କୋଣଠେସା କରାଯିବା ପରେ ସେ ଭାଙ୍ଗିପଡିଥିବା ମନେହେଉଛି । ତେଣୁ ନିର୍ବାଚନ ସମୟରେ ଦଳର ଆସ୍ଥାଭାଜନ ହେବା ପାଇଁ ସେ ସୁଜାତା କାର୍ତିକେୟନଙ୍କ ଇଙ୍ଗିତରେ ବିଜେପି ଓ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ସହିତ ଜାତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ବିରୋଧ କରିବାକୁ ପଛାଇ ନାହାନ୍ତି । ଏସ୍‌ଏଚ୍‌ଜି ମହିଳାଙ୍କ ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟରେ ମିଶନ ଶକ୍ତି ସଚ୍ଚିବ ସୁଜାତା କାର୍ତିକେୟନଙ୍କ ନିର୍ଦ୍ଦେଶରେ ସୁଲତା ଦେଓଙ୍କୁ ମିଛ କୁହାଇଛନ୍ତି । ସୁଜାତା କାର୍ତିକେୟନଙ୍କ ନିର୍ଦ୍ଦେଶରେ ସମ୍ବଲପୁରରେ କିଛି ମିଶନ ଶକ୍ତିର ମହିଳାମାନଙ୍କୁ ପ୍ରଲୋଭନ ଦେଖାଇ ନିର୍ବାଚନ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସରକାରୀ ଖର୍ଚ୍ଚରେ ଦୁବାଇ ନିଆଯାଇଥିଲା । ଯାତ୍ରା ବାବଦକୁ ଓଟିଡିସି ଓ ଫିକି ସଂସ୍ଥା ଦ୍ୱାରା ସରକାରୀ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି, ଯାହା ସମ୍ପୂର୍ଣ୍ଣ ରୂପେ ନିର୍ବାଚନ ଆଚରଣ ବିଧି ବିରୁଦ୍ଧରେ ଯାଉଛି । ବିଜେଡିର ଏହି କାର୍ଯ୍ୟକଳାପ ରିପ୍ରେଜେଂଟେସନ ଅଫ୍ ପିପୁଲସ୍ ଆକ୍ଟ ୧୯୫୧ର ଧାରା ୧୨୩ ଅନ୍ତର୍ଗତ ଦୁର୍ନୀତିଗ୍ରସ୍ତ ପ୍ରଥାକୁ ଦର୍ଶାଉଛି ଏବଂ ଏହା ଆଇନ ଅନୁଯାୟୀ ଦଣ୍ଡବିଧାନ ଅଟେ । ଏତଦ୍‌ବ୍ୟତୀତ ଏହି ପ୍ରକାର କାର୍ଯ୍ୟ ମଡେଲ କୋର୍ଡ ଅଫ୍ କଣ୍ଡକ୍ଟ ଏବଂ ଇସିଆଇର ପ୍ରସ୍ତାବିତ କାର୍ଯ୍ୟ ପ୍ରଣାଳୀ ବିରୋଧୀ ବୋଲି ରାଜ୍ୟ ସମ୍ପାଦକ ଶ୍ରୀମତୀ କସ୍ତୁରୀ ମିଶ୍ର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ଶ୍ରମତୀ ମିଶ୍ର କହିଛନ୍ତି ଯେ, ଏହାର ସତ୍ୟାସତ୍ୟ ଜଣାପଡିବା ପରେ ନିର୍ବାଚନ ଅଧିକାରୀ ଏହା ଉପରେ ସ୍ଥଗିତାଦେଶ ଦେଇଛନ୍ତି । ମାତ୍ର ବିଜେଡି ନେତ୍ରୀ ସୁଲତା ଦେଓ ସତ କଥା ନକହି ନିଜ ଦଳକୁ ସୁହାଇବା ଭଳି ଡାହା ମିଛ କଥା ସବୁ କହୁଛନ୍ତି । ଆଜି ସେ ଯେଉଁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ଜାଣି ରଖିବା ଉଚିତ ଯେ, ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସଫଳ କ୍ରିୟାନ୍ୱୟନ ପାଇଁ ତାଙ୍କୁ “ଉଜ୍ଜ୍ୱଳା ମ୍ୟାନ”ର ଆଖ୍ୟା ଦିଆଯାଇଛି । ଆଜି ସମ୍ବଲପୁର ସମେତ ଓଡିଶା ଏବଂ ଭାରତ ବର୍ଷରେ ଅନେକ ମହିଳା ସ୍କିଲ ମିଶନରେ ପ୍ରଶିକ୍ଷଣ ନେଇ ସ୍ୱାବଲମ୍ବୀ ହେବା ସହ ସଶକ୍ତ ହେଉଛନ୍ତି । ସିଲେଇ କାରିଗରୀ ସହ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ନେଇ ଆତ୍ମନିର୍ଭର ହେଉଛନ୍ତି । “ମିଶନ ଶକ୍ତି” ନରେନ୍ଦ୍ର ମୋଦିଙ୍କ ଯୋଜନା ଅଟେ । ଆଜି ଦେଶରେ ୩କୋଟି ଓ ଓଡିଶାରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଲକ୍ଷପତି ଦିଦି ସୃଷ୍ଟି କରୁଛନ୍ତି ମୋଦି ସରକାର । ମହିଳାଙ୍କୁ ଡ୍ରୋନ ପଦ୍ଧତିରେ ଚାଷ କରିବାର ଶିକ୍ଷା ଦିଆଯାଉଛି ।ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ମୋଦି ସରକାର କୌଣସି ବନ୍ଧକ ବିନା ଋଣ ପ୍ରଦାନ ସୀମା ୧୦ଲକ୍ଷରୁ ବଢ଼ାଇ ୨୦ଲକ୍ଷ ଟଙ୍କା କରିଛନ୍ତି । ଏହା ବ୍ୟତିତ ନିଜେ ସୁଧଭାର ଭରଣ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ଦିଆଯାଉଛି । ଓଡ଼ିଶାରେ ୨୫,୩୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ମହିଳା ଗୋଷ୍ଠୀମାନଙ୍କୁ ଦିଆଯାଇଛି । ବିଜେଡି ଶାସନରେ ମହିଳାମାନେ ନିର୍ଯ୍ୟାତିତ । ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ମହିଳା ଅତ୍ୟାଚାରରେ ଓଡିଶା ଆଗରେ ଅଛି । ଶାସକ ଦଳର ଅଧାରୁ ଅଧିକ ମନ୍ତ୍ରୀ ମହିଳା ନିର୍ଯ୍ୟାତନା ମାମଲାରେ ସମ୍ପୃକ୍ତ ଅଛନ୍ତି । କୁନ୍ଦୁଲି, ଇତିଶ୍ରୀ, ବେବିନା, ପିହୁ ମାମଲାରେ ସୁଲତା ଦେଓ କ’ଣ କହିବେ? ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ଭଳି କାର୍ଯ୍ୟରୁ ନିବୃତ ରହି ବାସ୍ତବ କଥା କହିଲେ ମା, ଭଉଣୀମାନେ ଖୁସି ହେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିୟତି ଗିରି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault