ପାରଳାଖେମୁଣ୍ଡି ରୁ ବିଜେଡି ପ୍ରାର୍ଥୀ ଓ ମୋହନାରୁ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି [ସୋମବାର ଦିନ] ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲର ୫ମ ଦିନରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ଇଂ ରୂପେଶ କୁମାର ପାଣିଗ୍ରାହୀ ଏବଂ ମୋହନା ନିର୍ବାଚନ ମଣ୍ଡଳୀରୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଦଣ୍ଡାସୀ ଖଣ୍ଡୁଆଳ ସେମାନଙ୍କ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏହି ଅବସରରେ ବିଜେଡି ଯୁବ ପ୍ରାର୍ଥୀ ଇଂ ରୁପେଶ କୁମାର ପାଣିଗ୍ରାହୀ ଆଜି ତାଙ୍କର ୧୦ ହଜାରରୁ ଉର୍ଦ୍ଧ୍ଵ ସମର୍ଥକଙ୍କ ଗହଣରେ ଏକ ବିରାଟ ରାଲିରେ ଆସି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରିଟର୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡାଙ୍କ ଠାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭାବେ ସତ୍ୟପାଠ ସହ ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ସେହିଭଳି ମୋହନା(ସଂରକ୍ଷିତ) ନିର୍ବାଚନ ମଣ୍ଡଳୀ ପାଇଁ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଦଣ୍ଡାସି ଖଣ୍ଡୁଆଳ ନିଜର ଶତାଧିକ ସମର୍ଥକଙ୍କ ଗହଣରେ ଏକ ଟ୍ରାକ୍ଟର ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରିଟର୍ଣିଂ ଅଫିସର ତଥା ଏଡିଏମ ଶ୍ରୀ ବିରେନ୍ଦ୍ର କୁମାର ଦାସଙ୍କ ଠାରେ ସ୍ଵାଧୀନ ପ୍ରାର୍ଥୀ ଭାବେ ସତ୍ୟପାଠ ସହ ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଥିବା ଇଂ ରୁପେଶ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ଆଜି ହଜାର ହଜାର ସଂଖ୍ୟକ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବାସୀ ମୋ ମନୋବଳକୁ ବଢାଇ ସୁଦୃଢ଼ କରିଛନ୍ତି , ସେଥିପାଇଁ ମୁଁ ସେମାନଙ୍କ ପ୍ରତି କୃତଜ୍ଞ ରହିବା ସହ ସେମାନଙ୍କ ନିରନ୍ତର ସର୍ବାଙ୍ଗୀନ ସେବା କରିବା ପାଇଁ ମୁଁ ସଂକଳ୍ପ ବଦ୍ଧ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ବିକାଶ ଧାରାକୁ ଦୃଷ୍ଟି ଆଗରେ ରଖି ପାଦେ ପାଦେ ଯେଉଁ ଆଗେଇ ଚାଲିଛନ୍ତି , ମୋର ଦୃଢ଼ ବିଶ୍ୱାସ ଯେ , ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ ସହିତ ହଜାର ହଜାର ପାଦ ଆଗକୁ ଚାଲିବେ । ଏଥିସହ ୨୦୩୬ ମସିହା ସୁଦ୍ଧା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ଗଠନ ପାଇଁ ଯେଉଁ ବିଶ୍ୱାସ ଓ ସ୍ବପ୍ନ ରହିଛି , ତାହାକୁ ଆମେ ତାଙ୍କର ସିପାହୀ ଭାବେ ଆଗକୁ ନେଇଯିବୁ ବୋଲି କହିଥିଲେ।
ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ଵାଧୀନ ପ୍ରାର୍ଥୀ ଶ୍ରୀ ଦଣ୍ଡାସୀ ଖଣ୍ଡୁଆଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ଚାଷୀ ପିଲାଙ୍କ ସୁରକ୍ଷା ଭତ୍ତା ୫ ହଜାର ଟଙ୍କା ଏବଂ ବୁଢ଼ାବୁଢ଼ୀ ଭତ୍ତା ୩ ହଜାର ଟଙ୍କା ଦେବାପାଇଁ ଆମେ ସରକାର ଠାରେ ଦାବୀ ରଖିଥିଲୁ , ହେଲେ ସରକାର ଏହା ପୁରାଣ ନ କରି ଓଲଟା ଆମ ଚାଷୀ ଉପରେ ଜୁଲମ କଲେ। ପରେ ଆମେ ଚାଷୀ ସଂଗଠନ ନିଷ୍ପତ୍ତି ନେଲୁ ଯେ , ଆମେ ସମସ୍ତେ ଏକଜୁଟ ହେବା ଏବଂ ବିଧାନସଭା ଯିବା। ଏଥର ଆମକୁ ଆଉ କୌଣସି ବିଜେଡି-ବିଜେପି-କଂଗ୍ରେସ ସରକାର ଦରକାର ନାହିଁ , ଆମେ ନିଜେ ଚାଷୀ ସରକାର ଗଠନ କରିବୁ ଏବଂ ନିଜେ ଚାଷୀ ଆଇନ କରିବୁ , ସେଥିପାଇଁ ଆଜି ଆମେ ଏହି ପଦକ୍ଷେପ ନେଇଛୁ ବୋଲି କହିଥିଲେ।

0
0
0
s2sdefault