ବିଜେଡି ସମ୍ବଲପୁର ପାଇଁ ଥିବା ନିଜ ଦାୟିତ୍ୱକୁ ଭୁଲି ପ୍ରସଙ୍ଗ ନଥିବାରୁ ମିଛ ସୁଆଙ୍ଗ ରଚୁଛି - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁରରେ କର୍ମୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ

  • • ବୁର୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟର ଉଦଘାଟନ କରିବା ସହ ମିଶ୍ରଣ ପର୍ବରେ ଯୋଗଦେଲେ

  • • ବିଭିନ୍ନ ସଂଘର କର୍ମକର୍ତ୍ତା ଓ ସଂଗଠନର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

  • • ଏନଏଚ-୫୫ର ୯୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ବାକି କାମ ରାଜ୍ୟ ସରକାରଙ୍କ ଅସହୋଯୋଗ ଓ ଷଡଯନ୍ତ୍ର କାରଣରୁ ହୋଇପାରୁନାହିଁ

  • • ସାରା ରାଜ୍ୟରେ ୨୫ ବର୍ଷର ରୂପାନ୍ତରଣ କଥା କୁହାଯାଉଥିବା ବେଳେ ପ୍ରାୟ ସବୁ ସ୍ଥାନରେ କାହିଁକି ଭୋଟ୍ ବର୍ଜନର କଥା ଆସୁଛି ?

  • • ପ୍ରସଙ୍ଗ ଧର୍ମେନ୍ଦ୍ର ପ୍ରଧାନ ନୁହେଁ, ପ୍ରସଙ୍ଗ ହେଉଛି ଓଡ଼ିଶାର ବିକାଶ କିଏ କରିବ ? ୧୦ ବର୍ଷର କଲ୍ୟାଣକାରୀ ଶାସନ ନା ୨୪ ବର୍ଷର ରୂପାନ୍ତରଣ କହୁଥିବା ଅପାରଗ ସରକାର ?

  • • ସମ୍ବଲପୁର ସହରରେ ରାସ୍ତା ଓ ଡ୍ରେନଜର ବ୍ୟବସ୍ଥା କଣ ?

  • • ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନର ପ୍ରାର୍ଥୀ ହୋଇଥିବା ହିଞ୍ଜିଳିକାଟୁ ଓ କଣ୍ଟାବାଞ୍ଜିରେ ଅଧିକ ମାଇଗ୍ରେସନ ହେଉଛି ନା ନାହିଁ ?

  • • ପ୍ରଧାନମନ୍ତ୍ରୀ ୩୪ ଲକ୍ଷ ଆବାସ ପଠାଇଛନ୍ତି, କିନ୍ତୁ ବୁର୍ଲାରେ ଲୋକଙ୍କ ପାଖରେ ପଟ୍ଟା ନଥିବାରୁ ସେମାନଙ୍କୁ ଘର ମିଳୁନାହିଁ

  • • ସମ୍ବଲପୁରରେ ଥିବା ଅପାର ସମ୍ଭାବନାକୁ ସୁଯୋଗରେ ପରିଣତ କରିବା ପାଇଁ କଲେ ଆହ୍ୱାନ

  • • ବିଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ସବୁ ବର୍ଗର ଲୋକଙ୍କ କଲ୍ୟାଣ ପ୍ରତି ସମର୍ପିତ ହୋଇଛନ୍ତି

  • • ବଡବଜାର ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ହରିନାମ ସଂକୀର୍ତ୍ତନରେ ସାମିଲ ହେଲେ

Imageସମ୍ବଲପୁର, ଏପ୍ରିଲ ୧୭- ପ୍ରସଙ୍ଗ ନଥିବାରୁ ବିଜେଡି ସମ୍ବଲପୁର ପ୍ରତି ଥିବା ନିଜ ଦାୟିତ୍ୱକୁ ଭୁଲି ମିଛ ସୁଆଙ୍ଗ ରଚୁଛି । ଏନଏଚ-୫୫ର ୯୫ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ବାକି କାମ ରାଜ୍ୟ ସରକାରଙ୍କ ଅସହୋଯୋଗ ଓ ଷଡଯନ୍ତ୍ର କାରଣରୁ ହୋଇପାରୁନାହିଁ । ଯଦି ସାରା ରାଜ୍ୟରେ ୨୫ ବର୍ଷର ରୂପାନ୍ତରଣ କଥା କୁହାଯାଉଛି ତେବେ ପ୍ରାୟ ସବୁ ସ୍ଥାନରେ କାହିଁକି ଲୋକମାନଙ୍କ ତରଫରୁ ଭୋଟ୍ ବର୍ଜନର କଥା ଆସୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁର୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟର ଉଦଘାଟନ କରିବା ସହ କର୍ମୀ ସମ୍ମିଳନୀରେ ଯୋଗଦେଇ କେନ୍ଦରମନ୍ତ୍ରୀ କହିଛନ୍ତି ଯେ ବିଜେଡି ଏନଏଚ-୫୫ କୁ କେବଳ ପ୍ରସଙ୍ଗ କରି ନିଜର ଦାୟିତ୍ୱ ଭୁଲିଯାଇଛି । ବିଜେଡିକୁ ଏନଏଚ-୫୩ର ବିକାଶ କଥା ଦେଖାଯାଉନାହିଁ । ସମ୍ବଲପୁର ସହରରେ ରାସ୍ତା ଓ ଡ୍ରେନଜର ବ୍ୟବସ୍ଥା କଣ ? ଲୋକଙ୍କ ମୌଳିକ ସୁବିଧା ଉପଲବ୍ଧ କରାଇବାରେ ବିଜେଡି ସରକାର ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଚଳିତ ନିର୍ବାଚନର ପ୍ରାର୍ଥୀ ହୋଇଥିବା ହିଞ୍ଜିଳିକାଟୁ ଓ କଣ୍ଟାବାଞ୍ଜିରେ ଅଧିକ ମାଇଗ୍ରେସନ ହେଉଛି । ପ୍ରଧାନମନ୍ତ୍ରୀ ୩୪ ଲକ୍ଷ ଆବାସ ପଠାଇଛନ୍ତି, କିନ୍ତୁ ବୁର୍ଲାରେ ଲୋକଙ୍କ ପାଖରେ ପଟ୍ଟା ନଥିବାରୁ ସେମାନଙ୍କୁ ଘର ମିଳୁନାହିଁ । ୨୫ ବର୍ଷର ଦୀର୍ଘ ଶାସନ ପରେ ବି ଲୋକଙ୍କୁ ପଟ୍ଟା ଉପଲବ୍ଧ କରାଇପାରୁନାହାନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରାୟ ସାରା ରାଜ୍ୟରେ ୨୪ ବର୍ଷର ରୂପାନ୍ତରଣ କଥା କୁହାଯାଉଥିବା ବେଳେ କାହିଁକି ଭୋଟ୍ ବର୍ଜନର କଥା ଲୋକମାନେ ଉଠାଉଛନ୍ତି । ଏହାକୁ ବିଫଳତା ଓ ପ୍ରବଞ୍ଚନା କୁହାଯିବନି ତ କଣ କୁହାଯିବ । ପ୍ରସଙ୍ଗ ଧର୍ମେନ୍ଦ୍ର ପ୍ରଧାନ ନୁହେଁ, ପ୍ରସଙ୍ଗ ହେଉଛି ଓଡ଼ିଶାର ବିକାଶ କିଏ କରିବ ? ୧୦ ବର୍ଷର କଲ୍ୟାଣକାରୀ ଶାସନ ନା ୨୪ ବର୍ଷର ରୂପାନ୍ତରଣ କହୁଥିବା ଅପାରଗ ସରକାର, ଏହାକୁ ଲୋକମାନେ ହୃଦୟଙ୍ଗମ କଲେଣି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ଲଢିବେ । ସେ ବିଜେପୁରରୁ ଲଢିଥିଲେ । ବିଜେପୁରର ବିକାଶ ତାଙ୍କ ଦାୟିତ୍ୱ ବୋଲି କହିଥିଲେ । ୫ ବର୍ଷରେ କଣ ବିକାଶ କରିଛନ୍ତି, ସେ ସମ୍ପର୍କିତ ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଏହାସହ କଣ୍ଟାବାଞ୍ଜିରୁ ଲଢିବା ପୂର୍ବରୁ ହିଞ୍ଜିଳିରୁ କେତେ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି, ସେ ସମ୍ପର୍କିତ ଏକ ଶ୍ୱେତ ପତ୍ର ପ୍ରକାଶ କରିବା ଉପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ କଥାକୁ ଦୋହରାଇଛନ୍ତି ।

୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଅନେକ ଗରିବ କଲ୍ୟାଣ ଯୋଜନା କରିଛନ୍ତି । କିନ୍ତୁ ସେଥିରୁ ଓଡ଼ିଶା ବଞ୍ଚିତ ହେଲା । କେବଳ ଘରେ ଘରେ ସ୍ୱଚ୍ଛ ପିଇବା ପାଣି ଯୋଗାଇବା ପାଇଁ ୧୦ ହଜାର କୋଟି ଟଙ୍କା ମୋଦୀ ସରକାର ଦେଇଛନ୍ତି । ଅଥଚ ସମ୍ବଲପୁର, ବୁର୍ଲା, ହୀରାକୁଦ ଅଞ୍ଚଳରେ ପିଇବା ପାଣି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ସମ୍ବଲପୁର ମହାନଗର ନିଗମ ହେଲା । କିନ୍ତୁ ନିର୍ବାଚନ ହେଲା ନାହିଁ । କାଳେ ଏଠାରେ ବିଜେପି ଜିତିଯିବ, ସେହି ଡରରେ ନିର୍ବାଚନ କରୁନାହାନ୍ତି । ସମ୍ବଲପୁର ଉନ୍ନୟନ କମିଟିରେ କୌଣସି ରାଜନେତାଙ୍କୁ ନ ନେଇ ଅଫିସରରାଜ ଚଳାଇଛନ୍ତି । ଦୁର୍ନୀତି ଚରମ ସୀମାରେ । ଯେଉଁମାନେ ସମ୍ବଲପୁରର ସଂଶାଧନ ଲୁଟ କରିବାର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଅତ୍ୟାଚାର କରୁଥିଲେ ସେହି ଷଡ଼ଯନ୍ତ୍ରକାରୀମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏମାନଙ୍କୁ ସମ୍ବଲପୁରବାସୀ ଠିକ ଜାଣିଛନ୍ତି, ଠିକ ସମୟରେ ଠିକ ଜବାବ ଦେବେ ।

Imageଶ୍ରୀ ପ୍ରଧାନ କହିଛନ୍ତି ଯେ ସବକା ସାଥ-ସବକା ବିକାଶରେ କାମ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତି ଥିବା ଜନଆସ୍ଥା ବୃଦ୍ଧି ପାଇଛି । ମୋଦୀ ସରକାର ନ୍ୟାୟୋଚିତ ସରକାର । ସେ ବିଗତ ୧୦ ବର୍ଷ ଧରି ସବକା ସାଥ୍‌, ସବକା ବିକାଶ, ସବ୍‌କା ବିଶ୍ୱାସ ଓ ସବକା ପ୍ରୟାସରେ ସବୁ ବର୍ଗ ଓ ଜାତିଙ୍କ କଲ୍ୟାଣ କରୁଛନ୍ତି । ବିକଶିତ ଭାରତ ଓ ସମାବେଶୀ ସମାଜ ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏହି ଭାବନାରେ ଏକାଠୀ ହେବା ପାଇଁ ପଡିବ । ସମ୍ବଲପୁରର ଅପାର ସମ୍ଭାବନାକୁ ସୁଯୋଗରେ ପରିଣତ କରିବା ଉପରେ ଆଲୋଚନା କରିଥିଲେ ।

ସେ ଆହୁରି କହିଛନ୍ତି ବିକଶିତ ଓଡ଼ିଶା ସହ ସମ୍ବଲପୁରକୁ ଦେଶର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ବହୁତ ଉତ୍କଣ୍ଠା ଅଛି । ଦେଶର ଯୁବବର୍ଗ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାକୁ ମନସ୍ଥ କରିଛନ୍ତି । ସମସ୍ତଙ୍କ ସହଯୋଗ ଓ ସାମୂହିକ ଉଦ୍ୟମରେ ହିଁ ସମ୍ବଲପୁରର ବିକାଶ ହେବ । ମୋଦୀ ଗ୍ୟାରେଣ୍ଟିରେ ସମସ୍ତେ ମିଳିତ ଭାବରେ ସମ୍ବଲପୁରର ବିକାଶ ପାଇଁ କାମ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିବା ସହ ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ସମସ୍ତଙ୍କ ଆଶୀର୍ବାଦ କାମନା କରିଥିଲେ ।

ଉଲ୍ଲଖନୀୟ ଯେ, ଏହି କାର୍ଯ୍ୟକ୍ରମ ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଭାବେ ସମ୍ବଲପୁରରେ ବେସରକାରୀ ବସ ମାଲିକ ସଂଘ ସମେତ ବିଭିନ୍ନ ସଂଘର କର୍ମକର୍ତ୍ତା ଓ ସଂଗଠନର ସଦସ୍ୟଙ୍କୁ ଭେଟିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଯାତ୍ରୀଙ୍କ ଯାତାୟତ ସୁବିଧା ଓ ଗମନାଗମନ ନେଇ ବିଭିନ୍ନ ଉପାଦେୟ ପରାମର୍ଶ ଗ୍ରହଣ କରିଥିଲେ । ସମ୍ବଲପୁର ସମେତ ରାଜ୍ୟରେ ଯାତ୍ରୀଙ୍କ ଗମନାଗମନର ବ୍ୟବସ୍ଥାକୁ ସହଜ କରିବାରେ ବସ ମାଲିକ ସଂଘର ଭୂମିକା ଗୁରୁତ୍ୱପର୍ଣ୍ଣ ବୋଲି କହିଥିଲେ । ପରେ ବିଭିନ୍ନ ସଂଗଠନ ସହ ସ୍ଥାନୀୟ ନିର୍ବାଚନମଣ୍ଡଳୀର କିଛି ଯୁବବର୍ଗଙ୍କୁ ଭେଟି ସେମାନଙ୍କର ଥିବା ଆଶା, ଆକାଂକ୍ଷା ଓ ଅପେକ୍ଷା ବିଷୟରେ ପଚାରି ବୁଝିଥିଲେ । ବଡବଜାର ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ହରିନାମ ସଂକୀର୍ତ୍ତନରେ ସାମିଲ ହୋଇଥିଲେ ।

0
0
0
s2sdefault