ହେଡଲାଇନସ୍:

ବାଣପୁର ଐତିହାସିକ ପଲଟଣ ପଡିଆରେ ମହା ଧୁମଧାମରେ ପାଳିତ ହେଲା ଦଣ୍ଡ ମେଳଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର (ସେକ କୌସର ): ଆସ୍ଥା ଓ ବିଶ୍ୱାସର ପ୍ରତୀକ ଦଣ୍ଡ ଠାକୁର। ବିଶ୍ୱାସରୁ ପରମ୍ପରାର ସୃଷ୍ଟି। ଯେଉଁ ଠାକୁର ଦାଣ୍ଡରେ ବୁଲନ୍ତି, ଦାଣ୍ଡରେ ପୂଜା ପାଆନ୍ତି। ଠାକୁରଙ୍କ ସାଥିରେ ଭକ୍ତ ବି ବୁଲେ, ଦାଣ୍ଡରେ ମୁଣ୍ଡିଆ ମାରେ, ଠାକୁରଙ୍କୁ ପାଇବାକୁ ଦଣ୍ଡ ପାଏ।ଏହିଭଳି ଅନନ୍ୟ ପରମ୍ପରା ଓଡ଼ିଶାରେ ପ୍ରଚଳିତ। ବାଣପୁର ଅଂଚଳର ପ୍ରତିଷ୍ଠିତ ଶୈବପୀଠ ମାନଙ୍କରୁ ଦଣ୍ଡ ଠାକୁର ଚୈତ୍ର ମାସରେ ଭକ୍ତମାନଙ୍କ ଗହଣରେ ବର୍ଷକୁ ଥରେ ପ୍ରକଟିତ ହୁଅନ୍ତି। ବାଣପୁରର ବିଜୟ ବିଶ୍ୱାଳ, ମହେନ୍ଦ୍ର ରଣସିଂହ, ପ୍ରଶାନ୍ତ କୁମାର କାଣ୍ଡି, ସୁରେଶ ଚନ୍ଦ୍ର ବାରିକି, ସଂଗ୍ରାମ କେଶରୀ ସାହୁ ଏବଂ ଲୋକନାଥ ପ୍ରଧାନଙ୍କ ଭଳି କିଛି ଉଦୀୟମାନ ବ୍ୟକ୍ତିମାନେ ୨୦୦୯ ମସିହାରେ ଐତିହାସିକ ପଲଟଣ ପଡିଆରେ ଦଣ୍ଡ ଠାକୁରଙ୍କୁ ଏକତ୍ର କରିବାକୁ ପ୍ରୟାସ କରି ଦଣ୍ଡ ମେଳଣର ପରମ୍ପରା ସୃଷ୍ଟି କରିଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମେରୁ ଉତ୍ସବର ପୂର୍ବଦିନ ଠାକୁରଙ୍କ ମେଳଣ ପର୍ବ ଅନୁଷ୍ଠିତ ହେଉଅଛି।ଚଳିତ ବର୍ଷ ଗୋଧୂଳି ସମୟର ଆଗମନରେ ବାଣପୁର ବଡହନ୍ତୁଆଡ଼ର ଶ୍ରୀଶ୍ରୀଶ୍ରୀ ରାଜା ରାଜେଶ୍ଵରୀଦେବ, ସାନହନ୍ତୁଆଡ଼ ଭକ୍ତ ରାଜେଶ୍ଵରୀଦେବ, ମାଟିଆପୋଖରୀ କପିଳେଶ୍ୱର ଦେବ, ଭେଟେଶ୍ୱର ଭେଟିନାଥ ଦେବ, ଗାଲୁଆ ଗୁପ୍ତେଶ୍ୱର ଦେବ, ବାଲୁଙ୍କେଶ୍ୱର ଦେବ, ବଡସିରେଇପୁର ଗୁପ୍ତେଶ୍ୱର ଦେବ, ବେଣୁଆଁବାଡି ଗାଦିଶ୍ୱରଦେବ, ଅରାଙ୍ଗ ନୀଳକଣ୍ଠେଶ୍ଵର ଦେବ, ବୋରିଗାଁ ନାଗରାଜ ଦେବ, ଭୀମପୁର ଝାଡ଼େଶ୍ୱର ଦେବ ଏବଂ ଖାରିଆ ପଲ୍ଲୀର ପଞ୍ଚମହାଦେବ ଦଣ୍ଡ ଠାକୁରଙ୍କ ପଞ୍ଚୁଦଳ ପଡିଆରେ ଏକ ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା।ଠାକୁର ମାନେ ମେଳଣ ପଡିଆକୁ ପ୍ରବେଶ ସମୟରେ ସମସ୍ତ ଉଦ୍ୟୋଗୀ ବନ୍ଧୁମାନଙ୍କ ଦ୍ୱାରା ଠାକୁର ମାନଙ୍କୁ ନୂଆ ଥାଳିରେ ଗୁଆ, ଚନ୍ଦନ, ଫୁଲ, ଦୀପ, ଦିଆଯାଇ ଅଭ୍ୟର୍ଥନା କରା ଯାଇଥିଲା। ଘଣ୍ଟ, ଘଣ୍ଟା, କାହାଳି ଓ ମୃଦଙ୍ଗ ସହିତ ଝୁଣା ଖେଳରେ ଫାଟି ପଡୁଥିଲା ପଲଟଣ ପଡିଆ। ହଜାର ହଜାର ଭକ୍ତ ମାନଙ୍କର ହରିବୋଲ ହୁଳହୁଳି ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠୁଥିଲା ଠାକୁର ମାନଙ୍କର ଆଗମନ ଉପଲକ୍ଷେ ଉକ୍ତ ସ୍ଥାନରେ ଯଂଜ୍ଞ, ସଂକୀର୍ତ୍ତନ ଓ ଭଜନ ସମାରୋହ ମାଧ୍ୟମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଠାକୁରଙ୍କ ଆଶୀର୍ବାଦ ନେବାପାଇଁ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଉପସ୍ଥିତ ଥିଲେ। ପରିଶେଷରେ ଭୋଗ ନୈବେଦ୍ୟ ଲାଗି ପରେ ସମସ୍ତ ଠାକୁର ମାନଙ୍କର ମେଳଣ ପର୍ବ ଅନୁଷ୍ଠିତ ହେବାପରେ ଠାକୁର ମାନେ ସ୍ଵ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

0
0
0
s2sdefault