ନଭେମ୍ବରେ ଆସିବେ ପ୍ରଧାନମନ୍ତ୍ରୀ !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପ୍ରସ୍ତାବିତ ତାଳଚେର ସାର କାରଖାନାର କରିବେ ଶିଳାନ୍ୟାସ

 

ଭୁବନେଶ୍ୱରରୁ ଚକ୍ରଧର ମଝି : ତାଳଚେରରେ ଏକ ଗ୍ୟାସ ଭିତିକ ଆଧୁନିକ ସାର କାରଖାନାନିର୍ମାଣ କରାଯିବ । ଏଥିଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପରିବେଶ ମଂଜୁରୀ ପ୍ରଦାନ କରାଯାଇଛି । ଆସନ୍ତା ନଭେମ୍ବର ମାସରେ ପ୍ରସ୍ତାବିତ ତାଳଚେର ସାର କାରଖାନାର ଆଧାରଶିଳା ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତରେ ଆସିବା ଲାଗି ଅନୁରୋଧ କରାଯାଇଛି ବୋଲି ଭୁବନେଶ୍ୱରଠାରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଯେ ତାଳଚେର ବ୍ୟତୀତ ଗୋରଖପୁର, ସିନ୍ଧ୍ରି ଏବଂ ବରଉନିଠାରେ ଆଉ ତିନୋଟି ଗ୍ୟାସ ଭିତିକ ସାର କାରଖାନା ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା କାର୍ଯ୍ୟକ୍ରମ ଅଧିନରେ ଯେଉଁସବୁ ରାଜ୍ୟ ଦେଇ ପ୍ରାକୃତିକ ବାଷ୍ପ ନେଟୱର୍କ ସ୍ଥାପନ କରାଯିବ, ସେହିସବୁ ଅଂଚଳରେ ଗ୍ୟାସ ଭିତିକ ଶିଳ୍ପର ବିକାଶ ଘଟିବ ଏବଂ ଏହା ଅଧିକରୁ ଅଧିକ ପୁଂଜି ବିନିଯୋଗର ସୁଯୋଗ ସୃଷ୍ଟି କରିବ । ଉର୍ଜା ଗଙ୍ଗା କାର୍ଯ୍ୟକ୍ରମ ଯୋଜନାରେ ଓଡ଼ିଶା, ଉତର ପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ଦେଇ ପ୍ରଥମ ପର୍ଯ୍ୟାୟରେ ୨୬୫୦ କିଲୋମିଟର ଦୀର୍ଘର ଗ୍ୟାସ ଲାଇନ ବିଛାଯିବ । ଓଡ଼ିଶା ମଧ୍ୟରେ ୭୬୯ କିଲୋମିଟର ଦୀର୍ଘର ପାଇପଲାଇନ ପଡିବ । ୩୬ ଇଂଚ ବ୍ୟାସର ପାଇପଲାଇନ ଦେଇ ବିଭିନ୍ନ ଅଂଚଳକୁ ଗ୍ୟାସ ଯୋଗାଣ ହେବ ଏବଂ ଏଥିଲାଗି ୪ ହଜାର କୋଟି ଟଙ୍କା ବିନିଯୋଗ କରାଯିବ ।
ଶ୍ରୀ ପ୍ରଧାନ କହିଥିଲେ ଯେ ୧୩ ଟି ଜିଲ୍ଲା ଦେଇ ଯାଉଥିବା ଏହି ପାଇପଲାଇନ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ଖୋର୍ଦ୍ଧା, ଝାରସୁଗୁଡା, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, କଟକ, ଅନୁଗୁଳ, ଢେଙ୍କାନାଳ, କଳିଙ୍ଗନଗର, ଯାଜପୁର ଏବଂ ପାରାଦୀପ  ଶିଳ୍ପାଂଚଳ ବିଶେଷଭାବେ ଉପକୃତ ହେବେ ।
କେନ୍ଦ୍ର ସରକାର ଗ୍ୟାସ ଭିତିକ ଅର୍ଥ ବ୍ୟବସ୍ଥାକୁ ଗୁରୁତ୍ୱ  ଦେଉଥିବା ସୂଚନା ଦେଇ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ଧାମରାରେ ଏକ ବୃହତ ଗ୍ୟାସ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପରେ ପ୍ରାୟ ୬ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗ୍ୟାସର ବ୍ୟବହାର ବଢିଲେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ହ୍ରାସ ପାଇବ ଏବଂ ଇନ୍ଧନ ଖର୍ଚ୍ଚ ମଧ୍ୟ ୩୦ ରୁ ୫୦ ଭାଗ କମିବ ବୋଲି ସେ କହିଥିଲେ ।
ବର୍ତମାନ ଦେଶ ଭିତରେ ପ୍ରାୟ ୨୦ ନିୟୁତ ଟନ ପ୍ରାକୃତିକ ବାଷ୍ପ ଉତ୍ପାଦନ ହେଉଛି । ତେବେ ଗ୍ୟାସ ଚାହିଦା ବୃଦ୍ଧି ପାଉଥିବାରୁ ଓମାନ୍, କତାର, ନାଇଜେରିଆ, ଆମେରିକା ଏବଂ ଅଷ୍ଟ୍ରେଲିଆରୁ ଗ୍ୟାସ ଆମଦାନୀ ବୃଦ୍ଧି କରାଯିବ । କୋଇଲା ଏବଂ ତୈଳ ଅପେକ୍ଷା ପ୍ରାକୃତିକ ବାଷ୍ପ ଏକ ସ୍ୱଚ୍ଛ  ଇନ୍ଧନ ହୋଇଥିବାରୁ ଏହା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।

0
0
0
s2sdefault