ହେଡଲାଇନସ୍:

ପାଣି ପଞ୍ଚାୟତ ପକ୍ଷ ପାଳନର ଦ୍ୱିତୀୟ ପର୍ଯ୍ୟାୟ ଫେବୃୟାରୀ ୮ରେ ସବୁ ଜିଲ୍ଲାରେ ପୁରସ୍କାର ବିତରଣ, ସଚେତନତା ସମାବେଶ ଓ ପ୍ରଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଫେବୃୟାରୀ ମାସ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଫେବୃୟାରୀ ୧ ରୁ ୭ ତାରିଖ ମଧ୍ୟରେ ରାଜ୍ୟରେ ବିଭାଗୀୟ ୧୧୭ ଟି ଡିଭିଜନସ୍ତରରେ ପାଣି ପଂଚାୟତ ପକ୍ଷପାଳିତ ହୋଇଥିବା ବେଳେ ଆସନ୍ତା କାଲି ଫେବୃୟାରୀ ୮ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ୨ୟ ପର୍ଯ୍ୟାୟ ପାଣି ପଂଚାୟତ ପକ୍ଷ ଜିଲ୍ଲାସ୍ତରରେ ପାଳନ କରାଯିବ ।
ପାଣି ପଂଚାୟତର ଭୂମିକା ସଂପର୍କରେ ସୂଚନା ଓ ସଚେତନତା ବାର୍ତ୍ତା ନେଇ ପରିକ୍ରମା କରୁଥିବା ପାଣି ପଂଚାୟତ ରଥଫେବୃୟାରୀ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଡିଭିଜନ ଓ ୮ ଜିଲ୍ଲାର ପ୍ରମୁଖ ସ୍ଥାନ ପରିକ୍ରମା କରିବା ପରେଫେବୃୟାରୀ ୮ ତାରିଖ ସୁଦ୍ଧା ଜିଲ୍ଲା ସଦର ମହାକୁମାରେ ପହଁଚିବ । ୮ ତାରିଖରେ ପାଣି ପଂଚାୟତ ସଦସ୍ୟ, କୃଷକ ଓ ଅନ୍ୟ ସହଭାଗୀ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରରେ ପାଣି ପଂଚାୟତ ସମାବେଶମାନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେଜିଲ୍ଲାସ୍ତରରେ ପ୍ରଦର୍ଶନୀ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷିମେଳାମାନ ମଧ୍ୟ ଅନୁଷ୍ଠିତ ହେଉଛି । ପାଣି ପଂଚାୟତ ପାଳନ ପରିପ୍ରେକ୍ଷୀରେ ବିଭିନ୍ନ ଡିଭିଜନସ୍ତରରେ ଫେବୃୟାରୀ ୬ ତାରିଖରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ, କୁଇଜ୍, ପେଣ୍ଟିଂ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯିବ । ସବୁସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଚାର କରାଯାଇ ପାଣି ପଂଚାୟତ ପକ୍ଷ ପାଳନର ଆଭିମୁଖ୍ୟ ସଂପର୍କରେ ସଚେତନ କରାଯାଉଛି । ପାଣି ପଂଚାୟତ ପକ୍ଷକୁ ଅଧିକ ଅର୍ଥପୂର୍ଣ୍ଣ ଓ ଭଲଭାବେ ପାଳନ କରିବା ପାଇଁ ପ୍ରଚାରପତ୍ର, ପତ୍ରିକା, ସ୍ଲୋଗାନ୍, ପାଣି ପଂଚାୟତ ସଂଗୀତ ଓ ଶପଥ ପାଠ କାର୍ଯ୍ୟକ୍ରମ କରାଯାଉଛି । ଜଳ ସଂପଦ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଜଳ ପ୍ରଭାରୀ ଭାବେ ନିୟୋଜିତ ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଏହି ସବୁ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ।
ପ୍ରକାଶ ଥାଉକି, ଜଳ ପରିଚାଳନା କ୍ଷେତ୍ରରେ ପାଣି ପଞ୍ଚାୟତଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା, ସହଭାଗୀ ଜଳସେଚନ ମାଧ୍ୟମରେ ତୃଣମୂଳସ୍ତରରେ ଜଳର ଉପଲବ୍ଧତାରେ ଗୁଣାତ୍ମକ ମାନ ବୃଦ୍ଧି, ଜଳର ଉପଯୁକ୍ତ ବିନିଯୋଗ ନେଇ ସାମାଜିକ-ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ସଂପର୍କରେ ଜଳ ସଂପଦ ବିଭାଗ ତରଫରୁ ସଚେତନତା ରଥ ପରିକ୍ରମା ସହିତ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ, ପ୍ରଦର୍ଶନୀ ଓ ସଚେତନତା ସମାବେଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

0
0
0
s2sdefault