ହେଡଲାଇନସ୍:

ରାଷ୍ଟ୍ରପିତାଙ୍କ ବଳିଦାନର ୭୫ ବର୍ଷ: ୩୦ ଜାନୁଆରୀରୁ ଆରମ୍ଭ ହେବ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଙ୍କଳ୍ପର ରାଷ୍ଟ୍ରୀୟ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବାପୁଙ୍କ ଜୀବନରେ କୌଣସି ଜାତି, ଧର୍ମ, ରଙ୍ଗ, ଭାଷା, ଲିଙ୍ଗ, ରାଜ୍ୟ, ଦେଶ ଅଥବା କାମର ଭେଦ ନଥିଲା । ନାଥୁରାମଙ୍କ ଗୁଳିରେ ସେ ମଲେ ସତ, ହେଲେ ସେ ତିନୋଟି ଗୁଳି ଜାତିବାଦ, ଧର୍ମଭିତ୍ତିକ ସାମ୍ପ୍ରଦାୟବାଦ ତଥା ପୁଞ୍ଜିବାଦୀ ଶୋଷଣର ପ୍ରତୀକ ଥିଲା । ଗାନ୍ଧୀ ତ ଗୁଳି ଚୋଟରେ ଶହୀଦ ହେଲେ, ହେଲେ ଆମେ ଆମ ସମାଜକୁ ଏହି ତିନି ଶକ୍ତିଙ୍କ କବଳରୁ ବଞ୍ଚାଇବା ପାଇଁ ଆଗକୁ ବଢିବା ଓ ଏହି ଶୋଷଣ ସବୁକୁ ଆଜିଯାଏ ସହିଥିବାରୁ ପ୍ରାୟଶ୍ଚିତ କରିବା ଓ ସଂକଲ୍ପ ନେବା ଆମ ପ୍ରିୟ ବାପୁଙ୍କ ପରିକଳ୍ପିତ ସମାଜ ଆମେ ସ୍ଥାପିତ କରିବା ।"

ଭୁବନେଶ୍ଵର: ପଚସ୍ତରୀ ବର୍ଷ ତଳେ ଆମ ସମସ୍ତଙ୍କର ପ୍ରିୟ ବାପୁଙ୍କୁ ଗୁଳିବିଦ୍ଧ କରି ହତ୍ୟା କରାହେଲା । ତାହା ପୂର୍ବରୁ ସେ ଆମ ଦେଶକୁ ରାମରାଜ୍ୟରେ ପରିଣତ କରିବା ପାଇଁ ବହୁ ପ୍ରୟାସ କରିଥିଲେ । ଦେଶ ସ୍ଵାଧୀନତାଠାରୁ ଆରମ୍ଭ କରି ଜାତି ପ୍ରଥା ଉନ୍ମୁଳନ, ସ୍ଵାବଲମ୍ବୀ ବ୍ୟକ୍ତି ଓ ସମାଜ, ମହିଳା ନେତୃତ୍ଵ, କର୍ମ ଓ ହୃଦୟଭିତ୍ତିକ ଶିକ୍ଷା, ବିଜ୍ଞାନ ସମ୍ମତ ସ୍ୱାସ୍ଥ୍ୟ,ସମତା ଆଧାରିତ ଗ୍ରାମ୍ୟ ଅର୍ଥନୀତି, ସାମ୍ପ୍ରଦାୟିକ ଏକତା ଆଦି ତାଙ୍କ ଜୀବନର ପରମ ବ୍ରତ ଥିଲା । ନିଜ ସ୍ଵପ୍ନର ଭାରତ ଗଢିବାକୁ ଯାଇ ସେ ନିଜ କ୍ୟାରିଅର, ପରିବାର, ସାଥୀ ସବୁକିଛିକୁ ବାଜି ଲଗାଇବାକୁ ପଛାଇ ନଥିଲେ । ଶେଷରେ ଧର୍ମ ଆଧାରରେ ଲାଗିଥିବା ସାମ୍ପ୍ରଦାୟିକ ନିଆଁକୁ ଲିଭାଉ ଲିଭାଉ ଜଣେ ସାମ୍ପ୍ରଦାୟିକ ଆତତାୟୀର ଗୁଳି ଚୋଟରେ ସେ ଶହୀଦ ହୋଇଯାଇଥିଲେ । ଆଉ ସତକୁ ସତ ତାଙ୍କର ଏହି ବଳୀଦାନ ସେ ସମୟରେ ଲାଗିଥିବା ଭୟଙ୍କର ସାମ୍ପ୍ରଦାୟିକ ନିଆଁକୁ ଲିଭାଇ ଦେଇଥିଲା ।
ବାପୁଙ୍କ ହତ୍ୟାର ୭୫ବର୍ଷ ପୁରୁଥିବାବେଳେ ଆଜି ଆମେ କେମିତି ଅଛେ ? ଆମ ପ୍ରିୟ ମାତୃଭୂମୀକୁ ହିଂସା, ଅଜ୍ଞାନ ଓ କୁଶିକ୍ଷାର ଜାଲରୁ ମୁକୁଳାଇବାକୁ ପଡିବ । ଦେଶର ସୁବୁଠୁ ତଳେ ଥିବା ମଣିଷ ଗାନ୍ଧୀଙ୍କ ପାଇଁ ବିକାଶର ମାପକାଠି ଥିଲେ । ସେ ସ୍ଵାଧୀନ ଭାରତର ପ୍ରଥମ ସରକାରଙ୍କୁ କହିଥିଲେ, ‘ଆମକୁ ପ୍ରତିଟି ଆଖିରୁ ଲୁହ ପୋଛିବାକୁ ପଡିବ । କାରଣ ଏହା ବିନା ସ୍ଵାଧୀନତାର ମୂଲ୍ୟ କିଛି ନାହିଁ । ଆଜି ବାପୁଙ୍କର ପ୍ରିୟ ଦେଶ ଜାତିଆଣ ବ୍ୟବସ୍ଥା, ନିଶା, ବେରୋଜଗାରୀ, ମହିଳାଙ୍କ ଉପରେ ଅତ୍ୟାଚାର, ଦରଦାମ ବୃଦ୍ଧି, ବ୍ୟୟବହୁଳ ସ୍ୱାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା, ଧନୀ ଦରିଦ୍ରଙ୍କ ମଧ୍ୟରେ ଆକାଶଛୁଆଁ ବିଭେଦ, ସାମ୍ପ୍ରଦାୟିକ ହିଂସା ଯୋଗୁଁ ବରବାଦ ହେବାକୁ ବସିଛି’ ।
ଏହିଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଆମକୁ ନିଜକୁ ପ୍ରଶ୍ନ କରିବାକୁ ହେବ ଯେ, ଯଦି ଗାନ୍ଧୀ ପରିକଳ୍ପିତ ସମାଜ ଆମେ ଚାହୁଁ, ତେବେ ଆମେ ତାଙ୍କ ଆବର୍ତ୍ତମାନରେ ଏହି ପଚସ୍ତରୀ ବର୍ଷ ମଧ୍ୟରେ କଣ କରିଛୁ ? କେବଳ ଅନ୍ୟକୁ ସମାଲୋଚନା କରିଦେଲେ ହେବ ନାହିଁ, ନିଜ ଲକ୍ଷ୍ୟପଥରେ ପହଞ୍ଚିବା ନିମନ୍ତେ ଆମକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବାକୁ ହେବ । ଆମେ ନିଷ୍ପତ୍ତି ନେବା ଯେ, ଆମେ ଏହି ବର୍ଷ ତମାମ ଭୁଲ କରିବା ନାହିଁ କି ଭୁଲ ସହିବା ନାହିଁ । ନିଜର ଭୁଲ ହେବ ତ ପ୍ରାୟଶ୍ଚିତ କରିବା, କ୍ଷମା ମାଗିବା, ଅନ୍ୟର ଭୁଲ ହେଲେ ସ୍ଵର ଉତ୍ତୋଳନ କରିବା, ସାବଧାନ କରିବା ଏବଂ ଏସବୁ ମହାତ୍ମାଙ୍କ ରାସ୍ତାରେ ଅର୍ଥାତ ମାରିବା ନାହିଁ, ମାନିବା ନାହିଁ କି ଅଟକିବା ନାହିଁ। ଏଥିନିମନ୍ତେ ଆଗାମୀ ୩୦ ଜାନୁଆରୀ ୨୦୨୩ ମସିହାଠାରୁ ବର୍ଷକ ଯାଏ ଆରମ୍ଭ ହେବ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଙ୍କଳ୍ପର ରାଷ୍ଟ୍ରୀୟ ଅଭିଯାନ । ଯେଉଁଥିରେ ଓଡିଶାବ୍ୟାପୀ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଜ୍ୟ ସର୍ବୋଦୟ ମଣ୍ଡଳ, ଲୋହିଆ ଏକାଡେମୀ, ରାଷ୍ଟ୍ରୀୟ ଯୁବା ସଂଗଠନ ଓ ସମବିଚାରୀ ଅନ୍ୟ ସଂଗଠନମାନଙ୍କ ନେତୃତ୍ଵରେ ଯୁବକ, ସାଧାରଣ ନାଗରିକ ଓ ମହିଳା ମାନଙ୍କର ଶିବିର/ସମ୍ମିଳନୀ ଆୟୋଜନ କରାଯିବ । ପ୍ରତିଟି ଅଞ୍ଚଳରେ କୌଣସି ପ୍ରକାରର ଅଶାନ୍ତି, ସାମ୍ପ୍ରଦାୟିକ ହିଂସା, ବିବାଦ ଯେପରି ନହୁଏ, ସେଥିପ୍ରତି ସଜାଗ ରହିବାକୁ ହେବ । ଗାନ୍ଧୀ ସାହିତ୍ୟର ପ୍ରଦର୍ଶନୀ ଓ ବିକ୍ରୟ କରାଯିବ । ବିଭିନ୍ନ ଅବସରରେ ପ୍ରଭାତ ଫେରୀ, ପଦଯାତ୍ରା, ସାଇକେଲ ଯାତ୍ରା, ବାହନ ଯାତ୍ରା ଆୟୋଜନ କରାଯିବ । ବାପୁଙ୍କ ଜୀବନରେ କୌଣସି ଜାତି, ଧର୍ମ, ରଙ୍ଗ, ଭାଷା, ଲିଙ୍ଗ, ରାଜ୍ୟ, ଦେଶ ଅଥବା କାମର ଭେଦ ନଥିଲା । ନାଥୁରାମଙ୍କ ଗୁଳିରେ ସେ ମଲେ ସତ, ହେଲେ ସେ ତିନୋଟି ଗୁଳି ଜାତିବାଦ, ଧର୍ମଭିତ୍ତିକ ସାମ୍ପ୍ରଦାୟବାଦ ତଥା ପୁଞ୍ଜିବାଦୀ ଶୋଷଣର ପ୍ରତୀକ ଥିଲା । ଗାନ୍ଧୀ ତ ଗୁଳି ଚୋଟରେ ଶହୀଦ ହେଲେ, ହେଲେ ଆମେ ଆମ ସମାଜକୁ ଏହି ତିନି ଶକ୍ତିଙ୍କ କବଳରୁ ବଞ୍ଚାଇବା ପାଇଁ ଆଗକୁ ବଢିବା ଓ ଏହି ଶୋଷଣ ସବୁକୁ ଆଜିଯାଏ ସହିଥିବାରୁ ପ୍ରାୟଶ୍ଚିତ କରିବା ଓ ସଂକଲ୍ପ ନେବା ଆମ ପ୍ରିୟ ବାପୁଙ୍କ ପରିକଳ୍ପିତ ସମାଜ ଆମେ ସ୍ଥାପିତ କରିବା । ଓଡିଶାରେ ରାଜ୍ୟବ୍ୟାପୀ ଆଗାମୀ ୩୦ ଜାନୁଆରୀରୁ ଆରମ୍ଭ ହେବ ବର୍ଷବ୍ୟାପୀ ପ୍ରାୟଶ୍ଚିତ ଓ ସଙ୍କଳ୍ପର ରାଷ୍ଟ୍ରୀୟ ଅଭିଯାନ ଆରମ୍ଭ ହେବ ବୋଲି ଆଜି ଲୋହିଆ ଏକାଡ଼େମୀଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଦେବପ୍ରସାଦ ରାୟ, ଡା ବିଶ୍ଵଜିତ, ବିଜୟ କୁମାର ତ୍ରିପାଠୀ, ମିହିର ପ୍ରତାପ ଦାସ, ଜ୍ଞାନ ରଞ୍ଜନ ସାମନ୍ତରାୟ, ବିଶ୍ଵଜିତ ସୂର୍ଯ୍ୟବଂଶୀ, ମାନସ ପଟ୍ଟନାୟକ ପ୍ରମୁଖ ଜଣାଇଛନ୍ତି ।

0
0
0
s2sdefault