ହେଡଲାଇନସ୍:

ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଜୟଦେବ ପୀଠ ପରିଦର୍ଶନ, ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

• ଆସନ୍ତା ବର୍ଷ ଡିସେମ୍ବର ୨୩ ସୁଦ୍ଧା ପ୍ରେକ୍ଷାଳୟର ନିର୍ମାଣ କାର୍ଯ୍ୟସମ୍ପୂର୍ଣ୍ଣ ହେବ ।
• ପୀଠରେ ଥିବା ମନ୍ଦିର ଓ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜସ୍ୱ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଜୟଦେବ ପୀଠ, କେନ୍ଦୁଲି ପରିଦର୍ଶନ କରି ସେଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବଶ୍ରୀରଞ୍ଜନ କୁମାର ଦାସ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା ପୂର୍ବକ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ରାଜ୍ୟପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଜୟଦେବ ପୀଠର ବିକାଶ ପାଇଁ ପଦକ୍ଷେପ ନିଆଯାଇଥିବାବେଳେ ୨୦୧୯ ମସିହା ଫନୀ ବାତ୍ୟା ଦ୍ୱାରା ଜୟଦେବ ପୀଠରେ ଥିବା ଗଛ ଓ ପୀଠର ପରିବେଶ ନଷ୍ଟ ହୋଇଥିଲା । ଏହି ଦୃଷ୍ଟିରୁ ପୀଠର ପୁନରୁଦ୍ଧାର ସହିତ ଏହାର ଉନ୍ନତିକରଣ ପାଇଁ ବିଭିନ୍ନ ମହଲରୁ ଦାବୀ ହୋଇ ଆସୁଥିଲା । ଏହି ପରିପ୍ରେକ୍ଷୀରେ ଜୟଦେବ ପୀଠର ଉନ୍ନତିକରଣ ପାଇଁ ଜାରି ରହିଥିବା କାର୍ଯ୍ୟକୁ ତ୍ୱରିତ ପଦକ୍ଷେପ ନେଇ ସମ୍ପୂର୍ଣ୍ଣ କରିବାକୁ ଏଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି l
ପୀଠରେ ପଯ୍ୟଟନ ବିଭାଗ ତରଫରୁ ନିର୍ମାଣଧୀନ ପ୍ରେକ୍ଷାଳୟ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ଅନୁଭବ କରି ଏହି ପ୍ରକଳ୍ପକୁ ଆସନ୍ତା ବର୍ଷ ଡିସେମ୍ବର ୨୦୨୩ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି l ଜୟଦେବ ପୀଠ ପ୍ରମୋଦ ଉଦ୍ୟାନରେ ଥିବା ୨ଟି ପୁଷ୍କରିଣୀର ପୁନରୁଦ୍ଧାର ଏବଂ ପୀଠରେ ଥିବା ମନ୍ଦିର ଓ ସଂଗ୍ରହାଳୟର ସୌନ୍ଦର୍ଯ୍ୟକରଣ, ନିର୍ମାଣାଧୀନ ଗ୍ରାମୀଣ ଗ୍ରନ୍ଥାଗାରର ସମ୍ପୂର୍ଣ୍ଣକରଣ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ l ୧୭ ଏକର ପରିମିତ ଜମିରେ ଥିବା ଏହି ଜୟଦେବଙ୍କ ଜନ୍ମପୀଠ, କେନ୍ଦୁଲୀ, ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କର ସ୍ମୃତି ବହନ କରୁଛି ଏବଂ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ତଥା ସଂସ୍କୃତିକ ପୀଠ ହୋଇଥିବାରୁ ଏଠାକୁ ବହୁ ପର୍ଯ୍ୟଟକ ଓ ଦର୍ଶକ ଏହି ସ୍ଥଳକୁ ବର୍ଷ ସାରା ପରିଦର୍ଶନ କରିବାକୁ ଆସିଥା’ନ୍ତି lଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ପର୍ଯ୍ୟଟନ ବିଭାଗଏବଂ ଜଙ୍ଗଲ, ପରିବେଶ ଓଜଳବାୟୁ ପରିବର୍ତ୍ତନ ବିଭାଗ ସହିତ ସମନ୍ୱୟ ରକ୍ଷା କରି ଏହି ପୁରାତନ ଐତିହ୍ୟ ଓ ପର୍ଯ୍ୟଟନ ପୀଠର ବିକାଶ ନିମନ୍ତେ ଜାରି ରହିଥିବା ଅନେକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ଆଲୋକପାତ କରିଥିଲେ ।ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ ମଧ୍ୟ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ ।
ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବଶ୍ରୀ ବାଳମୁକୁନ୍ଦ ଭୂୟାଁ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ବାଲିଅନ୍ତା ମଣ୍ଡଳ ଉନ୍ନୟନ ଅଧିକାରୀଶ୍ରୀ ନାରାୟଣ ଚନ୍ଦ୍ର ନାୟକ, ବାଲିପାଟଣା ବିଡିଓ ଶ୍ରୀ ଆଦିକନ୍ଦ ବେହେରା, ବାଲିଅନ୍ତା ଓ ବାଲିପାଟଣା ତହସିଲଦାର ଯଥାକ୍ରମେ ଶ୍ରୀ ସରୋଜ କୁମାର ପଣ୍ଡା ଓ ମୃତ୍ୟଞ୍ଜୟ ତ୍ରିପାଠୀ, ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ, ପ୍ରତ୍ନତତ୍ତ୍ୱ ବିଭାଗ ଅଧିକ୍ଷକ, ସଂଗ୍ରହାଳୟ ଅଧିକ୍ଷକ, ଓଡିଶା ପର୍ଯ୍ୟଟନ ନିଗମର ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଅଞ୍ଜନ କୁମାର ବାରିକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅରବିନ୍ଦ ଦାସ, ସ୍ଥାନୀୟ ସରପଂଚଶ୍ରୀ ପୂର୍ଣ୍ଣଚନ୍ଦ୍ର ଭୋଇ ଏବଂ ସମିତି ସଭ୍ୟ ଶ୍ରୀ ଭାବଗ୍ରାହୀ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault