ହେଡଲାଇନସ୍:

ପୋଲିସ ଜାଲରେ ଏଟିଏମ ଲୁଟେରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉମରକୋଟ(ଜିତେନ୍ଦ୍ର ମହାନ୍ତି) - ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ବହୁ ଦିନ ଧରି ଚାଲିଥିବା ଏଟିଏମ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଉମରକୋଟ ପୋଲିସ । ଦୀର୍ଘ ଦିନ ଧରି ଲୁଟେରା ଜଣକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଟାର୍ଗେଟ କରି ବହୁ ଟଙ୍କା ଲୁଟ କରିଥିଲା । ଲୁଟେରା ଜଣକର ନାଁ ଚୈତନ୍ୟ ନାଗ ହୋଇଥିବା ବେଳେ ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳର ପୂଜାରୀଗୁଡା ଗ୍ରାମରେ ବୋଲି ସୂଚନା ମିଳିଛି । ଚୈତନ୍ୟ ଏଟିଏମ କାଉଣ୍ଟର ଭିତରେ ପଶି ସାଧାରଣତଃ ବୟସ୍କ ବ୍ୟକ୍ତି ଯେଉଁ ମାନେ ଏଟିଏମ ଠିକ୍ ଭାବେ ପରିଚାଳନା କରି ପାରନ୍ତି ନାହିଁ ସେମାନଙ୍କୁ ସାହାଯ୍ୟ କରିବା ବାହାନାରେ ପ୍ରଥମେ ସେମାନଙ୍କ ପିନ୍ ନମ୍ବରକୁ ଟିପି ନେଉଥିଲା । ପରେ କୌଶଳ କ୍ରମେ ଭିନ୍ନ ଏକ ଏଟିଏମ କାର୍ଡ ବଦଳାଇ ଉକ୍ତ ବ୍ୟକ୍ତିଙ୍କ ଏଟିଏମ କାର୍ଡକୁ ନେଇ ପରେ ବିଭିନ୍ନ ଏଟିଏମ କାଉଣ୍ଟରରୁ ଟଙ୍କା ଉଠାଇ ଫେରାର୍ ହୋଇ ଯାଉଥିଲା । ଏ ନେଇ ଲୁଟର ଶିକାର ହେଇଥିବା ଜଣେ ଅବସର ପ୍ରାପ୍ତ ଶିକ୍ଷକ ସେଖ ହାସନ୍ ଉମରକୋଟ ଥାନାରେ ଗତ ନଭେମ୍ବର୍ ୪ ତାରିଖରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଉମରକୋଟ ପୋଲିସ ୩୮୬/୨୦୨୨ରେ ମାମଲା ରୁଜୁ କରିବା ସହ ଘଟଣାକୁ ଗୁରୁତର ସହ ନେଇ ଥାନାଧିକାରୀ ଦୀପକ କୁମାର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉମରକୋଟ ସହରରେ ଲାଗିଥିବା ସିସିଟିଭି କ୍ୟାମେରା ମାଧ୍ୟମରେ ଲୁଟେରାକୁ ଚିହ୍ନଟ କରିଥିଲେ। ଏଥି ସହ ଚୈତନ୍ୟ ବ୍ୟବହାର କରୁଥିବା ଆପାଚେ ଆରଟିଆର ଗାଡି ଓଡି ୦୮ କ୍ୟୁ ୩୪୫୧କୁ ଜବତ କରିଥିବା ବେଳେ ଚୈତନ୍ୟ କୌଶଳ କ୍ରମେ ଖସି ଯାଇଥିଲେ। ତେବେ ଏହାର ବିଭିନ୍ନ ଦିଗକୁ ତଦନ୍ତ କରିବା ପରେ ପୋଲିସ ତଥ୍ୟ ପ୍ରମାଣ ସହ ଲୁଟେରା ଚୈତନ୍ୟକୁ ଚନ୍ଦାହାଣ୍ଡି ବ୍ଲକ୍ ପୂଜାରିଗୁଡ଼ା ଗ୍ରାମ ସ୍ଥିତ ନିଜ ଘରୁ ଗିରଫ କରିବାରେ ସଫଳ ହୋଇଛି । ଲୁଟେରା ଠାରୁ ପୋଲିସ ଗୋଟିଏ ମୋଟର ସାଇକେଲ ସହ ୪ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ଓ ନଗଦ ୧୦ ହଜାର ଟଙ୍କା ଜବତ କରିଛି । ଚୈତନ୍ୟଙ୍କ ନାଁରେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଏବଂ ଛତିଶଗଡ଼ ରାଜ୍ୟର ଦେଓଭୋଗ ଥାନାରେ ଏଟିଏମ ଠକେଇ ମାମଲା ଥିବା ବେଳେ ଏଇ ଲୁଟ୍ ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ତାହା ଅଧିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ।

0
0
0
s2sdefault