ହେଡଲାଇନସ୍:

‘ସାମ୍’ ଶିଶୁଙ୍କ ଚିକିତ୍ସା ଓ ପୋଷଣ ବିକାଶ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ରାଉରକେଲା,(ବସନ୍ତ କୁମାର ଜେନା): ‘‘ମୋ ଝିଅର ବୟସ ୨ ବର୍ଷ। ହେଲେ ତା’ର ଓଜନ ବଢ଼ୁ ନଥିବାରୁ ମୁଁ ଚିନ୍ତାରେ ଥିଲି। ଅଙ୍ଗନବାଡ଼ି ଦିଦିଙ୍କ କଥାରେ ମୁଁ ତାକୁ ଧରି ପୁଷ୍ଟି ସାଧନ କେନ୍ଦ୍ରକୁ ଆସିଲି। ଏଠାରେ ଡାକ୍ତର ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ତା’ ସାଙ୍ଗକୁ କେନ୍ଦ୍ରରେ ତାକୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯାଉଛି। ଫଳରେ ତା’ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି’’, କହନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ବରପାଲି ଗ୍ରାମର ବିନିତା ମଗର।

ସେହିପରି ନୂଆଗାଁ ବ୍ଲକ ଝରିଆଟୋଲି ଗ୍ରାମର ଅନିସ୍ ଥରମିଞ୍ଜ କହନ୍ତି, ‘‘ମୋ ପୁଅ ବହୁତ ଦୁର୍ବଳ ଥିଲା। ତେଣୁ ତାକୁ ନେଇ ମୁଁ ରାଉରକେଲାରେ ଥିବା ଏନଆରସିକୁ ଆସି ପ୍ରାୟ ୧୫ ଦିନ ରହିଥିଲି। ଏହି ସମୟରେ ପୁଅର ନିୟମିତ ଓଜନ, ଉଚ୍ଚତା ମାପ କରି ତାକୁ ଔଷଧ ସହିତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଦିଆଯାଉଥିଲା। ଏବେ ସେ ଆଗ ଅପେକ୍ଷା ସୁସ୍ଥ ଅଛି।’’

ଅନିସ୍ ଏବଂ ବିନିତାଙ୍କ ଝିଅ ପୁଅଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ସାନ ସାନ ପିଲା ଯେଉଁମାନେ ଅତିଶୟ ଅପପୁଷ୍ଟିଜନିତ ଅବସ୍ଥାରେ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ସେମାନଙ୍କ ପୋଷଣକୁ ସୁନିଶ୍ଚିତ କରିବା ପାଇଁ ପୁଷ୍ଟିକର ଖାଦ୍ୟ ଦିଆଯିବା ସହ ନିୟମିତ ବ୍ୟବଧାନରେ ସେମାନଙ୍କ ସ୍ୱାସ୍ଥ୍ୟର ଅଗ୍ରଗତି ଅନୁଧ୍ୟାନ କରାଯାଉଛି।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ପୁଷ୍ଟି ସାଧନ କେନ୍ଦ୍ର ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରାଉରକେଲା ସରକାରୀ ଚିକିତ୍ସାଳୟ ଏବଂ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଏହି କେନ୍ଦ୍ରରେ ୨୦୨୨ ଅକ୍ଟୋବର ମାସ ସୁଦ୍ଧା ମୋଟ ୩ ହଜାର ୭୩୨ ଜଣ ଶିଶୁଙ୍କୁ ଆବଶ୍ୟକ ପୋଷଣ ଚିକିତ୍ସା ଯୋଗାଇ ଦିଆଯାଇଛି।

‘‘ଯେଉଁ ଶିଶୁମାନଙ୍କର ଉଚ୍ଚତା ଅନୁସାରେ ଓଜନ ଯଥେଷ୍ଟ କମ୍ ଥାଏ ସେମାନଙ୍କୁ ଅତିଶୟ ଅପପୁଷ୍ଟିଜନିତ ଅବସ୍ଥା ବା ସାମ୍ ଶିଶୁ କୁହାଯାଏ। ସେହିପରି, ପିଲାମାନଙ୍କ ବାହୁ ମାପରୁ ମଧ୍ୟ ପୋଷଣ ସମସ୍ୟାର ଚିହ୍ନଟ କରାଯାଇଥାଏ। ସାଧାରଣତଃ ଅପପୁଷ୍ଟିଜନିତ ସମସ୍ୟା ଦେଖାଦେଲେ ଶିଶୁମାନେ ବିଭିନ୍ନ ରୋଗରେ ପଡ଼ିବାର ଅଧିକ ଆଶଙ୍କା ରହିଛି। ଏହାଛଡ଼ା କୁପୋଷଣ ପୀଡ଼ିତ ପିଲାଙ୍କର ବୟସ ଅନୁଯାୟୀ ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହୁଏ। ଏହି ସମସ୍ୟା ଜଣେ ଶିଶୁର ଭବିଷ୍ୟତ ଜୀବନ ପାଇଁ ମଧ୍ୟ ଘାତକ ହୋଇପାରେ। ତେଣୁ ସେମାନଙ୍କୁ ଚିହ୍ନଟ କରି ପୋଷଣ-ବିକାଶ ଲାଗି ଆବଶ୍ୟକ ଚିକିତ୍ସା ଓ ଯତ୍ନକୁ ସୁନିଶ୍ଚିତ କରିବା ଦିଗରେ ପୁଷ୍ଟି ସାଧନ କେନ୍ଦ୍ରଗୁଡ଼ିକ ବଡ଼ ଭୂମିକା ଗ୍ରହଣ କରୁଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ଜିଲ୍ଲାର ପ୍ରତି ପୁଷ୍ଟି ସାଧନ କେନ୍ଦ୍ରରେ ୧୦ଟି ଲେଖାଏଁ ବେଡ୍ ରହିଛି।

0
0
0
s2sdefault